ସ୍ୱାମୀ ସାଜିଲା ସଇତାନ୍ ! ଯୌତୁକ ପାଇଁ ୯ ମାସର ଗର୍ଭବତୀ ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ନରହନ୍ତା ସ୍ୱାମୀ, ପରିବାର ଲୋକ ଆଣିଲେ ସାଂଘାତିକ ଅଭିଯୋଗ !

642

କନକ ବ୍ୟୁରୋ : ଗର୍ଭବତୀ ପତ୍ନୀଙ୍କୁ ମାଡ଼ ମାରି ହତ୍ୟା କରିଛି ସଇତାନ ସ୍ୱାମୀ । ଏପରି ଅଭିଯୋଗ ଆସିଛି ଖୋର୍ଦ୍ଧା କଳାପଥର ଅଂଚଳରୁ । ମୃତ ମହିଳାଙ୍କର ୫ ବର୍ଷର ଶିଶୁକନ୍ୟା ଥିବା ବେଳେ ସେ ୯ ମାସର ଗର୍ଭବତୀ ଥିଲେ । ଏ ନେଇ ବୈଦେଶ୍ୱର ଥାନାରେ ଅଭିଯୋଗ କରିଛନ୍ତି ମହିଳାଙ୍କ ପରିବାର ଲୋକ । ତେବେ ଏପର୍ଯ୍ୟନ୍ତ ଦୋଷୀଙ୍କ ବିରୁଦ୍ଧରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିବା ଅଭିଯୋଗ ହୋଇଛି ।

ମୃତ ମହିଳା ହେଉଛନ୍ତି ବିଳାସିନୀ ପ୍ରଧାନ । ୫ ବର୍ଷର ଝିଅର ମାଆ, ୯ ମାସର ଗର୍ଭବତୀ ଥିଲେ ବିଳାସିନୀ । ଯୌତୁକ ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଆଉ ଦିନ କେତେଟା ପରେ ଘରକୁ ଆସିଥାନ୍ତା ନୂଆ ଅତିଥି । ନୂଆ ଅତିଥିର ଦାୟିତ୍ୱ ନେବା ପାଇଁ ନିଜକୁ ପ୍ରସ୍ତୁତ କରୁଥିଲେ ୯ ମାସର ଗର୍ଭବତୀ ବିଳାସିନୀ ପ୍ରଧାନ । ଯୌତୁକ ପାଇଁ ଶାଶୁଘର ଲୋକଙ୍କ ନିର୍ଯାତନା ଓ ସ୍ୱାମୀଙ୍କ ଠାରୁ ଯେତେ ମାଡ ଗାଳି ଖାଇଲେ ବି ଧୈର୍ଯ୍ୟ ଧରି ଅପେକ୍ଷା କରିଥିଲେ ସେହି ପ୍ରତିକ୍ଷୀତ ମୁହୁର୍ତକୁ । ହେଲେ ସେ ଜାଣିନଥିଲେ, ତାଙ୍କ ଜୀବନରେ ଘୋଟି ଆସୁଛି କଳା ବାଦଲ ।

୨୦୧୩ ମସିହାରେ କଳାପଥରର ଲେନ୍ଦରି ଗାଁର ହେମନ୍ତ ପ୍ରଧାନଙ୍କୁ ବିବାହ କରିଥିଲେ ବିଳାସିନୀ । ବିଳାସିନୀର ପରିବାର ଲୋକ ଅଭିଯୋଗ କରିଛନ୍ତି, ଯୌତୁକକୁ ନେଇ ସବୁବେଳେ ତାଙ୍କୁ ଦିଆଯାଉଥିଲା ନିର୍ଯାତନା । ଡ୍ରାଇଭର ଭାବେ କାର୍ଯ୍ୟ କରୁଥିବା ସ୍ୱାମୀ ହେମନ୍ତ ପ୍ରଧାନ ଏହାକୁ ନେଇ ବିଭିନ୍ନ ସମୟରେ ବିଳାସିନୀଙ୍କୁ ମାଡ ମାରି ଲହୁଲୁହାଣ କରି ପକାଉଥିଲେ । ଏପରିକି କିଛିଦିନ ତଳେ ବିଳାସିନୀଙ୍କୁ ତାଙ୍କ ସ୍ୱାମୀ କୁଅ ଭିତରକୁ ଠେଲି ଦେଇଥିବା ଅଭିଯୋଗ କରିଛନ୍ତି ବିଳାସିନୀଙ୍କ ଭାଇ ।

ଅଗଷ୍ଟ ୨୬ ତାରିଖ ରାତିରେ ଗର୍ଭ ଯନ୍ତ୍ରଣାରେ ବିଳାସିନୀ ଗୁରୁତର ଥିବା ଫୋନକରି ପରିବାର ଲୋକଙ୍କୁ ଜଣାଇଥିଲେ ଶାଶୁଘର ଲୋକ । ବିଳାସିନୀଙ୍କୁ କଳାପଥର ଓ ଖୋର୍ଦ୍ଧା ଡାକ୍ତରଖାନାକୁ ନେବା ପରେ ଶେଷରେ କ୍ୟାପିଟାଲ ହସପିଟାଲକୁ ଅଣାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ବିଳାସିନୀଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି, ବିଳାସିନୀଙ୍କୁ ମାଡ ମାରି ହତ୍ୟା କରିଛନ୍ତି ତାଙ୍କ ସ୍ୱାମୀ ।

ତେବେ ପ୍ରଶ୍ନ ଉଠୁଛି, ପ୍ରସବ ଜନିତ କାରଣରୁ ବିଳାସିନୀଙ୍କ ମୃତ୍ୟୁ ହୋଇଛି ନା ତାଙ୍କୁ ହତ୍ୟା କରାଯାଇଛି । ବୈଦେଶ୍ୱର ଥାନାରେ ଏଫଆଇଆର ଦେଇଛନ୍ତି ବିଳାସିନୀଙ୍କ ପରିବାର । ହେଲେ ଏ ନେଇ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଅଭିଯୋଗ ହୋଇଛି ।