ମନ୍ତ୍ରୀ ପଦରୁ ମହାରଥୀଙ୍କ ଇସ୍ତଫା ପରେ ତେଜିଲା ରାଜନୀତି । ପିପିଲି ଗଣଦୁଷ୍କର୍ମ ମାମଲାର ସିବିଆଇ ତଦନ୍ତ କରିବାକୁ ବିରୋଧୀଙ୍କ ଦାବି । 

କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଇସ୍ତଫା ପରେ ବି ସନ୍ତୁଷ୍ଟ ନାହାନ୍ତି ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର କହିଛନ୍ତି, କେବଳ ଇସ୍ତଫା ଦେଲେ କାମ ସରିଯିବନି ।

409
କନକ ବ୍ୟୁରୋ: କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଇସ୍ତଫା ପରେ ବି ସନ୍ତୁଷ୍ଟ ନାହାନ୍ତି ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର କହିଛନ୍ତି, କେବଳ ଇସ୍ତଫା ଦେଲେ କାମ ସରିଯିବନି । ଏହି ମାମଲାର ସଠିକ ତଦନ୍ତ ଏବଂ ପିପିଲି ପୀଡିତାଙ୍କୁ ନ୍ୟାୟ ଦେବା ପାଇଁ ସିବିଆଇକୁ ହସ୍ତାନ୍ତର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ୱାନ ଦେଇଛନ୍ତି ଧର୍ମେନ୍ଦ୍ର । କେବଳ ଏତିକି ନୁହେଁ ରାଜ୍ୟ ସରକାରଙ୍କ ଅଧିନରେ ପୋଲିସ ପ୍ରଶାସନ ପରିଚାଳନା ହେଉଛି, ଯେଉଁଥି ପାଇଁ ପୋଲିସ ଲୋକଙ୍କ ରକ୍ଷକ ହେବା ବଦଳରେ ଭକ୍ଷକ ସାଜିଛନ୍ତି ବୋଲି ବିଷୋଦଗାର କରିଛନ୍ତି କେନ୍ଦ୍ର ମନ୍ତ୍ରୀ । ତେଣୁ ପିପିଲି ଗଣଦୁଷ୍କର୍ମ ମାମଲାର ସିବିଆଇ ତଦନ୍ତ କରିବାକୁ ଦାବି କରିବା ସହ ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗରେ କ୍ଷମା ମାଗନ୍ତୁ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
ସେପଟେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ମଧ୍ୟ ମହାରଥୀଙ୍କ ଇସ୍ତଫା ପରେ ମୁହଁ ଖୋଲିଛନ୍ତି । ନରସିଂହ କହିଛନ୍ତି, କୃଷିମନ୍ତ୍ରୀ ପିପିଲି ଗଣଦୁଷ୍କର୍ମ ମାମଲାରେ ରାୟ ଆସିବା ପରେ ଯେଉଁ ମନ୍ତବ୍ୟ ଦେଇଥିଲେ ତାହା ଅତ୍ୟନ୍ତ ନିନ୍ଦନୀୟ ଏବଂ ବିବାଦିୟ ବକ୍ତବ୍ୟ ଥିଲା । ତେଣୁ ମହାରଥୀ ସ୍ୱଇଚ୍ଛାରେ ଇସ୍ତଫା ଦେଇ ନାହାନ୍ତି ବରଂ ଜନସାଧାରଣ କଠୋର ହେବାରୁ ସେ ଇସ୍ତଫା ଦେବାକୁ ବାଧ୍ୟ ହୋଇଛନ୍ତି ବୋଲି ନରସିଂହ କହିଛନ୍ତି  ।
ଗତ ଡିସେମ୍ବର ୨୪ ତାରିଖରେ ପିପିଲି ଗଣଦୁଷ୍କର୍ମ ମାମଲାରେ ରାୟ ଆସିବା ପରେ ମନ୍ତବ୍ୟ ଦେଇ ବିବାଦ ଘେରକୁ ଟାଣି ହୋଇ ଯାଇଥିଲେ ମହାରଥୀ । ଯାହାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଥିଲେ ବିରୋଧୀ । ଏବଂ ପ୍ରଦୀପ ମହାରଥୀଙ୍କ ଇସ୍ତଫା ଦାବି କରି ବିରୋଧୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କଂଗ୍ରେସ ଏବଂ ବିଜେପି ମହିଳା ମୋର୍ଚ୍ଚା ପ୍ରଦୀପ ମହାରଥୀଙ୍କ ଘର ସମ୍ନାରେ ଅଣ୍ଡା ଓ ଟମାଟୋ ମାଡ କରିବା ସହ ନବୀନ ନିବାସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଶେଷରେ ମହାରଥୀଙ୍କ ଉପରେ ଚାପ ପଡିବାରୁ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଛନ୍ତି ।