ଶ୍ରୀମନ୍ଦିରରେ ମହାବିଭ୍ରାଟ ପରେ ହାତ ଟେକିଦେଲା ପ୍ରଶାସନ ! ସେପଟେ ଗଜପତିଙ୍କ ଟାର୍ଗେଟରେ ସରକାର ।

146

କନକ ବ୍ୟୁରୋ : ପ୍ରଶାସନକୁ ବ୍ଲାକମେଲ କରୁଛନ୍ତି କିଛି ସେବାୟତ । ନିଜ ସର୍ତ୍ତରେ ଶ୍ରୀମନ୍ଦିର ନୀତିକାନ୍ତି ପରିଚାଳନା କରିବାକୁ ଚାହୁଁଛନ୍ତି । ସେବାୟତଙ୍କ ଏଭଳି ଆଚରଣ ଆଗରେ ନାଚାର ଶ୍ରୀମନ୍ଦିର ପ୍ରଶାସନ । କିଛି ଏଭଳିି ପ୍ରତିକ୍ରିୟା ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଗତକାଲି ସେବାୟତଙ୍କ ଜିଦ୍ ଯୋଗୁଁ ବଡ ଠାକୁରଙ୍କ ନୀତି ୧୩ ଘଂଟା ବନ୍ଦ ହୋଇଗଲା । ବାହାରେ ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆତୁର ହୋଇପଡିଥିବା ବେଳେ, ଫିଟିନଥିଲା ଦ୍ୱାର । ଠାକୁର ମଧ୍ୟ ଉପାସରେ ରହିଥିଲେ । ସେବାୟତଙ୍କ ବିଶୃଙ୍ଖଳା କାରଣରୁ ବାରମ୍ବାର ଏଭଳି ସାଂଘାତିକ ଘଟଣା ସାମ୍ନାକୁ ଆସୁଥିବାବେଳେ ସମାଧାନ ପାଇଁ ସରକାରଙ୍କୁ ଚେତାଇ ଦେଇଛନ୍ତି ଗଜପତି ମହାରାଜ ।

ଶ୍ରୀମନ୍ଦିର ପ୍ରଶାସନକୁ ମାନୁନାହାନ୍ତି ସେବାୟତ! ବିଭ୍ରାଟ ପାଇଁ ହାତ ଟେକିଦେଲେ ମୁଖ୍ୟ ପ୍ରଶାସକ । ପୁରୀ ଶ୍ରୀମନ୍ଦିରରେ ସେବାୟତ ଓ ପୁଲିସ କଳିରୁ ଯେଉଁ ଅଭାବନୀୟ ସ୍ଥିତି ଉପୁଜିଲା ତାକୁ ନେଇ ଉଦବେଗ ପ୍ରକାଶ ପାଇବାରେ ଲାଗିଛି । ସବୁଠାରୁ ବଡକଥା ହେଲା ନିଜ ଜିଦ୍ ଯୋଗୁଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନୀତି ୧୩ ଘଂଟା ବିଳମ୍ବ କରିଦେଲେ ସେବାୟତ । ଠାକୁରଙ୍କୁ ଦର୍ଶନ ପାଇଁ ହଜାର ହଜାର ଭକ୍ତ ଆତୁର ହୋଇ ଘଂଟା ଘଂଟା ଚାହିଁରହିଲେ, ମନ୍ଦିର ଭିତରେ ଉପାସରେ ରହିଲେ ଠାକୁର । କୁହାଯାଉଛି ପୂର୍ବରୁ ଏପରି ସ୍ଥିତି କେବେ ଉପୁଜିନଥିଲା । ବିଶ୍ୱ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରରେ ଏଭଳି ସାଂଘାତିକ ବିଭ୍ରାଟ ହୋଇଥିବାବେଳେ, ହାତ ଟେକି ଦେଇଛନ୍ତି ମୁଖ୍ୟ ପ୍ରଶାସକ । କହିଛନ୍ତି ପ୍ରଶାସନକୁ ମାନୁନାହାନ୍ତି ସେବାୟତ ।

