ଆଇଆଇଟି ଅରଗୁଳ ସମାବର୍ତନ ଉତ୍ସବରେ ଯୋଗ ଦେଲେ ରାଷ୍ଟ୍ରପତି : ପୁରୀରେ ଶ୍ରୀଜିଉଙ୍କୁ ଦର୍ଶନ, ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନର ଶତବାର୍ଷିକୀ ସମାରୋହରେ କହିଲେ କଳାର ଉତ୍କୃଷ୍ଟ ରାଜ୍ୟ ଓଡିଶା

45

କନକ ବ୍ୟୁରୋ : ଆଜି ସକାଳେ ପୁରୀରେ ରାଷ୍ଟ୍ରପତିଙ୍କ ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ଥିଲା । ଜଗନ୍ନାଥ ଦର୍ଶନ ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନର ଶହେ ବର୍ଷ ପୂର୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏଠାରେ ସେ କହିଥିଲେ କଳାର ଉତ୍କୃଷ୍ଟ ରାଜ୍ୟ ହେଉଛି ଓଡିଶା । ସେଥିପାଇଁ ଓଡିଶାର ନାଁ ଉକ୍ରଳ ରଖାଯାଇଛି । ଅଧିକ ଭାଷା ଜାଣିଲେ ଜଣକର ବିଜ୍ଞତା ବୃଦ୍ଧି ପାଇଥାଏ । ପୁରୀକୁ କୁହାଯାଏ ବିଦ୍ୟାର ନଗରୀ । ପୁରୀରେ ଜନ୍ମିତ ସୁଯୋଗ୍ୟ ସନ୍ତାନଙ୍କୁ ବି ମନେ ପକାଇଥିଲେ ରାମନାଥ କୋବିନ୍ଦ ।

ସେ କହିଥିଲେ ସଂସ୍କୃତ ଭାଷାରେ ଅନେକ ପ୍ରସିଦ୍ଧ ପୁସ୍ତକ ରହିଛି ଓ ଏହି ଭାଷାକୁ ନେଇ ଅନୁସନ୍ଧାନ ଚାଲିଛି । ଏହା ସହିତ ଜଗନ୍ନାଥ ସ୍ମାରକୀ ଉପଲକ୍ଷେ ହଜାରେ ଟଙ୍କିଆ ମୁଦ୍ରା ଜାରି କରାଯାଇଥିବା ସୂଚନା ଦେଇଥିଲେ । ପୁରୀ ଗସ୍ତ ଶେଷ କରି ରାଷ୍ଟ୍ରପତି ରାଜଭବନରେ ପଂହଚିଛନ୍ତି । ଅପରାହ୍ନରେ ସେ ଭୁବନେଶ୍ୱର ଅରଗୁଳ ସ୍ଥିତ ଆଇଆଇଟିର ସମାବର୍ତନ ଉତ୍ସବରେ ଯୋଗଦେଇଛନ୍ତି । ଏହି ଉତ୍ସବରେ ରାଜ୍ୟପାଳ ଏସସି ଜମିର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମାନବ ସମ୍ବଳମନ୍ତ୍ରୀ ସତ୍ୟପାଲ ସିଂ ଉପସ୍ଥିିତ ଥିଲେ ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ସକାଳେ ପତ୍ନୀଙ୍କ ସହ ଶ୍ରୀମନ୍ଦିରରେ ଜଗନ୍ନାଥ ଦର୍ଶନ କରିଥିଲେ । ସକାଳ ପ୍ରାୟ ସାଢେ ୭ଟାରେ ସେ ଶ୍ରୀମନ୍ଦିର ପ୍ରବେଶ କରି ବେଢା ଭିତରେ ପ୍ରାୟ ୪୫ ମିନିଟ ଧରି ରହିଥିଲେ । ଗର୍ଭଗୃହରେ ସେ ପ୍ରାୟ ୨୦ ମିନିଟ ଧରି ରହିଥିଲେ । ଏହା ପରେ ପ୍ରାୟ ୮ଟା ୧୫ ବେଳକୁ ସେ ଜଗନ୍ନାଥ ଦର୍ଶନ ସାରି ଫେରିଥିଲେ । ରତ୍ନସିଂହାସନରେ ଜଗନ୍ନାଥଙ୍କୁ ଦର୍ଶନ କରିବା ସହ ବିମଳା ଓ ମହାଲକ୍ଷ୍ମୀ ମନ୍ଦିର ବି ଯାଇଥିଲେ ।

ମହାମହିମଙ୍କୁ ସ୍ୱାଗତ କରିବା ପାଇଁ ପୁରୀ ଗଜପତିଙ୍କ ସମେତ ପ୍ରଶାସନର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଉପହାର ସ୍ୱରୂପ ରାଷ୍ଟ୍ରପତିଙ୍କୁ ପଟଚିତ୍ର, ଖଣ୍ଡୁଆ ଦିଆଯାଇଥିଲା । ଆଲୋଚନାବେଳେ ରାମନାଥ କୋବିନ୍ଦ ଶ୍ରୀମନ୍ଦିରରେ ଅଧିକ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେଇଥିଲେ । ସେହିଭଳି ଶ୍ରୀମନ୍ଦିରରେ ଭକ୍ତମାନଙ୍କୁ ଆହୁରି ସୁବିଧା ସୁଯୋଗ ଦେବା ଉପରେ ମଧ୍ୟ ରାଷ୍ଟ୍ରପତି ଗୁରୁତ୍ୱ ଦେଇଛନ୍ତି ।