ଆରମ୍ଭ ହେଲା ଘୋଷଯାତ୍ରା ପ୍ରସ୍ତୁତି । ପରମ୍ପରା ଅନୁସାରେ ମାଘମାସରେ ରଥ ନିର୍ମାଣ ପାଇଁ ପ୍ରଥମେ ପୁରୀରେ ପହଞ୍ଚିଥାଏ ରଥକାଠ

ଆରମ୍ଭ ହେଲା ଘୋଷଯାତ୍ରା ପ୍ରସ୍ତୁତି

106

କନକ ବ୍ୟୁରୋ : ଦଶପଲ୍ଲାର ଆରାଧ୍ୟ ଦେବ ପ୍ରଭୂ ମହାବୀରଙ୍କ ନିକଟରେ ପୂଜାର୍ଚ୍ଚନା ପରେ ଆଜି ଶ୍ରୀକ୍ଷେତ୍ର ଅଭିମୁଖେ ବାହାରିବ ଚଳିତ ବର୍ଷର ପ୍ରଥମ ରଥକାଠ। ଏ ନେଇ ଦଶପଲ୍ଲା ବନାଂଚଳ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଗତକାଲି ସଂଧ୍ୟାରେ ୩ଗୋଟି ଟ୍ରକ୍ ଯୋଗେ ଚଢେୟାପଲ୍ଲୀ ଓ ବାଣିଗୋଛା ସେକ୍ସନରୁ ମୋଟ ୯୦ ଖଣ୍ତ ଅସନ ଓ ଧଉରା କାଠ ବୋଝେଇ ହୋଇ ଦଶପଲ୍ଲାରେ ପହଞ୍ଚିଛି। ସେଥିମଧ୍ୟରୁ ୨୦ ଓ ୧୨ ଫୁଟର ୫୭ ଖଣ୍ତ ଅସନ ଓ ଧଉରା ୨ଗୋଟି ଟ୍ରକ୍ ଯୋଗେ ରଥଖଳାକୁ ପଠାଯିବା ପାଇଁ ରହିଥିବା ବେଳେ ୧୨ ଫୁଟର ୩୩ ଖଣ୍ତ ଧଉରା କଟକସ୍ଥିତ ସ-ମିଲ୍କୁ ପଠାଯିବା ପାଇଁ ସ୍ଥିର ହୋଇଥିବା ବନାଞ୍ଚଳ ଅଧିକାରୀ ସୋମନାଥ ନାୟକ ସୂଚନା ଦେଇଛନ୍ତି।

ତେବେ ପ୍ରତ୍ୟେକ ଥର ରଥଯାତ୍ରା ପାଇଁ ଦଶପଲ୍ଲା ବନ୍ୟାଞ୍ଚଳରୁ ହିଁ କାଠ ଯାଇଥାଏ । ପରମ୍ପରା ଅନୁସାରେ ମାଘମାସରେ ହିଁ ଘୋଷଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥାଏ । ତେଣୁ ସବୁଥର ପରି ଚଳିତ ଥର ମଧ୍ୟ ମାଘମାସରେ ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହେବ । ମିଳିଥିବା ସୂଚନା ଅନୁସାରେ ପୁରୀରେ ପ୍ରତ୍ୟେକ ବର୍ଷ ନୂତନ ରଥ ନିର୍ମାଣ କରାଯାଇଥାଏ । ତେଣୁ ସମ୍ପୂର୍ଣ୍ଣ ରଥ କାମ ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହେଉଥିଲେ ମଧ୍ୟ କାଠ ଚିରା ଆଦି କାମ ମାଘ ମାସଠାରୁ ହିଁ ଆରମ୍ଭ ହୋଇଥାଏ ।