ପୁଣି ସକାଳୁ ସକାଳୁ ରାଜଧାନୀରେ ପ୍ରବଳ ବର୍ଷା

36

କନକ ବ୍ୟୁରୋ: ରାଜଧାନୀରେ ପ୍ରବଳ ବର୍ଷା । ଗତକାଲି ସାଢେ ତିନି ଘଂଟାର ବର୍ଷାରେ ବେହାଲ ହୋଇଛି ଭୁବନେଶ୍ୱର । ରାତି ସାଢେ ୮ଟା ସୁଦ୍ଧା ୩୧ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଅପରାହ୍ନ ୪ଟାରୁ ସାଢେ ୭ଟା ଯାଏଁ ଘଡଘଡି ସହ ପ୍ରବଳ ବର୍ଷା ଲାଗିରହିଥିଲା । ଧୀରେ ଧୀରେ ବର୍ଷ ବଢିଥିବା ଯୋଗୁଁ ରାଜଧାନୀବାସୀ ନାକେଦମ ହୋଇଯାଇଥିଲେ । ଅଫିସ ଓ ସ୍କୁଲ କଲେଜ ଛୁଟି ହେବା ସମୟରେ ପ୍ରବଳ ବର୍ଷା ହୋଇଥିବାରୁ ଘରକୁ ଫେରୁଥିବା ଲୋକେ ନାହିଁ ନଥିବା ହଇରାଣ ହୋଇଥିଲେ । ତେବେ ଆଜି ସକାଳୁ ସକାଳୁ ପୁଣି ରାଜଧାନୀରେ ପ୍ରବଳ ବର୍ଷା ହୋଇଛି ।

ସୂଚନା ମୁତାବକ, ରାଜଧାନୀବାସୀ ଭୋଗିଛନ୍ତି ପ୍ରବଳ ବର୍ଷାର ଯନ୍ତ୍ରଣା । ଗତକାଲି ଅପରାହ୍ନରୁ ଆରମ୍ଭ ହୋଇ ରାତି ଯାଏଁ ହୋଇଥିବା ପ୍ରବଳ ବର୍ଷାରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏହା ରାଜଧାନୀର ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇ ଦେିଛି । ତେବେ ରାତି ସାଢ଼େ ୮ଟା ସୁଦ୍ଧା ରାଜଧାନୀରେ ୩୧ ମି.ମି ବର୍ଷା ରେକର୍ଡ କରାଯାଇଛି ।

ଆସନ୍ତା ୫ତାରିଖ ପର୍ଯ୍ୟନ୍ତ ବର୍ଷା କମ୍ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ ଲଗାଇଥିଲା । ମାତ୍ର ଏହି ଅନୁମାନକୁ ଭୁଲ୍ ପ୍ରମାଣିତ କରି ଗତକାଲିଠାରୁ ରାଜଧାନୀରେ ପ୍ରବଳ ବର୍ଷା ଲାଗିରହିଛି । ଗତକାଲି ଅପରାହ୍ନ ପ୍ରାୟ ୪ଟା ବେଳକୁ ରାଜଧାନୀ ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଆସି ଚତୁର୍ଦିଗ ଅନ୍ଧକାର ହୋଇଯାଇଥିଲା । ଏହାପରେ ବିଜୁଳି ଘଡ଼ଘଡ଼ି ସହ ଆରମ୍ଭ ହୋଇ ଯାଇଥିଲା ବର୍ଷା। ଧୀରେ ଧୀରେ ବର୍ଷାର ପ୍ରକୋପ ବଢ଼ିବା ସାଙ୍ଗକୁ ଦୀର୍ଘ ସାଢ଼େ ୩ଘଣ୍ଟା ପର୍ଯ୍ୟନ୍ତ ଏମିତି ଛେଚିଥିଲା ଯେ ରାଜଧାନୀବାସୀ ନାକେଦମ ହୋଇ ଯାଇଥିଲେ । ଯିଏ ଯେଉଁଠି ଥିଲେ ଅଟକି ଯାଇଥିଲେ । ଆଉ ଯେଉଁମାନେ ଗାଡ଼ି ମଟରରେ ଫେରୁଥିଲେ ସେମାନେ ବିଭିନ୍ନ ରାସ୍ତାରେ ପାଣି ଜମି ଯିବାରୁ ଟ୍ରାଫିକ୍ ଜାମରେ ଫସି ଯାଇଥିଲେ । ଅଫିସ ଓ ସ୍କୁଲ କଲେଜ ଛୁଟି ସମୟରେ ବର୍ଷା ହେବାରୁ ବିଭିନ୍ନ ଅଫିସର କର୍ମଚାରୀ, ଶିକ୍ଷକ ଓ ଛାତ୍ରଛାତ୍ରୀ ସବୁଠାରୁ ଅଧିକ ହଇରାଣ ହୋଇଥିଲେ ।

