ମହାକାଶ ବିଜ୍ଞାନ ଇତିହାସରେ ପ୍ରତିଷ୍ଠା ହେଲା ଆଉଏକ ମାଇଲଖୁଂଟ : ଆରଏଲଭି ଅବତାରର ସଫଳ ପରୀକ୍ଷଣ

33

ମହାକାଶ ବିଜ୍ଞାନ ଇତିହାସରେ ଆଉଏକ ମାଇଲଖୁଂଟ ଅତିକ୍ରମ କଲା ଭାରତ । ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଆଜି ପୁନଃ ବ୍ୟବହାର ଉପଯୋଗୀ ସ୍ପେଶ ସଟଲ- ଅବତାରର ସଫଳ ପରୀକ୍ଷଣ ହୋଇଛି । ପ୍ରଥମଥର ଲାଗି ମହାକାଶରେ ଉପଗ୍ରହ ଛାଡିବା ପରେ ପୃଥିବୀ ପୃଷ୍ଠକୁ ଫେରିଆସିଛି ରକେଟ୍ । ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ଭାରତ ତିଆରି କରିଛି ଏଭଳି ପୁନଃ ବ୍ୟବହାର ଉପଯୋଗୀ ସ୍ପେଶ ସଟଲ । ୯ ମିଟର ଲମ୍ବ ବିଶିଷ୍ଟ ଆରଏଲଭିର ଓଜନ ରହିଛି ୧୧ ଟନ୍ । ଡିଆରଡିଓ ପକ୍ଷରୁ ଏହି ରକେଟ୍ର ବିକାଶ କରାଯାଇଛି । ଶବ୍ଦର ଗତି ତୁଳନାରେ ୫ଗୁଣା ଅଧିକ ବେଗରେ ଗତି କରିପାରୁଛି ଅବତାର । ଏଥିପାଇଁ ଖର୍ଚ୍ଚ ହୋଇଛି ମାତ୍ର ୧୦୦ କୋଟି ଟଙ୍କା ।

କମ୍ ଖର୍ଚ୍ଚରେ ଉପଗ୍ରହ ଉତକ୍ଷେପଣ ପାଇଁ ଭାରତ ଏଭଳି ପୁନଃ ବ୍ୟବହାର ଉପଯୋଗୀ ରକେଟ୍ ନିର୍ମାଣ କରିଛି । ରକେଟ୍ ମୁଖ୍ୟ କାମ ହେଲା ଉପଗ୍ରହକୁ ମହାକାଶରେ ଛାଡିବା । ନିର୍ଦ୍ଦିଷ୍ଟ ଉପଗ୍ରହକୁ ପୃଥିବୀର କକ୍ଷ ପଥରେ ଛାଡିବା ପରେ ରକେଟ୍ କାମ ଶେଷ ହୋଇଥାଏ । କିନ୍ତୁ ଅବତାର ମହାକାଶରେ ତାର କାମ ଶେଷ କରି ପୁଣି ପୃଥିବୀ ପୃଷ୍ଠକୁ ଫେରିଆସିଛି । ଏବଂ ଏହାକୁ ପୁଣିଥରେ ବ୍ୟବହାର ଉପଯୋଗୀ କରିହେବ । ଏହାଦ୍ୱାରା ଭାରତର ଉପଗ୍ରହ ଉତକ୍ଷେପଣ ଖର୍ଚ୍ଚ କମ୍ ହେବ ବୋଲି ଆଶା କରାଯାଉଛି । ୨୦୧୧ରେ ନାସା ଏଭଳି ପୁନଃ ବ୍ୟବହାର ଉପଯୋଗୀ ରକେଟ୍ ମହାକାଶକୁ ଛାଡିବାରେ ସଫଳ ହୋଇଥିଲା । ତେବେ ୬ ବର୍ଷ ପରେ ନିଜସ୍ୱ ଉଦ୍ୟମରେ ଭାରତ ପ୍ରଥମ ପଦକ୍ଷେପରେ ସଫଳ ହୋଇଛି ।