ବାବା ରାମପାଲଙ୍କୁ ଆଜୀବନ କାରାଦଣ୍ଡ : ହତ୍ୟା ଓ ବନ୍ଦୀ କରିବା ମାମଲାରେ ହିସାର କୋର୍ଟର ଗୁରୁ୍ତ୍ୱପୂର୍ଣ୍ଣ ରାୟ, ମୃତ୍ୟୁ ଯାଏଁ ଜେଲରେ ରହିବେ ବାବା

51

କନକ ବ୍ୟୁରୋ : ବାବା ପାଇଲେ ସଜା । ଏଣିକି ମୃତ୍ୟୁଯାଏଁ ଆଜୀବନ ଜେଲରେ ରହିବେ ବାବା ରାମପାଲ । ହତ୍ୟା ଓ ବନ୍ଦୀ କରି ରଖିବା ମାମଲାରେ ରାମପାଲଙ୍କୁ ଆଜୀବନ କାରାଦଣ୍ଡ ଦେଇଛନ୍ତି କୋର୍ଟ । ୪ ଜଣ ମହିଳାଙ୍କୁ ହତ୍ୟା ଓ ଜଣେ ନାବାଳକକୁ ବନ୍ଦୀ କରି ହତ୍ୟା କରିବା ମାମଲାରେ ହରିଆଣାର ହିସାର କୋର୍ଟ ରାମପାଲଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଏହାସହ ୧ ଲକ୍ଷ ଟଙ୍କା ଜୋରିମାନା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୨୦୧୪ ମସିହାରେ ରାମପାଲଙ୍କ ହିସାର ଆଶ୍ରମରେ ଏହି ଘଟଣା ଘଟଥିଲା ।

ହିସାରରେ ରହିଛି ରାମପାଲଙ୍କ ସତଲୋକ ଆଶ୍ରମ । କେଶ ନମ୍ବର ୪୨୯ରେ ରାମପାଲ ଦୋଷୀସାବ୍ୟସ୍ତ ହୋଇଛନ୍ତି । ୨୦୧୪ରେ ସତଲୋକ ଆଶ୍ରମରେ ରାମପାଲଙ୍କ ସମର୍ଥକ ଓ ପୋଲିସ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହି ସମୟରେ ୫ ମହିଳା ଓ ଜଣେ ନାବାଳକର ମୃତ୍ୟୁ ହୋଇଥିଲା । ଏହା ପରେ ରାମପାଲଙ୍କ ନାଁରେ ହତ୍ୟା ମାମଲା ରୁଜୁ ହୋଇଥିଲା । ରାମପାଲଙ୍କ ସହ ଅନ୍ୟ ୧୫ ଜଣ ବି ଦୋଷୀସାବ୍ୟସ୍ତ ହୋଇଛନ୍ତିା ସେପଟେ ଅନ୍ୟ ଏକ ମାମାଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ରାମପାଲ ଓ ଅନ୍ୟ ୧୪ ଜଣଙ୍କ ଦଣ୍ଡବିଧାନ ଆସନ୍ତାକାଲି ହେବ ।