ଜଙ୍ଗଲ ଭିତରେ ଗ୍ରାମାଞ୍ଚଳ ଡାକସେବା । ନେଟୱର୍କ ଖୋଜିଖୋଜି ଜଙ୍ଗଲ ଭିତର ପୋଲ ଉପରେ କାମ କରୁଛନ୍ତି କର୍ମଚାରୀ

ସମ୍ବଲପୁର କୁଚିଣ୍ଡାରୁ ଆସିଲା ଅଭାବନୀୟ ଚିତ୍ର

649

କନକ ବ୍ୟୁରୋ: ଜଙ୍ଗଲ ଭିତର ପୋଲ ଉପରେ ଚାଲିଛି ଗ୍ରାମାଂଚଳ ଡାକସେବା । ପ୍ରତିଦିନ ଡାକସେବାର କାର୍ଯ୍ୟର ହିସାବ ଦେବା, ଆୟବ୍ୟୟ ସମେତ ବିଭିନ୍ନ ରେକର୍ଡ ଅନଲାଇନରେ ଦେବା ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି କେନ୍ଦ୍ର ସରକାର । କିନ୍ତୁ ଗ୍ରାମାଂଚଳ ଗୁଡିକରେ ଇଂଟରନେଟା ସେବାରେ ବ୍ୟାହତ ରହୁଥିବାରୁ ରାସ୍ତାକଡରେ ପିଓଏସ୍ ମେସିନ ଧରି କାମ କରୁଛନ୍ତି ପୋଷ୍ଟ ଅଫିସ କର୍ମଚାରୀ । ଏପରି ଚିତ୍ର ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା କୁଚିଣ୍ଡାରେ ।

ସିରିଡ ପଂଚାୟତର ମହିଳା ଡାକସେବକ ଏହିସବୁ କାର୍ଯ୍ୟପାଇଁ ପ୍ରତ୍ୟେକ ଦିନ ଅଫିସ ଛାଡି ନେଟୱର୍କ ପାଇଁ ଗାଁରୁ ପ୍ରାୟ ୭ରୁ ୮ କିଲୋମିଟର ଦୂରକୁ ଯାଇଥାଆନ୍ତି । କେତେବେଳେ ରାସ୍ତା କଡର ଯାତ୍ରୀ ବିଶ୍ରାମଗାରରେ କାର୍ଯ୍ୟ କରିଥାଆନ୍ତି ତ କେତେବେଳେ ଜଙ୍ଗଲ ମଝିରେ ଥିବା ପୋଲ ଉପରେ । ଯେଉଁଠି ନେଟୱର୍କ ଆସେ ସେଇଠି ପିଓଏସ ମେସିନ ଧରି କାର୍ଯ୍ୟ କରନ୍ତି କର୍ମଚାରୀ । କାରଣ ଏହି ଡାକଘରଟି ଜଙ୍ଗଲ ମଝିରେ ଥିବାରୁ କାଗଜପତ୍ର କାର୍ଯ୍ୟ ଅଫିସରେ ଏବଂ ଅନଲାଇନ କାର୍ଯ୍ୟ ରାସ୍ତା କଡରେ ନେଟୱର୍କ ଖୋଜି କରିବାକୁ ପଡିଥାଏ ।