କେରଳ ସାବରିମାଳା ମନ୍ଦିରରେ ଚାଲିଛି ଆଇନ ଓ ଅନ୍ଧବିଶ୍ୱାସର ସଂଘର୍ଷ : ମନ୍ଦିର ଦ୍ୱାର ଖୋଲିଲା, ୧୪୪ ଧାରା ଜାରି କଲା ପ୍ରଶାସନ

64

କନକ ବ୍ୟୁରୋ : ଖୋଲିଲା କେରଳର ପ୍ରସିଦ୍ଧା ସାବରିମାଳା ମନ୍ଦିର । ୧୪୪ ଧାରା ଜାରି କରି ପ୍ରଶାସନ ପକ୍ଷରୁ ଦର୍ଶନ ଆରମ୍ଭ ହୋଇଛି । ତେବେ ମହିଳାଙ୍କ ପ୍ରବେଶ ନେଇ ଚାଲିଥିବା ବିବାଦ ଥମିବାର ନାଁ ଧରୁନି । ମନ୍ଦିର ଆଡକୁ ଯାଉଥିବା ପ୍ରବେଶ ପଥରେ ଗାଡି ସବୁ ଅଟକାଇବା ସହ ମହିଳାଙ୍କୁ ଆଗକୁ ବଢିବାକୁ ଦେଉ ନାହାନ୍ତି ଆନ୍ଦୋଳନକାରୀ । ବର୍ଷ ବର୍ଷ ଧରି ଚାଲି ଆସିଥିବା ପରମ୍ପରା ଭଙ୍ଗ ହେବାକୁ ଦିଆଯିବ ନାହିଁ ବୋଲି ଆନ୍ଦୋଳନକାରୀ ଚେତାବାନୀ ଦେଇଛନ୍ତି । ଆୟାପ୍ପାଙ୍କ ଆରାଧାନା ପାଇଁ ଉପାସନା କରୁଥିବା ଆଦିବାସୀଙ୍କ ଛାମୁଣ୍ଡିଆକୁ ସରକାର ଭାଙ୍ଗି ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ।

ସେମାନେ ପାରମ୍ପରିକ ଢଙ୍ଗରେ ଆରାଧନା କରୁଥିବା ବେଳେ ସରକାରଙ୍କ ଏଭଳି କାଣ୍ଡକୁ ବିରୋଧ କରିଛନ୍ତି । ଅନ୍ୟପଟେ ସୁପ୍ରିମକୋର୍ଟଙ୍କ ରାୟକୁ ସମସ୍ତେ ସମ୍ମାନ ଦେବା ଉଚିତ ଏବଂ ଏଦିଗରେ ସରକାର ପଦକ୍ଷେପ ନେବା ଜରୁରୀ ବୋଲି କିଛି ସାମାଜିକ କର୍ମୀ ମତ ଦେଇଛନ୍ତି । ଭାରତୀୟ ସମ୍ବିଧାନରେ ସମସ୍ତଙ୍କୁ ସମାନ ଅଧିକାର ଥିବା ବେଳେ ମହିଳାଙ୍କୁ ମନ୍ଦିର ପ୍ରବେଶ ପାଇଁ ବିରୋଧ କରାଯାଇ ପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି । ଏହାକୁ ନେଇ ଜୋର ଧରିଛି ରାଜନୀତି ।