ନେତାଙ୍କୁ ଆଶା ଦେଖାଇଲେ ନବୀନ ! କହିଲେ, ରାଜ୍ୟସଭା ଯିବେ ରାଜନୈତିକ ନେତା, ଆସନ ୩, ଆଶାୟୀ ଅନେକ

37

କନକ ବ୍ୟୁରୋ : କିଏ ଯିବେ ରାଜ୍ୟସଭା ? ଖାଲି ପଡୁଥିବା ତିନୋଟି ଆସନ ବିଜେଡି ଦଖଲକୁ ଯିବା ସ୍ପଷ୍ଟ ଥିବା ବେଳେ ପ୍ରାର୍ଥୀ କିଏ ହେବେ ତାକୁ ନେଇ ଉଷ୍ମତା ଧୀରେ ଧୀରେ ବଢୁଛି । ଆଉ ଦିଲ୍ଲୀରୁ ମୁଖ୍ୟମନ୍ତ୍ରୀ କହିଛନ୍ତି-ଖୁବ କମ ଦିନ ଭିତରେ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରାଯିବ । ଆହୁରି କହିଛନ୍ତି-ରାଜନୈତିକ ପୃଷ୍ଠଭୂମି ଥିବା ୩ ଜଣଙ୍କୁ ରାଜ୍ୟସଭା ପଠାଯିବ । ନବୀନଙ୍କ ଏହି ବୟାନ ପରେ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ, ରାଜ୍ୟସଭାକୁ ଅଣରାଜନୈତିକ ବ୍ୟକ୍ତି ଯିବେ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ପୂର୍ଣ୍ଣଛେଦ ପଡିଛି । କିନ୍ତୁ ଦିଲ୍ଲୀପ ତିର୍କୀ, ଅନଙ୍ଗ ଉଦୟ ସିଂହଦେଓ ଏବଂ ଏଭି ସ୍ୱାମୀଙ୍କ ସ୍ଥାନରେ ନବୀନ କାହାକୁ ପଠାଇବେ ଦିଲ୍ଲୀ ଦରବାର, ତାକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି ।

ସଂଖ୍ୟା ଦୃଷ୍ଟିରୁ ତିନୋଟି ଯାକ ଆସନରେ ବିଜେଡି ବାଜିମାତ୍ କରିବ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେଉଁମାନଙ୍କର କାର୍ଯ୍ୟକାଳ ସରୁଛି ସେମାନଙ୍କ ଭିତରେ ଅଛନ୍ତି ରାଜନେତା, କ୍ରୀଡାବିତ୍ ଓ ସମାଜସେବୀ । ଏପରିକି ପଶ୍ଚିମ ଓଡିଶାର ପଲ୍ଲା ଭାରି ରହିଛି । ତେଣୁ ରାଜନୈତିକ ପୃଷ୍ଠଭୂମି ଥିବା କେଉଁ ୩ଜଣଙ୍କୁ ରାଜ୍ୟସଭା ପଠାଇବେ ନବୀନ । ତାକୁ ନେଇ ଚର୍ଚ୍ଚା ଜୋର ହେବାରେ ଲାଗିଛି ।

ସୂଚନାଯୋଗ୍ୟ, ଶେଷ ହେବାକୁ ଥିବା ୧୬ଟି ରାଜ୍ୟର ୫୮ଟି ରାଜ୍ୟସଭା ଆସନ ପାଇଁ ମାର୍ଚ୍ଚ ୨୩ରେ ନିର୍ବାଚନ ହେବ। ଏଥିରେ ଓଡ଼ିଶାର ୩ଟି ରାଜ୍ୟସଭା ଆସନ ରହିଛି। ନିର୍ବାଚନ କମିସନଙ୍କ ଘୋଷଣା ମୁତାବକ ନିର୍ବାଚନ ପାଇଁ ମାର୍ଚ୍ଚ ୫ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ ଏବଂ ମାର୍ଚ୍ଚ ୧୨ ହେଉଛି ନାମାଙ୍କନ ଦାଖଲର ଶେଷ ତାରିଖ। ମାର୍ଚ୍ଚ ୧୩ ତାରିଖରେ ନାମାଙ୍କନପତ୍ର ଗୁଡ଼ିକର ଯାଞ୍ଚ କରାଯିବ ଏବଂ ୧୫ ତାରିଖ ସୁଦ୍ଧା ନାମାଙ୍କନପତ୍ର ପତ୍ୟାହାର କରାଯାଇ ପାରିବ ବୋଲି ନିର୍ବାଚନ କମିସନ ସ୍ପଷ୍ଟ କରିଛନ୍ତି।

ମାର୍ଚ୍ଚ ୨୩ ତାରିଖରେ ମତଦାନ ହୋଇ ସେହିଦିନ ହିଁ ଭୋଟ ଗଣତି ହେବ। ଓଡ଼ିଶାର ରାଜ୍ୟସଭା ସଦସ୍ୟ ଅନଙ୍ଗ ଉଦୟ ସିଂ ଦେଓ, ଦିଲ୍ଲୀପ ତୀର୍କି ଓ ଏ.ଭି.ସ୍ୱାମୀଙ୍କ କାର୍ୟ୍ୟକାଳ ଏପ୍ରିଲ ୩ ତାରିଖରେ ଶେଷ ହେବ। ଅପରପକ୍ଷେ ବିହାରରୁ ପ୍ରତିନିଧିତ୍ୱ କରୁଥିବା କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର କାର୍ୟ୍ୟକାଳ ମଧ୍ୟ ଏପ୍ରିଲ ୨ ତାରିଖରେ ଶେଷ ହେବ। ଏହି ୫୮ଟି ଆସନ ମଧ୍ୟରୁ ୧୦ଟି ଆସନ ଉତ୍ତରପ୍ରଦେଶର ବୋଲି ଜଣାପଡ଼ିଛି। ସେହିଭଳି ମହାରାଷ୍ଟ୍ର ଓ ବିହାରର ୬ଟି ଲେଖାଏଁ, ମଧ୍ୟପ୍ରଦେଶ ଓ ପଶ୍ଚିମବଙ୍ଗର ୫ଟି ଲେଖାଏଁ, ଗୁଜରାଟ ଓ କର୍ଣ୍ଣାଟକର ୪ଟି ଲେଖାଏଁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଓଡ଼ିଶା ଓ ରାଜସ୍ଥାନର ୩ଟି ଲେଖାଏଁ, ଝାଡ଼ଖଣ୍ଡର ୨ଟି, ଛତିଶଗଡ଼, ହରିୟାଣା, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡର ଗୋଟିଏ ଲେଖାଏଁ ଆସନ ପାଇଁ ନିର୍ବାଚନ ହେବ।