ସାବରିମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ନେଇ ବିରୋଧ ଜାରି ! ଆଜି ବି କୌଣସି ମହିଳାଙ୍କୁ ପ୍ରବେଶ କରିବାକୁ ଦେଲେ ନାହିଁ ବିକ୍ଷୋଭକାରୀ ।

26

କନକ ବ୍ୟୁରୋ : ଆଜି ମଧ୍ୟ କେରଳର ସାବରିମାଳା ମନ୍ଦିରରେ ମହିଳା ପ୍ରବେଶ ନେଇ ବିରୋଧ ଜାରି ରହିଥିଲା । କଡା ସୁରକ୍ଷା ବ୍ୟବସ୍ଥା ଭିତରେ ଶ୍ରଦ୍ଧାଳୁଙ୍କ ଦର୍ଶନ ଚାଲିଥିଲା । ସେପଟେ ୧୦ରୁ ୫୦ ବର୍ଷ ବୟସ ମଧ୍ୟରେ କୌଣସି ମହିଳାଙ୍କୁ ପ୍ରବେଶ କରିବାକୁ ଦେଉ ନାହାନ୍ତି ବିକ୍ଷୋଭକାରୀ । ସାବରିମାଳା ସଂରକ୍ଷଣ ସମିତି, ବିଶ୍ୱ ହିନ୍ଦୁ ପରିଷଦ ତଥା ଅନ୍ତରାଷ୍ଟ୍ରୀୟ ହିନ୍ଦୁ ମଂଚ ଏହି ବିରୋଧକୁ ଜାରି ରଖିଛନ୍ତି । ଏପଟେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ପ୍ରସଙ୍ଗରେ ବିବାଦ ଲାଗି ରହିଥିବା ବେଳେ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ବାମପନ୍ଥୀ ନେତା । ସିପିଆଇଏମର ବରିଷ୍ଠ ନେତା ସୀତାରାମ ୟେଚୁରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିରବତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

ତିନ୍ ତଲାକ୍ ପ୍ରସଙ୍ଗରେ ମୋଦିଙ୍କ ଯାହା ଆଭିମୁଖ୍ୟ ଥିଲା, ତାହା ସାବରିମାଳା ମାମଲାରେ ଦେଖାଯାଉ ନାହିଁ ବୋଲି ଅଭିଯୋଗ କରିଛନ୍ତି ୟେଚୁରି । ଅନ୍ୟପଟେ ସୁପ୍ରିମକୋର୍ଟ ରାୟର ପୁନର୍ବିଚାର କରିବା ଉଚିତ ବୋଲି ମତ ଦେଇଛନ୍ତି ସଂଘ ବିଚାରକ ତଥା ଅର୍ଥଶାସ୍ତ୍ରୀ ଏସ ଗୁରୁମୂର୍ତି । ସେ କହିଛନ୍ତି, ବାସ୍ତବ ଆୟପ୍ପା ଭକ୍ତ କେବେ ବି ଏପରି ଏକ ନିର୍ଦ୍ଦେଶକୁ ଗ୍ରହଣ କରିବେ ନାହିଁ । ଯେଉଁ ମହିଳାମାନେ ମନ୍ଦିର ପ୍ରବେଶ କରିବାକୁ ଉଦ୍ୟମ କରୁଛନ୍ତି, ସେମାନେ କେବେ ବି ଆୟପ୍ପାଙ୍କ ବାସ୍ତବିକ ଭକ୍ତ ନୁହନ୍ତି ବୋଲି ସେ କହିଛନ୍ତି । ଅନ୍ୟପଟେ ରାୟର ପୁନର୍ବିଚାର ପାଇଁ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ମନ୍ଦିରର ଦ୍ୱାର ଖୋଲା ରହିବ । ଗତକାଲି ଜଣେ ସାମ୍ବାଦିକା ଏବଂ ମହିଳା ସମାଜସେବୀ ମନ୍ଦିରର ପାଦଦେଶ ଯାଏଁ ପୋଲିସ କର୍ଡନ ଭିତରେ ଯାଇଥିଲେ । କିନ୍ତୁ ପ୍ରବଳ ବିରୋଧ ଯୋଗୁଁ ମନ୍ଦିର ପ୍ରବେଶ କରିପାରି ନଥିଲେ ।