ଜଗା ମାମୁଁ ଘରୁ ଆସିଲା ଫଳଭାର : କାକଟପୁର ପ୍ରାଚୀ କ୍ଷେତ୍ର ବିଶ୍ୱାମିତ୍ର ଆଶ୍ରମରୁ ଆସିଲା ବିଭିନ୍ନ ଫଳମୂଳର ଭାର

36

କନକ ବ୍ୟୁରୋ : ଆଉ କିଛି ଦିନ ପରେ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ଏଥିପାଇଁ ପବିତ୍ର ଧାମ ପୁରୀ ଚଳଚଞ୍ଚଳ । ହେଲେ ଜଗତର ନାଥ ଜଗନ୍ନାଥ ଏବେ ଅସୁସ୍ଥ । ୧୦୮ଗରାରେ ଗାଧୋଇବା ପରେ ମହାପ୍ରଭୁ ଏବେ ଅସୁସ୍ଥ । ମାନବୀୟ ଲୀଳାରେ ଚାଲିଛି ଶ୍ରୀଜୀଉଙ୍କ ଚିକିତ୍ସା । ଅଣସରପିଣ୍ଡିରେ ଚାଲିଛି ଗୁପ୍ତନୀତି । ଏବେ ଜଗାଙ୍କ ମାମୁଁ ଘର କାକଟପୁରରୁ ଜଗା ପାଖଙ୍କୁ ଯାଇଛି ଫଳଭାର । କାକଟପୁର ବିଶ୍ୱାମିତ୍ର ଆଶ୍ରମରୁ ଜଗାଙ୍କ ଆରୋଗ୍ୟ କାମନା କରି ବିଭିନ୍ନ ପ୍ରକାର ଫଳମୂଳର ଭାର ଆସିଛି । ଅଣସର ଘରେ ଚିକିତ୍ସା ହେଉଥିବା ଶ୍ରୀଜୀଉଙ୍କୁ ଏହି ଫଳମୂଳର ଭାର ଲାଗି କରାଯିବାର ପରଂପରା ରହିଛି ।

 

Source:vina.cc

ସେପଟେ ଜୋରସୋରରେ ଚାଲିଛି ରଥନିର୍ମାଣର କାର୍ଯ୍ୟ । ରଥ ନିର୍ମାଣର ଶେଷ କାର୍ଯ୍ୟ ପ୍ରଭା ଖୋଦେଇ କାର୍ୟ୍ୟକୁ ମହାରଣା ସେବକ, ରୂପକାର ସେବକ ଓ ଭୋଇ ସେବକମାନେ ମିଳିତ ଭାବେ ଆଗେଇ ନେଇଛନ୍ତି । ରଥଯାତ୍ରା ପାଖେଇ ଆସୁଥିବା ବେଳେ ପ୍ରଭା ସଂଯୋଗ ପୂର୍ବରୁ ଏଥିରେ ନୃସିଂହ ମୂର୍ତି ଖୋଦେଇ କାମ ଆରମ୍ଭ ହୋଇଛି । ରୂପକାର ସେବକମାନେ ଏହି କାମକୁ ଶେଷ କରିବାରେ ତତ୍ପରତା ଦେଖାଇଛନ୍ତି । ପ୍ରଭାରେ ଖୋଦେଇ କାମ ଶେଷ ପରେ ମହାରଣା ସେବକ ଓ ଭୋଇ ସେବକମାନଙ୍କ ସହଯୋଗରେ ଏହାକୁ ତିନି ରଥରେ ସଂଯୋଗ କରାଯିବ ।ଏଣୁ ଏକାଧିକ ରୂପକାର ସେବକ ଏହି କାମରେ ନିୟୋଜିତ ଅଛନ୍ତି । ସେପଟେ ଦୁଆର ପାଣିଆ କାମ ଆଗେଇ ଚାଲିଛି । ଚିତ୍ରକର ସେବକମାନେ ଏହି କାର୍ୟ୍ୟକୁ ଶେଷ କରିବା ପାଇଁ ତତ୍ପରତା ଦେଖାଉଛନ୍ତି । ଇତି ଭିତରେ ପାର୍ଶ୍ୱ ଦେବାଦେବୀଙ୍କୁ ରଙ୍ଗ ଦେବା କାର୍ୟ୍ୟ ଶେଷ ପର୍ୟ୍ୟାୟରେ ପହଞ୍ଚିଛି। ଘୋଡ଼ାକୁ ବି ରଙ୍ଗ ଦିଆସରିଛି । ରଥରେ ମଧ୍ୟ ରଙ୍ଗ ଦିଆ କାମ ଆଗେଇ ଚାଲିଛି । କୋଣଗୁଜରେ ନିର୍ମିତ ନୃସିଂହ ମୂର୍ତି ଓ ପଟାଗୁଜରେ ରଙ୍ଗ ଦିଆ କାମ ଆଗେଇ ଚାଲିଛି । କମାର ସେବକମାନେ ପ୍ରଭା ଓ ଅନ୍ୟାନ୍ୟ କାମ ପାଇଁ ଆବଶ୍ୟକ କଣ୍ଟା ପ୍ରସ୍ତୁତ କରୁଛନ୍ତି ।