କୁହୁଳୁଛି ବିଜେଡି ! କର୍ମୀଙ୍କୁ ଲଗାଇ ନେତା କରୁଛନ୍ତି ପ୍ରତିବାଦ

18

କନକ ବ୍ୟୁରୋ : ନବୀନଙ୍କ ନବକଳେବର ପରେ ବିଜେଡିରେ ବଢୁଛି ଅସନ୍ତୋଷ । କିଏ ଚାରି ଚାରି ଥରର ବିଧାୟକ ତ ଆଉ କିଏ ବର୍ଷ ବର୍ଷ ଧରି ଦଳ ସହ ଜଡିତ । ବିଜୁ ପଟ୍ଟନାୟକଙ୍କ ସମୟରୁ ଦଳରେ ଥିବା ନେତା ଆଶା ରଖିଥିଲେ ଏଥର ନବୀନଙ୍କ ନୂଆ ଟିମରେ ମନ୍ତ୍ରୀ ପଦଟିଏ ମିଳିବ । ହେଲେ ନିରାଶ କଲେ ନବୀନ । ଏବେ ନେତାଙ୍କ ମନରେ କ୍ଷୋଭ । ସିଧାସଳଖ ବିରୋଧ ନକଲେ ବି ସମର୍ଥକଙ୍କ ଦ୍ୱାରା ପଦାକୁ ଆଣୁଛନ୍ତି ଅସନ୍ତୋଷ । ଇସାରା ଇସାରାରେ କହୁଛନ୍ତି ମନ୍ତ୍ରୀପଦ ମିଳିଥିଲେ ଭଲ ହୋଇଥାନ୍ତା ।

ସୁପ୍ରିମୋଙ୍କ ନିଷ୍ପତି ନେତାଙ୍କୁ ଅସନ୍ତୁଷ୍ଟ କରିଛି । କିଏ କହୁଛି ମନ୍ତ୍ରୀବିହୀନ ଜିଲ୍ଲା ଗୁରୁତ୍ୱ ହରାଇବ ତ ଆଉ କିଏ ପରୋକ୍ଷରେ ପ୍ରଶ୍ନ କରୁଛି, କାହିଁକି ତାଙ୍କୁ ବାଦ୍ ଦିଆଗଲା । ଗତକାଲି ଯାଜପୁରରେ ତିନି ବରିଷ୍ଠ ନେତା ଅମର ଶତପଥୀ, ପ୍ରମିଳା ମଲ୍ଲିକ ଓ ଦେବାଶିଷ ନାୟକ ଏକାଠି ହୋଇ ଆଲୋଚନା କରିଛନ୍ତି । କୁହାଯାଉଛି, ମନ୍ତ୍ରୀମଣ୍ଡଳରେ ସ୍ଥାନ ନମିଳିବା ନେଇ ଏହି ମେଳିରେ ଆଲୋଚନା ହୋଇଛି । କାଳେ ନିଜେ ଅସନ୍ତୋଷ ପ୍ରକାଶ କଲେ ରୋଷର ଶିକାର ହେବେ ସେଥିପାଇଁ ସମର୍ଥକଙ୍କ ମାଧ୍ୟମରେ କ୍ଷୋଭ ଜାହିର କରୁଛନ୍ତି ନେତା । ରାଜରାସ୍ତାରେ ଚାଲିଛି ପ୍ରତିବାଦ, ବିକ୍ଷୋଭ ।

ଉପକୂଳରୁ ପଶ୍ଚିମ ଓଡିଶା । ବିଜେଡି ନେତାଙ୍କ ମଧ୍ୟରେ ଅସନ୍ତୋଷ ଧିରେ ଧିରେ ଉଗ୍ର ରୂପ ନେଲାଣି । ସେପଟେ ଅସନ୍ତୁଷ୍ଟ ନେତାଙ୍କୁ ବୁଝାଇବାକୁ ଉଦ୍ୟମ କରୁଛନ୍ତି ଦଳୀୟ ମୁଖପାତ୍ର ।

ସେପଟେ ନବୀନଙ୍କ ନୂଆ ଟିମ୍ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ । କହିଛନ୍ତି ଆଦିବାସୀଙ୍କୁ ଅଣଦେଖା କରିଛନ୍ତି ମୁଖ୍ୟମନ୍ତ୍ରୀ । ନବୀନଙ୍କ ମନ୍ତ୍ରିମଣ୍ଡଳରେ ୧୮ଟି ଜିଲ୍ଲା ମନ୍ତ୍ରୀ ଶୂନ୍ୟ ହୋଇଛି । ମୁଖ୍ୟମନ୍ତ୍ରୀ ନିଜ ଜିଲ୍ଲାରୁ ୪ ଜଣଙ୍କୁ ସ୍ଥାନ ଦେଇଛନ୍ତି, ଏଥିରୁ ସ୍ପଷ୍ଟ ହେଉଛି ଯେ, ଆଦିବାସୀ ଓ ଦଳିତଙ୍କୁ ଘୃଣା କରୁଛନ୍ତି ନବୀନ ।