ସ୍ୱର୍ଗଦ୍ୱାରର ହେବ ନବକଳେବର। ପ୍ରସ୍ତୁତ ହେଲା ବ୍ଲୁ-ପ୍ରିଂଟ, ଶବଦାହ ପାଇଁ ୪୨ ପିଣ୍ଡି ନିର୍ମାଣ ସହ ଚାରିପଟେ ବୁଲିବ ପାଚେରୀ

114

କନକ ବ୍ୟୁରୋ: ସ୍ୱର୍ଗଦ୍ୱାରର ହେବ ନବରକଳେବର । ଏଥିପାଇଁ ପ୍ରସ୍ତିତି ଆରମ୍ଭ ହୋଇଛି ।  ସ୍ୱର୍ଗଦ୍ୱାରର ପୁନଃରୁଦ୍ଧାର ପାଇଁ ବ୍ଲୁ-ପ୍ରିଂଟ ପ୍ରସ୍ତୁତ କରିଛନ୍ତି ଉଭୟ ପୁରୀ ପୌରସଂସ୍ଥା ଓ ଜିଲ୍ଲା ପ୍ରଶାସନ । ବାଲିରେ ଶବଦାହ ନକରିବା ପାଇଁ ୪୨ ପିଣ୍ଡି କରାଯିବ । ଏହାସହ ସ୍ୱର୍ଗଦ୍ୱାର  ଚାରିପଟେ ପାଚେରୀ ବୁଲିବ ।

ସବୁବେଳେ ଅବ୍ୟବସ୍ଥାକୁ ନେଇ ଚର୍ଚ୍ଚା ରହୁଥିବା ପୁରୀ ସ୍ୱର୍ଗଦ୍ୱାରର ଉନ୍ନତି ପାଇଁ ପ୍ରଶାସନର ଉଦ୍ୟମ । ସୁ-ବ୍ୟବସ୍ଥା ପାଇଁ ଅଂଟା ଭିଡିଛି ଉଭୟ ପୌରସଂସ୍ଥା ଓ ପୁରୀ ଜିଲ୍ଲା ପ୍ରଶାସନ । ସ୍ୱର୍ଗଦ୍ୱାରର ଉନ୍ନତି କରଣ ପାଇଁ ବ୍ଲୁ-ପ୍ରିଂଟ ପ୍ରସ୍ତୁତ ହୋଇ ସାରିଛି । ଆଉ ବାଲିରେ ଶବଦାହ କରାଯିବନାହିଁ । ଦିନକୁ ଦିନ ଶବଦାହ ସଂଖ୍ୟା ବଢୁଥିବାରୁ ସ୍ୱର୍ଗଦ୍ୱାରରେ ପିଣ୍ଡି ତିଆରି କରାଯିବ ବୋଲି ପୌର ସଂସ୍ଥା ପକ୍ଷରୁ କୁହାଯାଇଛି ।

ପ୍ରାଥମିକ ପର୍ଯ୍ୟାୟରେ କ’ଣ ହେବ?

୧. ବୁଲା ଗାଇଗୋରୁ ଓ କୁକୁରଙ୍କ ପ୍ରବେଶ ରୋକିବା ପାଇଁ ସ୍ୱର୍ଗଦ୍ୱାର ଚାରି ପଡେ ପାଚେରୀ ବୁଲିବ ।

୨. ବାଲିରେ ଏଣେତେଣେ ଶବଦାହ ନିୟନ୍ତ୍ରଣ ପାଇଁ ୪୨ଟି ପିଣ୍ଡି ତିଆରି କରାଯିବ ।

୩. ଶବଦାହ ପାଇଁ ଆସୁଥିବା ମୃତକଙ୍କ ସଂପର୍କୀୟ ବିଶ୍ରାମ ନେବା ପାଇଁ  ପଥଶ୍ରାଦ୍ଧ ଘର କରାଯିବ ।

୪. ପଥଶ୍ରାଦ୍ଧ ଘରେ ଶୌଚାଳୟ ଓ ପାନୀୟ ଜଳର ବ୍ୟବସ୍ଥା କରାଯିବ ।

ମୋକ୍ଷପ୍ରାପ୍ତି ବିଶ୍ୱାସ ଆଧାରରେ ହିନ୍ଦୁ ଲୋକେ ସଂପର୍କୀୟଙ୍କ ଶବଦାହ ପାଇଁ ଜଗନ୍ନାଥ ଧାମ ସ୍ୱାର୍ଗଦ୍ୱାର ଆଣିଥାନ୍ତି । ହେଲେ ଏଠାରେ ଶବଦାହ ପାଇଁ କାଠ ଓ ବ୍ରାହ୍ମଣଙ୍କ ଅଧିକ ଅର୍ଥ ଦାବି ଯୋଗୁଁ ଅନେକ ଅସନ୍ତୋଷ ବ୍ୟକ୍ତ କରିଥାନ୍ତି । ତେବେ ଏସବୁ ଉପରେ ପ୍ରଶାସନ ଗୁରୁତ୍ୱ ଦେଇ ଉନ୍ନତିକରଣ ପାଇଁ ପଦକ୍ଷେପ ନେବା, ସ୍ୱାଗତ ଯୋଗ୍ୟ ବୋଲି କହିଛନ୍ତି ବୁଦ୍ଧିଜୀବୀ । ତେବେ ସମସ୍ୟା ଘେରରେ ଥିବା ପୁରୀ ସ୍ୱର୍ଗଦ୍ୱାରର ପୁନଃରୁଦ୍ଧାର ହେବ । ତେବେ ପ୍ରଶାସନର ଯୋଜନା କେବେ ସଫଳ ରୂପ ନେବ ତାହା ସମୟ ହିଁ କହିବ ।