ମୁଖ୍ୟ ପ୍ରଶାସକଙ୍କ ପ୍ରତିକ୍ରିୟାରୁ ଗୋଟିଏ କଥା ସ୍ପଷ୍ଟ ଯେ, ନିଜ ଇଚ୍ଛା ଅନୁସାରେ ଶ୍ରୀମନ୍ଦିରର ନୀତିକାନ୍ତି ପରିଚାଳନା କରିବାକୁ ଚାହୁଁଛନ୍ତି ସେବାୟତ । କଥା କଥାକେ ବ୍ଲାକ୍ ମେଲିଂ କରିବା ଭଳି ଆଚରଣ କରୁଛନ୍ତି କିଛି ସେବାୟତ । ଯେଉଁଥିପାଇଁ ଶ୍ରୀମନ୍ଦିରରେ ବାରମ୍ବାର ବିଶୃଙ୍ଖଳା ଘଟୁଛି । ଭକ୍ତଙ୍କୁ ଠାକୁରଙ୍କଠାରୁ ଦୂରେଇ ରଖିବା ଭଳି ବିଭ୍ରାଟ ଗଜପତି ମହାରାଜଙ୍କୁ ମଧ୍ୟ ବିଚଳିତ କରିଛି । ସରକାର ଶ୍ରୀମନ୍ଦିର ପରିଚାଳନାକୁ ପ୍ରାଥମିକତା ନଦେଲେ ଧର୍ମର ଅବକ୍ଷୟ ହେବ ବୋଲି ସେ ଚେତାଇ ଦେଇଛନ୍ତି ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଆସ୍ଥା, ବିଶ୍ୱର କୋଣ ଅନୁକୋଣରୁ ଭକ୍ତମାନଙ୍କୁ ଶ୍ରୀକ୍ଷେତ୍ର ପୁରୀକୁ ଟାଣିଆଣିଥାଏ । ହେଲେ ବିଶୃଙ୍ଖଳା କାରଣରୁ ମନ୍ଦିରର ଗରିମା ଯେଭଳି କ୍ଷୁର୍ଣ୍ଣ ହେଉଛି, ତାହା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭାବବେଗକୁ ଭାଙ୍ଗି ଚୁରମାର କରିଦେଉଛି । ଗତକାଲି ଘଂଟା ଘଂଟା ଧରି ଠାକୁରଙ୍କ ନୀତିରେ ବିଳମ୍ବ ଓ ଶ୍ରଦ୍ଧାଳୁମାନେ ଶ୍ରୀଜୀଉଙ୍କ ଦର୍ଶନରୁ ବଂଚିତ ହେବା ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନ ଓ ସରକାରଙ୍କ ଉପରେ ଆଙ୍ଗୁଳି ଉଠୁଥିବା ବେଳେ ରାଜନୀତି ବି ଜୋରଦାର ହୋଇଛି ।

ଏସବୁ ଆରୋପ ପ୍ରତ୍ୟାରୋପ ଭିତରେ ଗୋଟିଏ ପ୍ରଶ୍ନ ସମସ୍ତଙ୍କ ଭିତରେ ଉଙ୍କି ମାରୁଛି, କୋଟି କୋଟି ଭକ୍ତଙ୍କ ଆସ୍ଥା ଓ ବିଶ୍ୱାସ ସହ ଖେଳିବାକୁ ଅଧିକାର ଦେଲା କିଏ ? ବଡ ଠାକୁରଙ୍କୁ ନେଇ ହେଉଥିବା ବିଶୃଙ୍ଖଳାକୁ କେତେଦିନ ବରଦାସ୍ତ କରିବେ ଶ୍ରଦ୍ଧାଳୁ? ସେବାୟତଙ୍କ ମନମୁଖୀ ଆଚରଣ ଉପରେ ଅଙ୍କୁଶ ନରହିଲେ କିପରି ଶହ ଶହ ବର୍ଷର ଆସ୍ଥା ଅତୁଟ ରହିବ?