ମାଲକାନଗିରି ଏଫସିଆଇ ଗୋଦାମରେ କେମିତି ଉଭାନ ହୋଇଗଲା ୨୧ଶହ କ୍ୱିଣ୍ଟାଲ ଚାଉଳ? ଅଡିଟ୍ ରିପୋର୍ଟ ପରେ ସାମ୍ନାକୁ ଆସିଲା ସାଂଘାତିକ ଚିତ୍ର ।

361

କନକ ବ୍ୟୁରୋ : ଭୂତ ଖାଉଛି ପଣ୍ୟାଗାରର କ୍ୱିଣ୍ଟାଲ କ୍ୱିଣ୍ଟାଲ ଚାଉଳ । ଏଫ.ସି.ଆଇ ଗୋଦାମ ଗୁଡ଼ିକରେ ଗଚ୍ଛିତ ଚାଉଳକୁ କିଭଳି ଉଭାନ୍ ହୋଇଯାଇଛି, ତାର ତଥ୍ୟ ଆସିଛି ମାଲକାନାଗିରି ଜିଲ୍ଲାରୁ । ଖାଦ୍ୟ ସୁରକ୍ଷା, ପିଡିଏସ ଓ ବିଭିନ୍ନ ସରକାରୀ ଯୋଜନାରେ ହିତାଧିକାରୀ ମାନଙ୍କୁ ବଣ୍ଟନ ଲାଗି ଗଚ୍ଛିତ ଚାଉଳ ଧିରେ ଧିରେ ଗାଏବ ହେବାରେ ଲାଗିଛି । ଏ କଥା ଆମେ କହୁନୁ, ଏଭଳି ସଙ୍ଗିନ ତଥ୍ୟ ଆସିଛି ଯୋଗାଣ ବିଭାଗର ଏହି ଅନ୍ତରୀଣ ଅଡିଟ୍ ରିପୋର୍ଟରୁ ।

ଏଫ.ସି.ଆଇରୁ ଚାଉଳ ଉଭାନ । ଭୂତ ଖାଇଗଲା ସରକାରୀ ଚାଉଳ ? ଏଭଳି ଏକ ସଂଘାତିକ୍ ତଥ୍ୟ ସାମ୍ନାକୁ ଆସିଛି ମାଲକାନଗିରି ଜିଲ୍ଲାରୁ । ନଭେମ୍ବର ୨୦୧୫ରୁ ମାର୍ଚ୍ଚ ୨୦୧୭ ମଧ୍ୟରେ ମାଲକାନଗିରି ପଣ୍ୟାଗାରରେ ହୋଇ ଥିବା ଚାଉଳ କାରବାରର ସମସ୍ତ ନଥି ପତ୍ର ଯାଞ୍ଚ ପରେ ୨୧୮୬ ଦଶମିକ୍ ୧୭ କ୍ୱିଣ୍ଟାଲ ଚାଉଳ ନିଅଂଟ । ଅର୍ଥାତ ୫୭ ଲକ୍ଷ ୩୧ ହଜାର ୮୬୯ ଟଙ୍କାର ଚାଉଳ ଗୋଦମରୁ ଗାଏବ ଥିବା ରିପୋର୍ଟରେ ଦର୍ଶାଇଛିି ଅଡିଟ ଟିମ୍ ।

୨୧୮୬.୧୭ କ୍ୱିଣ୍ଟାଲ ମଧ୍ୟରୁ ସିଧାସଳଖ ୧୬୪୫.୬୦ ଚାଉଳ ହେରଫେର ହୋଇଥିବା ଜଣାପଡ଼ିଛି । ଅର୍ଥାତ୍ କ୍ୱିଣ୍ଟାଲ ପିଛା ୨୬୨୧.୦୨ ହିସାବରେ ମୋଟ ୪୩ ଲକ୍ଷ ୧୩ ହଜାର ୧୫୧ ଟଙ୍କା ପଣ୍ୟାଗାର ଅଧୀକ୍ଷକ ଓ ପର୍ଚେଜ ଇନ୍ସପେକ୍ଟରଙ୍କ ଠାରୁ ଆଦାୟ କରିବା ଲାଗି ଅଡିଟ ଟିମ୍ ମାଲକାନଗିରି ଜିଲ୍ଲା ଯୋଗାଣ ଆଧିକାରୀଙ୍କୁ ସୁପାରିଶ କରିଛି ।

ଦୀର୍ଘ ୩୫ ଦିନଧରି ମାଲାକନଗିରି ଜିଲ୍ଲା ସଦର ମହକୁମାରେ ଥିବା ପଣ୍ୟାଗାର ସହ ବ୍ଲକ ସ୍ତରୀୟ ଗୋଦମ ମାନଙ୍କୁ ଯାଞ୍ଚ କରି ଏହି ଚାଉଳ ହେରଫେରର ମହାଘୋଟାଲାକୁ ସାମନାକୁ ଆଣିଛି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଳ୍ୟାଣ ବିଭାଗର ସ୍ୱତନ୍ତ୍ର ଅଡିଟ ଟିମ ।