ମାଲକାନଗିରିର କାଲିମେଳାରେ କେମିତି ହେଲା ୬ଶିଶୁଙ୍କ ମୃତ୍ୟୁ? ସ୍ଥିତି ଅନୁଧ୍ୟାନ କଲେ ଡାକ୍ତରୀ ଟିମ୍, ସିଡିଏମଓ ଦେଇପାରୁନାହାନ୍ତି ସଠିକ ଉତ୍ତର ।

291

କନକ ବ୍ୟୁରୋ : ମାଲକାନଗିରିରେ ମୃତ୍ୟୁର ତାଣ୍ଡବ । ଛଅ ଛଅ ଜଣ ଶିଶୁଙ୍କ ମୃତ୍ୟୁ ଓଡିଶାର ଏହି ଉପାନ୍ତ ଇଲାକାରେ ବଡ ପ୍ରଶ୍ନ ସୃଷ୍ଟି କରିଛି । ଜିଲ୍ଲାର ମୁଖ୍ୟ ଚିକିତ୍ସା ଅଧିକାରୀ ସିଡିଏମଓ କହିଛନ୍ତି, ଜନ୍ମ ବେଳେ କମ ଓଜନ ପାଇଁ ସେମାନଙ୍କର ମୃତ୍ୟୁ ହୋଇଛି । ପ୍ରଶ୍ନ ଉଠୁଛି, ଓଡିଶାର ଏହି ଅଞ୍ଚଳରେ ଗରିବ ମହିଳାଙ୍କୁ ପୃଷ୍ଟିକର ଖାଦ୍ୟ ଠିକ ଭାବେ ମିଳୁଛି କି ନାହିଁ ।

ରିଷବ ମାଡ଼କାମୀ, ଏନ୍.ଏନ୍ କୁଞ୍ଜ, ଅମିତ ସଲବମ, ସଂଜନା ସଲବମ, ରାମ ମାଢ଼ୀ, କାନା ମାଢ଼ୀ । ଏମାନେ ଆଉ ଦୁନିଆରେ ନାହାଁନ୍ତି । ଦୁନିଆକୁ ଠିକରେ ଦେଖିବା ଆଗରୁ ସବୁ ଦିନ ପାଇଁ ଆଖିବୁଜି ଦେଇଛନ୍ତି । ମାଲକାନଗିରି କାଲିମେଳା ବ୍ଲକ ତମାନପାଲି ଗାଁର କାହାଣୀ ଜାଣିଲେ ହୁଏତ ଆପଣ ବି କହିବେ ସତରେ ଏଠି ଜୀବନର ମୁଲ୍ୟ କେତେ ଶସ୍ତା । କାରଣ ମାତ୍ର ୧୫ ଦିନ ଭିତରେ ଚାଲିଗଲାଣୀ ୬-୬ ଜଣ ଶିଶୁଙ୍କ ଜୀବନ ।

ମା’ କୋଳରେ ଥିବା ଏଇ ଶିଶୁ ହେଉଛନ୍ତି ତନିସା ସୋଡ଼ି । ମା’ କିଟୋ ସୋଡ଼ିଙ୍କ ପ୍ରଥମ ସନ୍ତାନ । ତନିସାଙ୍କ ସ୍ୱାସ୍ଥ୍ୟ ହିଁ କହୁଛି ଏଠିକାର ଅପପୁଷ୍ଟିର କାହାଣୀ । ଏବେ ତନିସାକୁ ମାଲକାନଗିରି ପୁଷ୍ଟି ସାଧାନ କେନ୍ଦ୍ରକୁ ପଠାଇ ଦିଆଯାଇଛି । କେବଳ ତନିସା ନୁହଁନ୍ତି ଉଣା ଅଧିକେ ଗାଁର ସବୁ ପିଲାଙ୍କ ଏହି ସମାନ ସ୍ଥିତି । ଆଉ ଯେତେବେଳେ ଗଣମାଧ୍ୟମ ତମନାପାଲି ଗାଁର କାହାଣୀ ସାମ୍ନାକୁ ଆଣିଲା, ଗାଁରେ ପହଞ୍ଚିଛନ୍ତି ୩ ଜଣିଆ ଡାକ୍ତରି ଟିମ୍ ।

ଜାପାନୀ ଜ୍ୱରର ଭୟାବହ ଚିତ୍ର ମାଲକାନଗିରିବାସୀଙ୍କ ମନରୁ ନଲିଭୁଣୁ, ଏବେ ପୁଣି ମାଲକାନଗିରିବାସୀଙ୍କୁ ଡରାଉଛି ଅଜଣା ରୋଗ । ସାମାନ୍ୟ ଜ୍ୱର ସହ ଥଣ୍ଡା କାଶର ଶିକାର ହୋଇ ପିଲାମାନେ ପ୍ରାଣ ହରାଉ ଥିବା ବେଳେ ଏ ଯାଏଁ ଶିଶୁ ମୃତ୍ୟୁର ପ୍ରକୃତ କାରଣ ଜଣା ପଡିନାହିଁ । ପ୍ରାଥମିକ ଅନୁସନ୍ଧନାରୁ ଶିଶୁମାନେ ବ୍ରଙ୍କୋ ନିମୋନିଆରେ ପୀଡିତ ହୋଇ ପ୍ରାଣ ହରାଉଥିବା କହିଛନ୍ତି ବିଶେଷଜ୍ଞ ଦଳ ।

ଗାଁରେ ଛୋଟ ଛୋଟ ପିଲାମାନେ ଅପପୁଷ୍ଟିର ଶିକାର ହୋଇଥିବା ଚିତ୍ର କନକ ନ୍ୟୁଜ କ୍ୟାମେରାରେ କଏଦ ହୋଇଛି । ଆଉ ଏହି ଘଟଣାକୁ ସଚେତନତାର ଅଭାବ ବୋଲି କହି ଘଣ୍ଟ ଘୋଡେଇବା ପାଇଁ ଚେଷ୍ଟା କରୁଛନ୍ତି ସିଡିଏମଓ । କେତେବେଳେ ଅପପୃଷ୍ଟି କଥା କହୁଛନ୍ତି ତ’ ଆଉ କେତେବେଳେ ସଚେତନାର ଅଭାବ କଥା କହି ପୁରା ଘଟଣାକୁ ହାଲୁକା ଭାବେ ନେଉଛନ୍ତି ସିଡିଏମଓ । ସେପଟେ ଶିଶୁ ମୃତ୍ୟୁକୁ ନେଇ ଭୟଭୀତ ହୋଇପଡିଥିବା ଅଂଚଳର ଅଙ୍ଗନୱାଡି କେନ୍ଦ୍ରରେ ଦିନକୁ ୨ ବେଳା ରନ୍ଧା ଖାଦ୍ୟ ଦିଆଯାଉଛି । ହେଲେ ଯେଉଁ ଖାଦ୍ୟ ଦିଆଯାଉଛି ସେଥି ପୃଷ୍ଟିସାରର ପରିମାଣ କେତେ ତାହା ଏହି ଚିତ୍ର ହିଁ ବୟାନ କରୁଛି ।