କେତେ ସତ କେତେ ମିଛ ! ମନ୍ତ୍ରୀରୁ ଗଲେ ବି କ୍ଷମତାରେ ରହିବେ ବିଜେଡିର ପ୍ରଭାବଶାଳୀ ତ୍ରିମୂର୍ତି

34

କନକ ବ୍ୟୁରୋ : ତୃତୀୟ ମହଲାକୁ କବଜା ରଖିଥିବା ନବୀନଙ୍କ ଯୁବ ବ୍ରିଗେଡର ତ୍ରିମୂର୍ତୀଙ୍କ ହାତରୁ ଛଡ଼ାଇ ନିଆଯାଇଛି ମନ୍ତ୍ରୀ ପଦ । ସଂଜୟ ଦାମବର୍ମା, ଅରୁଣ ସାହୁ ଏବଂ ପ୍ରବଣ ପ୍ରକାଶ ଦାସ, ଏହି ୩ନେତାଙ୍କ ଉପରେ ନବୀନ ଅସମ୍ଭବ ବିଶ୍ୱାସ କରୁଥିବା ଚର୍ଚ୍ଚା ହୁଏ । ଏପରିକି ନବୀନଙ୍କ ନିଷ୍ପତିକୁ ପ୍ରଭାବିତ କରିପାରିଲା ଭଳି ସାମର୍ଥ୍ୟ ଏହି ତିନି ଯୁବ ନେତାଙ୍କ ରହିଛି ବୋଲି କ୍ଷମତା ଅଳିନ୍ଦରେ ଚର୍ଚ୍ଚା ଚାଲେ । ଅନେକ ଦିନ ଧରି ଶାସନ ଓ ସରକାରର ମଙ୍ଗ ଧରିଥିବା ଏହି ୩ ଯୁବ ନେତାଙ୍କ କାନ୍ଧରେ ଏବେ ବିଜେଡି ସଂଗଠନର ଦାୟିତ୍ୱ ।

ସରକାରରେ ନଥିଲେ ବି ବିଜେଡି ଓ ଏହାର ଛାୟା ସଂଗଠନ ଉପରେ ଏମାନଙ୍କର ଦବଦବା ରହିବ । ସଂଜୟ ଦାସବର୍ମାଙ୍କୁ ଯୁବ ସଂଗଠନ ଦାୟିତ୍ୱ ମିଳିଥିବା ବେଳେ ଅରୁଣଙ୍କ ହାତକୁ ଯାଇଛି ଛାତ୍ର ସଂଗଠନ ଦାୟିତ୍ୱ । ଆଉ ପ୍ରଣବ, ସଂପାଦକରୁ ସାଧାରଣ ସଂପାଦକ ପଦକୁ ଉନ୍ନିତ ହୋଇଛନ୍ତି ।

ସାହେଲା ଚାଷୀ ସମାବେଶ ହେଉ ବା ମହାନଦୀ ପ୍ରସଙ୍ଗରେ ମାନବ ଶୃଙ୍ଖଳା ହେଉଛି ଏଇ ତିନି ଚେହେରା କେନ୍ଦ୍ର ବିରୋଧରେ ଖୋଲାଖୋଲି ଯୁଦ୍ଧ ଘୋଷଣା କରୁଥିଲେ । କେନ୍ଦ୍ରୀୟ ଯୋଜନାରେ ପାତରଅନ୍ତର କଥା ଉଠିଲେ ସାମ୍ବାଦିକ ସମ୍ମିଳନୀ ଜରିଆରେ ସାମ୍ନାକୁ ଆସୁଥିଲେ । ନବୀନଙ୍କ ମନ୍ତ୍ରୀମଣ୍ଡଳରେ ଏକଦା କ୍ଷମତାଶାଳୀ ଯୁବ ମନ୍ତ୍ରୀଥିବା ଏହି ୩ଜଣ ଏବେ ମନ୍ତ୍ରୀ ପଦ ଛାଡ଼ିଛନ୍ତି ।

ଏହି ତିନି ନେତା ସ୍ୱଇଚ୍ଛାରେ ମନ୍ତ୍ରୀ ପଦ ଛାଡ଼ିଲେ, ନା ମନ୍ତ୍ରୀ ପଦରୁ ଓହରିଯିବା ପାଇଁ କୁହାଗଲା । ମନ୍ତ୍ରୀ ପଦରୁ ଯିବା ପରେ ସଂଗଠନ କଥା ବୁଝିବା ପାଇଁ ଇଚ୍ଛା ପ୍ରକାଶ କରୁଥିବା ଏହି ନେତାଙ୍କ ସାଂଗଠିନିକ ଦକ୍ଷତାକୁ ନେଇ ମଧ୍ୟ ଖୋଦ୍ ତାଙ୍କ ଦଳରୁ ଉଠିଛି ପ୍ରଶ୍ନ ।

କର୍ମୀରୁ ବିଧାୟକ ଏବଂ ବିଧାୟକରୁ ମନ୍ତ୍ରୀ । ଏହି ଯାତ୍ରା ଭିତରେ ମୁଖ୍ୟମନ୍ତ୍ରୀଙ୍କ ବିଶ୍ୱାସ ଭାଜନ ହୋଇପାରିଥିଲେ ସଂଜୟ, ଅରୁଣ ଏବଂ ପ୍ରଣବ । ତୃତୀୟ ମହଲାକୁ ଅନାୟାସରେ ପ୍ରବେଶ କରିପାରୁଥିବା ବିଜେଡିର ଏହି ତ୍ରିମୁର୍ତୀ, ଅମଲାତନ୍ତ୍ର ସହ ବେଶ ଖାପ୍ ଖୁଆଇ ଆଗକୁ ବଢ଼ି ଚାଲିଥିଲେ ।

ଏବେ ପ୍ରଶ୍ନ ଉଠୁଛି -ନବୀନଙ୍କ ଏହି ନବକଳେବର ଯାତ୍ରରେ ବିଜେଡି ସଂଗଠନକୁ ଏହି ତିନି ଚେହେରା ମଜବୁତ କରିବେ ନା’ ମନଉଣା କରିବେ । ଗଣମାଧ୍ୟମରେ ଦେଉଥିବା ବୟାନ ଏବଂ ମନ ଭିତରେ ଥିବା ଆକାଂକ୍ଷା ଭିତରେ ଛନ୍ଦି ହୋଇଯିବେନି ତ ?