ଅନ୍ୟପଟେ, ପ୍ରବଳ ବର୍ଷା କାରଣରୁ ରାଜଧାନୀ ରାଜରାସ୍ତାରେ କୃତ୍ରିମ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ବିଶେଷ କରି ଇସ୍କନ୍ ମନ୍ଦିର ସମ୍ମୁଖ, ରସୁଲଗଡ଼, ବମିଖାଲ, ଆଚାର୍ଯ୍ୟ ବିହାର, ଜୟଦେବବିହାର, ପୁରୁଣା ଭୁବନେଶ୍ୱର ଓ ଚନ୍ଦ୍ରଶେଖରପୁର ଅଞ୍ଚଳରେ ବର୍ଷାର ପ୍ରଭାବ ଅଧିକ ପରିଲକ୍ଷିତ ହୋଇଥିଲା । ଇସ୍କନ୍ ସମ୍ମୁଖ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଥିବା ବେଳେ ଅନେକ ଗାଡ଼ି ଏଥିରେ ଫସି ରହିଥିଲା । ଏହି ରାସ୍ତାରେ ଯାଉଥିବା ବାଇକ୍ ଓ କାର୍ ସବୁ ଅଧାଅଧି ବୁଡ଼ି ଯାଇଥିଲା । ଦୀର୍ଘ ସମୟ ଧରି ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ଏକପ୍ରକାର ବନ୍ଦ ହୋଇଯାଇଥିଲା ।

ସେହିପରି ଆଚାର୍ଯ୍ୟ ବିହାର ଓ ନୂଆପଲ୍ଲୀ ଅଞ୍ଚଳରେ ରହୁଥିବା ଲୋକଙ୍କ ଘରେ ନାଳ ଉଛୁଳି ବର୍ଷା ପଶି ଯାଇଥିଲା । ରାସ୍ତାରେ ଅଣ୍ଟାଏ ଉଚ୍ଚତାର ପାଣି ଚାଲିବା ଯୋଗୁଁ ଲୋକମାନେ ଘରୁ ବାହାରି ପାରି ନ ଥିଲେ । ଘର ଭିତରେ ପାଣି ପଶିଯିବାରୁ ଲୋକେ ଖୁବ୍ କଲବଲ ହୋଇଥିଲେ । ଆଚାର୍ଯ୍ୟ ବିହାର ମୁଖ୍ୟ ରାସ୍ତାରେ ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହାସହ ରସୁଲଗଡ଼ -ବମିଖାଲ ରାସ୍ତାରେ ଆଣ୍ଠୁଏ ପାଣି ଜମି ରହିଥିବାରୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ରାତି ସାଢ଼େ ୮ଟା ପରେ ବର୍ଷାର ପ୍ରକୋପ ଧୀରେ ଧୀରେ କମି ଯାଇଥିଲା ।

