ସୁପ୍ରିମକୋର୍ଟଙ୍କ କଟକଣା ପରେ ନୋଟିସ ଜାରି କଲା ଶ୍ରୀମନ୍ଦିର ପ୍ରଶାସନ । ଭକ୍ତଙ୍କଠାରୁ କୌଣସି ଦାନ ନନେବାକୁ ସେବାୟତଙ୍କୁ ନିର୍ଦ୍ଦେଶ

140

କନକ ବ୍ୟୁରୋ: ପୁରୀ ଶ୍ରୀମନ୍ଦିର ଭିତରେ ଭକ୍ତଙ୍କ ଠାରୁ ଦାନ ନେଇ ପାରିବେ ନାହିଁ ସେବାୟତ ବୋଲି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜି ନୋଟିସ ଜାରି କରିଛି ଶ୍ରୀମନ୍ଦିର । ଶ୍ରୀମନ୍ଦିର ପ୍ରଶାସକଙ୍କ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ ସୁପ୍ରିମ କୋର୍ଟଙ୍କ ରିଟ୍ ପିଟିସନ ୬୪୯/୨୦୧୮ ର ରାୟ ଅନୁଯାୟୀ, ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତମାନଙ୍କ ଠାରୁ ଶ୍ରୀଜୀଉଙ୍କ ଉଦ୍ଦେଶ୍ୟରେ ଦିଆଯାଉଥିବା ଦାନ ଅର୍ଥ, ନୈବେଦ୍ୟ, ଶ୍ରଦ୍ଧାଞ୍ଜଳି ବା ବସ୍ତୁ ଶ୍ରୀମନ୍ଦିରର କୌଣସି ସେବକ, ସେମାନଙ୍କ ସହଯୋଗୀ କିମ୍ବା କର୍ମଚାରୀ ଗ୍ରହଣ କରି ପାରିବେ ନାହିଁ । ତେଣୁ ଭକ୍ତମାନଙ୍କୁ ଅନୁରୋଧ ସେମାନଙ୍କ ଦାନ ସେମାନେ ହୁୁଣ୍ଡି ଅଥବା ଦାନବାକ୍ସରେ କିମ୍ବା ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟ, ଶାଖା କାର୍ୟ୍ୟାଳୟ ଅଥବା ସୂଚନା କେନ୍ଦ୍ରଠାରେ ପ୍ରଦାନ କରି ରସିଦ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଉଲ୍ଲେଖ ଥାଉ କି, ସେବାୟତଙ୍କ ଉପରେ ସବୁଠାରୁ ବଡ କଟକଣା ଲଗାଇଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ପୁରୀ ଶ୍ରୀମନ୍ଦିର ଭିତରେ ଭକ୍ତଙ୍କ ଠାରୁ ଦାନ ନେଇ ପାରିବେ ନାହିଁ ସେବାୟତ । ଶ୍ରୀମନ୍ଦିରରେ ବିଶୃଙ୍ଖଳା ଅଭିଯୋଗ ନେଇ ଏକ ମାମଲାର ଶୁଣାଣି କରି ଏହି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । କୋର୍ଟ କହିଛନ୍ତି, ଭକ୍ତଙ୍କ ଦାନ ଅର୍ଥ ସିଧା ହୁଣ୍ଡିକୁ ଯିବ । ଏହାକୁ ନିଶ୍ଚିତ କରିବା ପାଇଁ ସିସିଟିଭିର ସହାୟତା ନିଆଯିବ । ଏଥିସହ ଭକ୍ତଙ୍କୁ ହଇରାଣ କରାଯାଉଥିବା ଅଭିଯୋଗର ଅନୁଧ୍ୟାନ କରି ଜିଲ୍ଲାକୋର୍ଟ ରିପୋର୍ଟ ଦେବେ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି । ଦେଶର ଅନ୍ୟ ପ୍ରସିଦ୍ଧ ମନ୍ଦିରଗୁଡିକରେ ଥିବା ବ୍ୟବସ୍ଥାକୁ ଅନୁଧ୍ୟାନ କରି ଭକ୍ତଙ୍କ ଦର୍ଶନ ସହ ମନ୍ଦିର ପରିଚାଳନାକୁ ଶୃଙ୍ଖଳତି କରିବାପାଇଁ ବ୍ୟବସ୍ଥା କରାଯିବ । ଏଥିପାଇଁ ସୁପ୍ରିମକୋର୍ଟର ଜଣେ ବରିଷ୍ଠ ଓକିଲଙ୍କୁ ଆମିକସ କ୍ୟୁରୀ ଭାବେ ମଧ୍ୟ ନିଯୁକ୍ତ କରିଛନ୍ତି ।