ସ୍କୁଲ ଓ କଲେଜରେ ଲାଗୁ ହେବ ସମ୍ବଲପୁରୀ ଡ୍ରେସ କୋଡ । ମନ୍ତ୍ରୀଙ୍କ ପ୍ରସ୍ତାବ ପରେ ରୋଜଗାର ଆଶାରେ ବୁଣାକାର  । 

60

କନକ ବ୍ୟୁରୋ : ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ପିନ୍ଧିବେ ସମ୍ବଲପୁରୀ । ଆଗାମି ଶିକ୍ଷା ବର୍ଷରୁ ଲାଗୁ ହେବ ଏହି ଡ୍ରେସ କୋଡ । ଏଥିପାଇଁ ବହୁ ପରିମାଣରେ ସମ୍ବଲପୁରୀ କପଡା ସାରା ରାଜ୍ୟର ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କ ପାଇଁ ଆବଶ୍ୟକ ପଡିବ । ଏହାଦ୍ୱାରା ରାଜ୍ୟର ବୁଣାକାର ମାନେ ମଧ୍ୟ ଜୀବିକା ପାଇବା ସହ ଅଧିକ ଲାଭବାନ ହେବା ଆଶା କରାଯାଉଛି  ହେଲେ ରାଜ୍ୟରେ ଏମିତି ଅନେକ ବୁଣାକାର ଅଛନ୍ତି ଯେଉଁମାନେ ନା ପଞ୍ଜିକୃତ ଅଛନ୍ତି ନା ପାଉଛନ୍ତି ସରକାରୀ ଭତା । ଏଣୁ ଏହି ବୁଣାକାର ଏବେ ଆଶା ଆଶଙ୍କାରେ ରହିଛନ୍ତି  ।

ଗୋଟିଏ ବୁଣାକାର ପରିବାରର ଦିନକଯାକର ପରିଶ୍ରମରେ ତିଆରି ହୋଇଥାଏ ଗୋଟିଏ ଶାଢୀ, ଏବଂ ସେଥିରୁ ୩୦୦ରୁ ୫୦୦ ଟଙ୍କା ରୋଜଗାର ହୁଏ  । ପୁଣି ଅନେକ ସମୟରେ ଦଲାଲମାନେ ଅଳ୍ପ ଟଙ୍କାରେ ବୁଣାକାରଙ୍କଠାରୁ କିଣି ବାହାରେ ଚଢା ଦରରେ ବିକ୍ରି କରନ୍ତି । ଏହି ବୁଣାକାର ମାନଙ୍କୁ ପଞ୍ଜିକୃତ କରିବା ସହ ଉଚିତ ବଜାର ସୁବିଧା ଯୋଗାଇ ଦେବାକୁ ଦାବି ହେଉଛି ।

ଏହାସହ ସୂତା ଓ ଅନ୍ୟାନ୍ୟ ସାମଗ୍ରୀ ଉଚିତ ମୂଲ୍ୟରେ ଯୋଗାଇ ଦେଲେ ଏମାନେ ମଧ୍ୟ କିଛି ଟଙ୍କା ରୋଜଗାର କରିପାରିବେ  ।ମନ୍ତ୍ରୀଙ୍କ ଘୋଷଣା ପରେ ଦୁଇ ପଇସା ରୋଜଗାର ଆଶା ରଖିଛନ୍ତି ବୁଣାକାର  । ତେବେ ଏମାନଙ୍କୁ ପଂଜୀକୃତ କରାଗଲେ ସମସ୍ତେ ଏହାର ଫାଇଦା ପାଇପାରିବେ ।