ତେବେ ସାମାନ୍ୟ ବର୍ଷା ହେଲେ ରାଜଧାନୀ ଉପକଣ୍ଠ ଅଞ୍ଚଳରେ ପାଣି ଜମି ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି । ପୁରୁଣା ଭୁବନେଶ୍ୱରରୁ ନେଇ ଭୀମଟାଙ୍ଗି, ସାମନ୍ତରାପୁର, ନୂଆଗାଁ ଓ ସୁନ୍ଦରପଦା ନିକଟ ତଳିଆ ଅଞ୍ଚଳ ପର୍ଯ୍ୟନ୍ତ ସବୁଠି ପାଣି ନିଷ୍କାସନ ସମସ୍ୟା ଯୋଗୁଁ ଦିନ ଦିନ ଧରି ରାସ୍ତାଘାଟ ପାଣିରେ ବୁଡ଼ି ରହୁଛି । ଜଳ ନିଷ୍କାସନ ପାଇଁ ବିଏମସି ଠିକଣା ପଦକ୍ଷେପ ନେଉ ନ ଥିବା ଯୋଗୁଁ ଏବେ ରାଜଧାନୀ ଉପକଣ୍ଠବାସୀ ତ୍ରାହି ତ୍ରାହି ଡାକୁଛନ୍ତି ।

ଗତକାଲିଠାରୁ ଲାଗିରହିଥିବା ବର୍ଷା କାରଣରୁ ରାଜଧାନୀରେ ଏହିସବୁ ଅଞ୍ଚଳରେ ନାହିଁ ନ ଥିବା ପରିସ୍ଥିତି ସୃଷ୍ଟି ହୋଇଛି । ବିଭିନ୍ନ ଗଳି କନ୍ଦିରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଛି । ଗତକାଲି ବର୍ଷା କାରଣରୁ ରଥଦାଣ୍ଡ, ଲୁଇସ୍ ରୋଡ଼ରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିବା ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଖାଲି ସେତିକି ନୁହେଁ ଭୀମଟାଙ୍ଗି ତଳ ଫେଜରେ ବହୁ ଲୋକଙ୍କ ଘରେ ପାଣି ପଶିଥିଲା । ସେହିପରି ଗ୍ୟାରେଜ୍ ଛକ କେନାଲ ରୋଡରେ ରହୁଥିବା ୧୦ରୁ ଅଧିକ ଲୋକଙ୍କ ଘରେ ବି ପାଣି ପଶିଥିଲା ।

ବର୍ଷା ଜଳ ଜମି ରହିବାରୁ ୬୭ନଂ ୱାର୍ଡ ଅନ୍ତର୍ଗତ ସୁନ୍ଦରପଦା ଜଟଣୀ ରାସ୍ତା ନିକଟରେ ଦକ୍ଷିଣ ପାର୍ଶ୍ୱରେ ୨୦ରୁ ଅଧିକ ଗାଁ ଓ ବିଭିନ୍ନ ଆପାର୍ଟମେଣ୍ଟ ପାଣି ଘେରରେ ରହିଛି । ବିଏମସି କର୍ମଚାରୀ ମାସେ ପୂର୍ବରୁ ବୁଲି ଆସିଥିଲେ ମଧ୍ୟ କିଛି ପଦକ୍ଷେପ ନେଇ ନାହାନ୍ତି । ସେହିପରି ୱାର୍ଡ ନଂ ୫୯ ନୂଆଗାଁ ଛକଠାରୁ ଯାଇଥିବା ଏହି ରାସ୍ତାରେ ଇଟିପୁର ପଞ୍ଚାୟତ ଓ ଜଟଣୀକୁ ପ୍ରତିଦିନ ଶହ ଶହ ଲୋକ ଯିବା ଆସିବା କରିଥାନ୍ତି । ଏହି ରାସ୍ତା ମରାମତି ହେବା ସହ ଡ୍ରେନ୍ ମଧ୍ୟ ତିଆରି ହୋଇଛି । ହେଲେ ଡ୍ରେନରେ ନ ଯାଇ ବର୍ଷା ପାଣି ବାଟରେ ଜମି ରହିଛି ।