ରାଜ୍ୟସଭା ରେସ୍ : ସରଗରମ ହେବ ଶାସକ ବିଜେଡିର ଆଭ୍ୟନ୍ତରୀଣ ରାଜନୀତି

26

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ଆଜିଠାରୁ ବେଶ ସରଗରମ ହେବ ଶାସକ ବିଜେଡିର ଆଭ୍ୟନ୍ତରୀଣ ରାଜନୀତି । ରାଜ୍ୟସଭା ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇବା ପରେ କିଏ ଯିବ ରାଜ୍ୟସଭା, କାହା ମୁଣ୍ଡରେ ପୁଣି ସିରପା ବାନ୍ଧିବେ ନବୀନ । ଏନେଇ ଚାଲିଥିବା ଆଲୋଚନା ଅଧିକ ଜୋର ଧରିବ । ରାଜ୍ୟର ୩ଟି ଆସନ ପାଇଁ ନିର୍ବାଚନ ହେବ । ପ୍ୟାରୀମୋହନ ମହାପାତ୍ର, ବୈଷ୍ଣବ ପରିଡା ଓ ଭୂପିନ୍ଦର ସିଂହଙ୍କର କାର୍ଯ୍ୟକାଳ ଶେଷ ହେଉଛି । ତେବେ ଦିଲ୍ଲୀ ଗସ୍ତରୁ ଆଜି ନବୀନ ଫେରିବା ପରେ ରାଜ୍ୟସଭା ଟିକେଟ ନେଇ ବରିଷ୍ଠ ନେତାଙ୍କ ସହ ଆଲୋଚନା କରି ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ବୈଷ୍ଣବ ପରିଡା ବ୍ୟକ୍ତିଗତ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପୁଣି ଥରେ ରାଜ୍ୟସଭା ଯିବାକୁ ନିଜର ଆଗ୍ରହ ପ୍ରକାଶ କରିଛନ୍ତି । ଅନ୍ୟପଟେ ରାଜ୍ୟସଭାରେ ଲମ୍ବା ସମୟ ମିଳିବା ଆବଶ୍ୟକ ଦର୍ଶାଇ ପୁଣି ଥରେ ଗୋଟିଏ ଆସନରେ ପାର୍ଲିଆମେଂଟ ଯିବାକୁ ଚାହିଁ ବସିଛନ୍ତି ଭୂପିନ୍ଦର ସିଂହ । ସେପଟେ ରାଜ୍ୟସଭା ରେସ ତାଲିକା ଦଳ ଭିତରେ ବଢି ବଢି ଚାଲିଛି । ଏଥିରେ ଦଳର ମୁଖପାତ୍ର ପ୍ରତାପ ଦେବ, ଯୋଜନା ବୋର୍ଡ ଉପାଧ୍ୟକ୍ଷ ଏନ.ଭାସ୍କର ରାଓ ଆଦି ଥିବା ନେଇ ଚର୍ଚ୍ଚା ଜୋର ଧରିଛି ।