ଦୁର୍ଘଟଣା ଉଜାଡ଼ି ଦେଲା ସଂସାର : ଅଲୋଡ଼ା ପାଲଟିଲେ ଭାରତ ମାତାର ବୀର ପୁତ୍ର, ବନ୍ଧୁକ ଧରି ଲାଲଗଡ଼ରେ ରାଜୁତି କରୁଥିବା ଯବାନ ଆଜି ଖାଇବା ଗଣ୍ଡିକ ପାଇଁ ବି ଅନ୍ୟ ଉପରେ ନିର୍ଭରଶୀଳ

5,303

କନକ ବ୍ୟୁରୋ : ଦେଶ ପାଇଁ ହସି ହସି ପ୍ରାଣବଳୀ ଦେଉଥିବା ଯବାନ ଆଜି ଅଲୋଡ଼ା । ଏକ ସାମାନ୍ୟ ଦୁର୍ଘଟଣା ପାଇଁ ବଦଳିଗଲା ବୀର ଯବାନଙ୍କ ଜୀବନ । ଦିନେ ହାତରେ ବନ୍ଧୁକ ଧରି ମାଓବାଦୀଙ୍କ ସହ ଲଢେଇ କରୁଥିବା ଯବାନ ଆଜି ଅକର୍ମଣ୍ୟ । ଅନ୍ୟ ଉପରେ ନିର୍ଭର କରିବା ପାଇଁ ବାଧ୍ୟ । ସାମାନ୍ୟ ଦୁର୍ଘଟଣାର ସମ୍ମୁଖୀନ ହେବାପରେ ଦେଶ ମାତୃକାର ସେବାରୁ ବଞ୍ଚିତ ହୋଇଛନ୍ତି ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ ଗୁଦନାଡ ଗାଁ ର ରାମସିଂ ବିରୁଦା । ପ୍ରାୟ ଏକ ବର୍ଷ ହେବ ଖଟିଆରେ ସେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି । ସରକାରୀ ସହାୟତା କଥା ଦୂରରେ ଥାଉ, ଆହାପଦେ କହିବାକୁ ଯବାନଙ୍କ ନିକଟରେ ପହଁଚି ନାହାନ୍ତି କୌଣସି ପୁଲିସ କିମ୍ବା ସରକାରୀ ବାବୁ ।

ଦିନ ଥିଲା ସିଆରପିଏଫ୍ ଓ ପାରା ମିଲିଟାରୀ ଫୋର୍ସକୁ ଜଙ୍ଗଲ ଭିତରେ ବାଟ ଦେଖାଉ ଥିଲେ ଜବାନ ରାମ ସିଂ ବିରୁଦା । ଦିନେ ହାତରେ ଅତ୍ୟାଧୁନିକ ବନ୍ଧୁକ ଧରି ଲାଲଗଡରେ ରାଜୁତି କରୁଥିବା ଯବାନ ଏବେ ଖାଦ୍ୟ ଖାଇବା ପାଇଁ ବୁଢା ବାପା ମା’ ଓ ପତ୍ନୀ ଉପରେ ନିର୍ଭରଶୀଳ । ପୁରୁଣା ଦୌଡି ଖଟ ଏବେ ରାମସିଂଙ୍କ ଭରସା ପାଲଟିଛି । ନାଁ ଉଠି ପାରୁଛନ୍ତି ନା ଚାଲି ପାରୁଛନ୍ତି । ବଳିଷ୍ଠ, ସୁସ୍ଥସବଳ ଚେହେରା ଏବେ ଜଡ଼ ପାଲୋଟି ଯାଇଛି ।

୨୦୧୦ ମସିହାରେ ପ୍ରଥମେ ମାଲକାନଗିରି ଜିଲ୍ଲାରେ ଏସ.ପି.ଓ ଭାବେ ନିଯୁକ୍ତି ପାଇ ଥିଲେ ରାମ ସିଂ ବିରୁଦା । ମାଓ ଦମନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଯୋଗୁଁ ଗତ ୨୦୧୪ ଫେବୃଆରୀ ମାସରେ ଓ.ଏ.ପି.ଏଫ ବାହିନୀରେ ସ୍ଥାୟୀ ନିଯୁକ୍ତି ପାଇଥିଲେ ରାମ ସିଂ । ବେସିକ ଓ ଆଡଭାନ୍ସଡ୍ ଟ୍ରେନିଙ୍ଗ ପାଇବା ପରେ ବରଗଡ ଜିଲ୍ଲାୟ ଜଗଦଲପୁର ସି.ଆର.ପି.ଏଫ କ୍ୟାମ୍ପରେ ମୁତୟନ ହୋଇଥିଲେ । ୨୦୧୮ ଅକ୍ଟୋବର ୧୫ ତାରିଖରେ ମୋଟର ସାଇକେଲ ଯୋଗେ ଜଗଦଲପୁରରୁ ପଦ୍ମପୁର ଯାଉ ଥିବା ସମୟରେ ସଡକ ଦୁର୍ଘଟଣାର ସମ୍ମୁଖୀନ ହୋଇ ଥିଲେ ରାମ ସିଂ । ଆଉ ତା’ପରଠାରୁ ବଦଳିଗଲା ଜୀବନ । ଦୁର୍ଘଟଣାଗ୍ରସ୍ତ ହୋଇ ପ୍ରଥମେ ସୋଏଲା ଠାରେ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ମେଡିକାଲରେ ଦେଢ ମାସ ଧରି ଚିକିିତ୍ସିତ ହୋଇ ଘରକୁ ଫେରିଥିଲେ । ଜୀବନ ସିନା ବଞ୍ଚିଗଲା ହେଲେ ଜଡ଼ ପରି ଖଟରେ ପଡ଼ିରହିଛନ୍ତି ରାମସିଂ ।

ଦୁର୍ଘଟଣାରେ ପରେ ପୁଲିସ ବିଭାଗ, ଜିଲ୍ଲା ପ୍ରଶାସନ କିମ୍ବା ରାଜ୍ୟ ସରକାର କେହି ବି ସାହାଯ୍ୟର ହାତ ବଢ଼ାଇ ନାହାନ୍ତି । କୌଣସି ବିମାରାଶି କଥା ଦୂୂରେ ଥାଉ ଦୁର୍ଘଟଣାର ଦୁଇ ମାସ ପରେ ଦରମା ମଧ୍ୟ ବନ୍ଦ କରିଦେଲା ପୁଲିସ ବିଭାଗ । ଅନ୍ୟ ଉପାୟ ନପାଇ ପୁଅର ଚିକିତ୍ସା ପାଇଁ ୩ ଏକର ଜମି ବିକି ଦେଲେ ବାପା । ୨ ଏକର ଜମି ଏବେ ବି ବନ୍ଧା ପଡିଛି । ଛୋଟ ପୁଅ ବେଙ୍ଗାଲୁରୁରେ ଦାଦନ ଖଟି ଯାହା ଦୁଇପଇସା ରୋଜଗାର କରୁଛି ଭାଇର ଔଷଧ କିଣା ହୁଏ । ବୁଢାବାପା ମୂଲ ଲାଗିଲେ ଘରେ ଚୁଲି ଜଳୁଛି, ନହେଲେ ଉପାସ ରହୁଛି ପରିବାର । ବୀର ଯବାନଙ୍କ ଏପରି ଦୁର୍ଦ୍ଦଶା ସମୟରେ ସାହାଯ୍ୟ କରିବାକୁ କେହି ନାହିଁ ।