ଜଜ୍ ଯିବେ ଜେଲ୍ ! ବିଚାର ବ୍ୟବସ୍ଥାରେ ସୃଷ୍ଟି ହେଲା ଇତିହାସ

48

କନକ ବ୍ୟୁରୋ : ଜେଲ ଯିବେ କୋଲକାତା ହାଇକୋର୍ଟର ବିଚାରପତି ଜଷ୍ଟିସ ସିଏସ କର୍ଣ୍ଣନ । ତାଙ୍କୁ ୬ ମାସର ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଅଦାଲତ ଅବମାନନା ଅଭିଯୋଗରେ ଜଷ୍ଟିସ କର୍ଣ୍ଣନଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ସର୍ବୋଚ୍ଚ ଅଦାଲତ । ସୁପ୍ରିମକୋର୍ଟର ୭ ଜଣିଆ ସାମ୍ବିଧାନିକ ପୀଠ ଏହି ମାମଲାର ଶୁଣାଣି କରି ରାୟ ଶୁଣାଇଛନ୍ତି । ତୁରନ୍ତ ଜଷ୍ଟିସ କର୍ଣ୍ଣନଙ୍କୁ ଗିରଫ କରିବା ସହ ଜେଲ ପଠାଇବାକୁ ପଶ୍ଚିମବଙ୍ଗ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

ଏହା ସହ ଜଷ୍ଟିସ କର୍ଣ୍ଣନଙ୍କ କୌଣସି ବୟାନକୁ ପ୍ରସାରିତ ନକରିବାକୁ ଗଣମାଧ୍ୟମ ଉପରେ ମଧ୍ୟ ସୁପ୍ରିମକୋର୍ଟ କଟକଣା ଜାରି କରିଛନ୍ତି । ଜଷ୍ଟିସ କର୍ଣ୍ଣନ ପ୍ରଧାନମନ୍ତ୍ରୀଙ୍କୁ ଏକ ଚିଠି ଲେଖିଥିଲେ ଯେଉଁଥିରେ ସେ ୨୦ ଜଣ କାର୍ଯ୍ୟରତ ଓ ଅବସରପ୍ରାପ୍ତ ବିଚାରପତିଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଏ ସଂପର୍କରେ ତାଙ୍କୁ ଜବାବ ତଲବ କରିଥିଲେ ସୁପ୍ରିମକୋର୍ଟ ।

ହେଲେ ସେ କ୍ଷମା ମାଗିବା ପରିବର୍ତେ ଏପ୍ରିଲ ୨୮ରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜେଏସ ଖେହରଙ୍କୁ ତାଙ୍କ ଅଦାଲତରେ ହାଜର ହେବାକୁ ନିର୍ଦ୍ଦେଶ ଜାରି କରିଥିଲେ । ଯେଉଁଥି ପାଇଁ ଜଷ୍ଟିସ କର୍ଣ୍ଣନଙ୍କ ବିରୋଧରେ ଅଦାଲତ ଅବମାନନା ଅଭିଯୋଗର ଶୁଣାଣି ଆରମ୍ଭ ହୋଇଥିଲା । ଇତିହାସରେ ପ୍ରଥମ ଥର ପାଇଁ କୌଣସି କାର୍ଯ୍ୟରତ ହାଇକୋର୍ଟ ବିଚାରପତିଙ୍କୁ ଅଦାଲତ ଅବମାନନା ଅଭିଯୋଗରେ ଦଣ୍ଡିତ କରିଛନ୍ତି ସୁପ୍ରିମକୋର୍ଟ ।