ଆହ୍ୱାନଭରା ଥିଲା ଅଯୋଧ୍ୟା ରାୟ । କଣ ପଡିବ ପ୍ରଭାବ, କେମିତି ରହିବ ସୁରକ୍ଷା ସ୍ଥିତି? କେନ୍ଦ୍ର ଗୃହ ସଚିବ ଓ ଗୁଇନ୍ଦା ମୁଖ୍ୟଙ୍କ ଠାରୁ ଆଶ୍ୱସନା ମିଳିବା ପରେ ରାୟ ଶୁଣାଇଥିଲେ ପ୍ରଧାନ ବିଚାରପତି ।

205

କନକ ବ୍ୟୁରୋ : ଅଯୋଧ୍ୟା ରାୟ ପୂର୍ବରୁ କଣ ଚାଲିଥିଲା ସୁପ୍ରିମକୋର୍ଟରେ । କେମିତି ବିଚାରପତିମାନେ ବ୍ୟସ୍ତ ହେଉଥିଲେ ଯେ ରାୟ ପରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହେଉ । ବିଭିନ୍ନ ସୁତ୍ରରୁ ମିଳିଥିବା ଖବର ଅନୁସାରେ ମୁଖ୍ୟ ବିଚାରପତି ରଂଜନ ଗୋଗୋଇ ଏବଂ ଅନ୍ୟ ୪ଜଣ ବିଚାରପତି ଭାରତର ଗୁଇନ୍ଦା ମୁଖ୍ୟଙ୍କ ଠାରୁ ପୁରା ପରିସ୍ଥିତି ଉପରେ ଖବର ନେଇଥିଲେ । ଏହାଛଡା ଭାରତର ଗୃହ ସଚିବ ମଧ୍ୟ ୫ଜଣ ବିଚାରପତିଙ୍କ ଆଗରେ ସୁରକ୍ଷା ସ୍ଥିତିକୁ ନେଇ ଅବଗତ କରିଥିଲେ । ଏହାଛଡା ଉତର ପ୍ରଦେଶର ଗୃହ ସଚିବ ଓ ପୋଲିସ ଡିଜି ମଧ୍ୟ ବିଚାରପତିମାନଙ୍କୁ ରାଜ୍ୟର ସ୍ଥିତି ନେଇ ଅବଗତ କରିଥିଲେ ।

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ, ପରବର୍ତୀ ପ୍ରଧାନବିଚାରପତି ଜଷ୍ଟିସ ଏସ.ଏ. ବୋବଡେ, ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୂଡ, ଜଷ୍ଟିସ ଅଶୋକ ଭୂଷଣ ଓ ଜଷ୍ଟିସ ଏସ. ଅବଦୁଲ ନଜିରଙ୍କ ଉପସ୍ଥିତିରେ ଚାଲିଥିଲା ଆଲୋଚନା । ଦେଶର ନ୍ୟାୟିକ ଇତିହାସରେ ସବୁଠାରୁ ଅଧିକ ସମୟ ଧରି ଚାଲିଥିବା ଏକ ମାମଲାର ଆସିବାକୁ ଯାଉଥିଲା ରାୟ । ପ୍ରାୟ ୭୦ ବର୍ଷ ପରେ ଅଯୋଧ୍ୟା ମାମଲାର ଚୂଡାନ୍ତ ରାୟ ଶୁଣାଇବା ପୂର୍ବରୁ ଚିନ୍ତାରେ ପଡିଯାଇଥିଲେ ସୁପ୍ରିମକୋର୍ଟ । ସେଥିପାଇଁ ରାୟର କଣ ପ୍ରଭାବ ପଡିବ, ତର୍ଜମା କରିବାକୁ ଗୁଇନ୍ଦା ବିଭାଗ ମୁଖ୍ୟ ଅରବିନ୍ଦ କୁମାରଙ୍କୁ ଡାକି ଆଲୋଚନା କରିଥିଲେ ସୁପ୍ରିମକୋର୍ଟର ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ । ଅଯୋଧ୍ୟା ମାମଲାରେ ଥିଲେ ହିନ୍ଦୁ ପକ୍ଷ ଓ ମୁସଲମାନ ପକ୍ଷ । ତେଣୁ ସୁପ୍ରିମକୋର୍ଟ ଚୂଡାନ୍ତ ରାୟ ଦେବା ପୂର୍ବରୁ ସାଂପ୍ରଦାୟିକ ସଦଭାବ ବଜାୟ ରଖିବାକୁ ବେଶ ଯତ୍ନବାନ ହୋଇଥିଲେ । ଅଯୋଧ୍ୟାର ବିବାଦୀୟ ଜମି ଉପରେ ମାଲିକାନାକୁ ନେଇ କାଳେ ମୁହାଁମୁହିଁ ହେବେ ଦୁଇ ସଂପ୍ରଦାୟ ସେଥିପାଇଁ ଗୁଇନ୍ଦା ମୁଖ୍ୟଙ୍କଠାରୁ ସବିଶେଷ ତଥ୍ୟ ନେଇଥିଲେ ସାମ୍ବିଧାନିକ ଖଣ୍ଡପୀଠ ।

ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଉପୁଜିବ ନାହିଁ ବୋଲି ସାମ୍ବିଧାନିକ ଖଣ୍ଡପୀଠକୁ ଅଶ୍ୱାସନା ଦେଇଥିଲେ ଗୁଇନ୍ଦା ମୁଖ୍ୟ । ଏହାପରେ ପୁଣି କେନ୍ଦ୍ର ଗୃହ ସଚିବଙ୍କୁ ଡାକି ଆଲୋଚନା କରିଥିଲେ ଅଯୋଧ୍ୟା ମାମଲାର ଶୁଣାଣି କରୁଥିବା ୫ ଜଣିଆ ବେଞ୍ଚ । କୋର୍ଟ ଚ୍ୟାମ୍ବରରେ ପହଞ୍ଚି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ସୁରକ୍ଷା ପଦକ୍ଷେପ ବାବଦରେ ଅବଗତ କରାଇଥିଲେ ଗୃହ ସଚିବ ଏ.କେ. ଭଲ୍ଲା ।

ଗୁଇନ୍ଦା ମୁଖ୍ୟ ଓ କେନ୍ଦ୍ର ଗୃହ ସଚିବଙ୍କଠାରୁ ଆଶ୍ୱାସନା ପାଇବା ପରେ ମଧ୍ୟ ଆହୁରି ନିଶ୍ଚିତ ହେବାକୁ ଚାହୁଁଥିଲେ ପ୍ରଧାନ ବିଚାରପତିଙ୍କ ନେତୃତ୍ୱାଧୀନ ସାମ୍ବିଧାନିକ ଖଣ୍ଡପୀଠ । ଏଥିପାଇଁ ପୁଣି ଉତରପ୍ରଦେଶ ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜିଙ୍କୁ ସୁରକ୍ଷା ଆୟୋଜନ ବାବଦରେ ପଚାରି ବୁଝିଥିଲେ । ରାୟ ଆସିବା ପରେ କୌଣସି ପ୍ରକାର ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବ ନାହିଁ ବୋଲି ଏମାନେ ମଧ୍ୟ ଦେଇଥିଲେ ଆଶ୍ୱାସନା । ସବୁ ସ୍ତରରୁ ନିର୍ଭର ପ୍ରତିଶ୍ରୁତି ପାଇବା ପରେ କୋର୍ଟ ଅଚାନକ ରାୟ ଶୁଣାଇବାକୁ ନିଷ୍ପତି କରିଥିଲେ । ଅର୍ଥାତ ଶୁକ୍ରବାର ସଂଧ୍ୟାରେ ସ୍ଥିର ହେଲା ଯେ, ଶନିବାର ସାଢେ ୧୦ଟା ସୁଦ୍ଧା ରାୟ ପ୍ରକାଶ ପାଇବ ।

କୁହାଯାଉଛି ନଭେମ୍ବର ୩ ତାରିଖ ସୁଦ୍ଧା ୧ ହଜାର ୪୫ ପୃଷ୍ଠାର ରାୟ ଦସ୍ତାବିଜ ଛପା ସରିଥିଲା । ପରଦିନ ଏହାର ଗୋଟିଏ ଲେଖାଏଁ ନକଲ ସମସ୍ତ ବିଚାରପତିଙ୍କୁ ଦିଆଗଲା । ସମସ୍ତଙ୍କ ମତାମତ ଆଧାରରେ ଆବଶ୍ୟକ ସଂଶୋଧନ କରି ବୁଧବାର ସୁଦ୍ଧା ଚୂଡାନ୍ତ ଡ୍ରାଫ୍ଟ ପ୍ରସ୍ତୁତ ହୋଇଗଲା । କିନ୍ତୁ ଦୁଇଟି ସଂପ୍ରଦାୟକୁ ପ୍ରଭାବିତ କଲାଭଳି ଏକ ଅତି ସମ୍ବେଦନଶୀଳ ମାମଲା ହୋଇଥିବାରୁ ସମସ୍ତ ସୁରକ୍ଷା ବନ୍ଦୋବସ୍ତକୁ ତର୍ଜମା କଲାପରେ ଶନିବାର ରାୟ ପ୍ରକାଶ କଲେ ସୁପ୍ରିମକୋର୍ଟ । ଯାହା ଦଶନ୍ଧି ଦଶନ୍ଧି ଧରି ଭାରତୀୟଙ୍କ ମନରେ ଲାଗିରହିଥିବା ଉକ୍ରଣ୍ଠାର ଅବସାନ ଘଟାଇଲା ।