ଆଜି ଦ୍ୱିତୀୟ ରଜ ବା ରଜ ସଂକ୍ରାନ୍ତି : ରାଜ୍ୟବ୍ୟାପୀ ପୋଡ଼ପିଠା, ଦୋଳିଗୀତର ମାହୋଲ

236

କନକ ବ୍ୟୁରୋ : ଆଜି ପବିତ୍ର ରଜ ସଂକ୍ରାନ୍ତି । ତିନି ଦିନ ଧରି ରାଜ୍ୟର ପୁରପଲ୍ଲୀରେ ପାଳିତ ହେଉଥିବା ଏହି ଗଣ ପର୍ବର ଆଜି ଦ୍ୱିତୀୟ ଦିନ । ରଜକୁ ନେଇ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ । ବନ୍ଧୁବାନ୍ଧବରେ ଘରଦ୍ୱାର ପୁରି ଉଠିଛି । ଘରେ ଘରେ ଏବେ ପୋଡ ପିଠାର ମହକ । ପୋଡ ପିଠା, ନଡିଆ କୋରାଠୁ ଆରମ୍ଭ କରି ଜନ୍ତା ପିଠାର ମହକରେ ଫାଟି ପଡୁଛି ଗାଁ ଦାଣ୍ଡ । ରଜ ପାଳିବାକୁ ହାତରେ ମେହେନ୍ଦି, ଗୋଡରେ ଅଳତା ସହ ମୁଣ୍ଡରେ କୁଙ୍କୁମ ଲଗାଇ ସଜେଇ ହେଉଛନ୍ତି ଯୁବତୀ ।

ରଜକୁ ନେଇ ପିଲାଠୁ ବୁଢା ଯାଏଁ ସମସ୍ତେ ଲାଗିପଡିଛନ୍ତି । ରଜ ଦୋଳି ଖେଳ ବିନା ରଜ ଅଧୁରା । ବିଭିନ୍ନ ଦୋଳି ଖେଳରେ ଏବେ ସମସ୍ତେ ମସଗୁଲ । କେବଳ ସେତିକି ନୁହେଁ ଲୁଡୁ ସହ ତାସ୍ ଖେଳ ବି ଜମିଲାଣି । ହେଲେ ଏସବୁ ଭିତରେ ସବୁଠୁ ବେଶି ଚାହିଦାର ଜିନିଷ ହେଉଛି ରଜପାନ । କଥାରେ ଅଛି ରଜ ପାନ ବିନା ରଜର ମଜା ଫିକା । ଆଧୁନିକତାର ସ୍ପର୍ଶରେ ଏବେ ବି ଗାଁ ଗହଳିର ଲୋକମାନେ ରଜ ପର୍ବକୁ ଧୁମଧାମ୍ ପାଳନ କରିଥାନ୍ତି । ପାଗ ଭଲଥିବାରୁ ରଜକୁ ଉପଭୋଗ କରୁଛନ୍ତି ଲୋକେ ।  ଗାଁ ଗହଳିରେ ପୁଚି ଓ ଦୋଳିଖେଳରେ ସମସ୍ତେ ମାତିଛନ୍ତି ।  ବିଭିନ୍ନ ସାଂସ୍କୃତିକ ଓ ସାମାଜିକ ସଙ୍ଗଠନ ପକ୍ଷରୁ ବି ରଜ ପାଳନ କରାଯାଇଛି ।

ଏହି ପର୍ବ ପାଳନ ବେଳରେ ଘରର ଘରଣୀମାନେ ସାଧାରଣ କାମରୁ ଛୁଟି ନେଇ ନାନାଦି ଖେଳରେ ମାତନ୍ତି । ଅଭିଆଡ଼ି ଝିଅମାନେ ଶାଢ଼ୀ ଆଦି ପିନ୍ଧି ରଜ ଦୋଳି ଖେଳ, ପୁଚି ଖେଳ ଆଦିରେ ସମୟ ଅତିବାହିତ କରିଥାନ୍ତି । ଏହି ଦିନ ଧରିତ୍ରୀ ମାଆକୁ ସମ୍ମାନ ଦେଇ କେହି ଭୂଇଁ ଉପରେ ଖାଲି ପାଦରେ ଚାଲିନଥାନ୍ତି ।  ପତ୍ର/ଖୋଳପାରେ ତିଆରି କଠଉରେ ଭୂଇଁ ଉପରେ ଚାଲିବାର ବିଧି ରହିଛି ।