କୁନିଝିଅକୁ ବି ଛାଡିଲେନି : ଇଂରାଜୀ ମିଡିୟମ ସ୍କୁଲରେ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ

22

କନକ ବ୍ୟୁରୋ : ରାଜଧାନୀର ଇଂରାଜୀ ମିଡିୟମ ସ୍କୁଲରେ ଛାତ୍ରୀ ଦୁଷ୍କର୍ମ ଉଦ୍ୟମ ନେଇ ଚାଂଚଲ୍ୟ। ରାଜଧାନୀ ଉପକଣ୍ଠ ଗଙ୍ଗପଡାରେ ଥିବା ସେଂଟ୍ ଜାଭିୟର ସ୍କୁଲରେ ଘଟିଛି ଏହି ଜଘଣ୍ୟ ଘଟଣା। ସ୍କୁଲର ବାଥରୁମରେ ଜଣେ କେଜି ଟୁରେ ପଢୁଥିବା ସାଢେ ୪ ବର୍ଷର ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଛି ସ୍କୁଲର ଡ୍ରାଇଭର। ଛାତ୍ରୀ ଜଣକ ଅଭିଯୋଗ ପରେ, ଘଟଣାର ସରଜମିନ ତଦନ୍ତ ଆରମ୍ଭ କରିଥିଲା ମହିଳାଥାନା ପୁଲିସ। ହେଲେ ଘଟଣାକୁ ଚାପି ଦେବା ପାଇଁ ଉଦ୍ୟମ କରୁଥିଲେ ସ୍କୁଲ କତୃପକ୍ଷ। 

ସେପଟେ ସତ ଜାଣିବା ପାଇଁ ସେଂଟ ଜାଭିୟର ସ୍କୁଲରେ ପହଂଚି ଥିଲା ମହିଳା ଥାନା ପୁଲିସ ଟିମ୍। ସ୍କୁଲର ପ୍ରିନସିପାଲଙ୍କ ଠାରୁ ଆରମ୍ଭ କରି ସ୍କୁଲ କର୍ମଚାରୀଙ୍କୁ ପଚରା ଉଚରା ବେଳେ, ପଦାକୁ ଆସିଥିଲା ପ୍ରକୃତ ସତ୍ୟ। ଦୁଷ୍କର୍ମ ଉଦ୍ୟମର ସତ୍ୟ। ଶିଶୁ ଜଣକ ଚିହ୍ନଟ କରିଥିଲା ଦୁଷ୍କର୍ମ ଉଦ୍ୟମ କାରୀ ଡ୍ରାଇଭର ଓ ବାଥରୁମର ସ୍ପଟକୁ। ଆଉ ତାପରେ ଗିରଫ ହୋଇଥିଲା ଦୁଷ୍କର୍ମ ଉଦ୍ୟମକାରୀ ଡ୍ରାଇଭର।

ଏଠାରେ ପ୍ରଶ୍ନ ଉଠୁଛି ଯେଉଁ ସ୍କୁଲର ବାଥ୍ ରୁମରେ ଜଗି ରହିଛି ଦେହ ଲୋଭୀ ରାକ୍ଷାସ, ସେଠାରେ କେତେ ସୁରକ୍ଷିତ ଛାତ୍ରୀ। ଯଦି ସ୍କୁଲରେ ଛାତ୍ରୀ ଜଣକ ସୁରକ୍ଷିତ ନୁହେଁ ତାହାଲେ କେଉଠି ରହିବ ସୁରକ୍ଷିତ। କିଛି ଏଭଳି ବ୍ୟକ୍ତି ପବିତ୍ର ଶିକ୍ଷାନୁଷ୍ଠାନରେ ରହି ଏହାକୁ ଅପବିତ୍ର କରୁଛନ୍ତି। ତେବେ ଏହି ଇଂରାଜୀ ମିଡିୟମ ସ୍କୁଲ ସରକାରଙ୍କ ସମସ୍ତ ଗାଇଡଲାଇନକୁ ପାଳନ କରିଥିଲା କି ନାହିଁ ଏହାର ତଦନ୍ତ କରାଯିବ।

ଏହି ଘଟଣାରେ ଅଭିଯୁକ୍ତ ଡ୍ରାଇଭର ବିଜୟ ମହାରଣାକୁ ଗିରଫ କରି କୋର୍ଟ ଚାଲଣ କରାଯାଇଥିବା ବେଳେ, ଅନ୍ୟ ଜଣକୁ ଅଟକ ରଖି ପଚରା ଉଚରା କରୁଛି।