ଭୁବନେଶ୍ୱର ଗାନ୍ଧିମାର୍ଗରେ ରାଜ୍ୟସ୍ତରୀୟ ଉତ୍ସବ ! ପତାକା ଉତ୍ତୋଳନ କଲେ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ

137

କନକ ବ୍ୟୁରୋ : ରାଜ୍ୟରେ ବେଶ୍ ଧୁମଧାମରେ ପାଳିତ ହୋଇଛି ୭୦ ତମ ସାଧାରଣତନ୍ତ୍ର ଦିବସ । ରାଜ୍ୟସ୍ତରୀୟ ପତାକା ଉତ୍ତୋଳନ ଉତ୍ସବ ରାଜଧାନୀ ଭୁବନେଶ୍ୱରର ଗାନ୍ଧି ମାର୍ଗରେ ଅନୁଷ୍ଠିତ ହୋଇଛି । ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ ପତାକା ଉତ୍ତୋଳନ କରିଛନ୍ତି । ପତାକା ଉତ୍ତୋଳନ ପରେ ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଛନ୍ତି ରାଜ୍ୟପାଳ । ପୋଲିସ, ଅର୍ଦ୍ଧସାମରିକ ବଳ ସହ ଅଗ୍ନିଶମ ବିଭାଗ ଓ ହୋମଗାର୍ଡ ମଧ୍ୟ ପରେଡରେ ସାମିଲ ହୋଇଛନ୍ତି ।

ବିଭିନ୍ନ ବିଦ୍ୟାଳୟ ପକ୍ଷରୁ ଏନସିସି ଓ ସ୍କାଉଟ୍ ପିଲାମାନେ ମଧ୍ୟ ପରେଡରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ସ୍ୱାସ୍ଥ୍ୟ ସେବାର ପ୍ରତୀକ ସ୍ୱରୂପ ଆମ୍ବୁଲାନ୍ସ ଓ କୃଷି ବିଭାଗ ପକ୍ଷରୁ ପ୍ରଜ୍ଞାପନ ମେଢ ପରେଡରେ ପ୍ରଦର୍ଶନ କରାଯାଇଛି । ଏହା ସହ ଆଧ୍ୟାତ୍ମିକ ସଂଗଠନ ପକ୍ଷରୁ ଯୋଗର ଉପାଦେୟତା ପ୍ରଦର୍ଶନ ସ୍ୱରୂପ ପ୍ରଜ୍ଞାପନ ମେଢ ପରେଡରେ ସାମିଲ ହୋଇଛି । ପରେଡରେ ବିଭିନ୍ନ ପ୍ରକାର ବାଇକ୍ ଷ୍ଟଂଟ୍ ମଧ୍ୟ ପ୍ରଦର୍ଶିତ ହୋଇଛି ।

ସେହିପରି କଟକରେ ମଧ୍ୟ ପାଳିତ ହୋଇଛି ସାଧାରଣତନ୍ତ୍ର ଦିବସ । କଟକ ବାରବାଟୀ ଷ୍ଟାଡିୟମରେ ପତାକା ଉତ୍ତୋଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ମିଳିତ ପରେଡରେ ମଧ୍ୟ ମୁଖ୍ୟମନ୍ତ୍ରୀ ଅଭିବାଦନ ଗ୍ରହଣ କରିଛନ୍ତି । ଏହି ଅବସରରେ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ନିଜ ଅଭିଭାଷଣରେ ଏକ ହୋଇ ମାଁ ମାଟି ପାଇଁ କାମ କରିବାକୁ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ ।