ବସନ୍ତଙ୍କ ପ୍ରାର୍ଥୀତ୍ୱକୁ ନେଇ ବଢୁଛି ଅସନ୍ତୋଷ । ଦଳୀୟ ନେତା କହିଲେ, କଳାହାଣ୍ଡିବାସୀ ବସନ୍ତଙ୍କୁ ଭୋଟ ଦେବେନି, ତାଙ୍କର ଜିତିବା ଏଠି ସମ୍ଭବ ନୁହେଁ!

523

କନକ ବ୍ୟୁରୋ : ବିଜେପି କଳାହାଣ୍ଡି ଲୋକସଭା ଆସନ ପାଇଁ ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କୁ ପ୍ରାର୍ଥୀ ଘୋଷଣା ହେବା ପରେ ଦଳୀୟ ଶିବିରରୁ ଉଠିଛି ବିଦ୍ରୋହର ସ୍ୱର । ଦଳର ସେନାପତିଙ୍କ ବିରୋଧରେ ଖୋଦ ଦଳର ସିପାହୀ ବିଦ୍ରୋହ ଆରମ୍ଭ କରିଛନ୍ତି । ସିଧାସଳଖ ନ ହେଲେ ମଧ୍ୟ ବୁଲେଇ ବଙ୍କେଇ ଦଳୀୟ ନେତୃତ୍ୱ ଓ ବସନ୍ତ ପଣ୍ଡାଙ୍କ ବିରୋଧରେ କ୍ଷୋଭ ପ୍ରକାଶ କରିଛନ୍ତି କଳାହାଣ୍ଡି ଆସନ ପାଇଁ ଆଶାୟୀ ଥିବା ପ୍ରାର୍ଥୀ ପ୍ରଦୀପ୍ତ ନାୟକ । ଏପରିକି କଳାହାଣ୍ଡି ଆସନରେ ବସନ୍ତ ପଣ୍ଡା ଜିତିବା ସମ୍ଭବ ହେବନି ବୋଲି ରୋକଠୋକ ଜଣାଇଛନ୍ତି ପ୍ରଦୀପ୍ତ ।

ଆଉ ପ୍ରଦୀପ୍ତଙ୍କ ଏହି ବୟାନ ଏବେ ବିଜେପି ଶିବିରରେ ଭୃକୃଞ୍ଚନ ସୃଷ୍ଟି କରିଛି । ପଞ୍ଚାୟତ ନିର୍ବାଚନରେ କଳାହାଣ୍ଡିରେ ବିଜେପିକୁ ଜୀବନ୍ୟାସ ଦେଇଥିବା ପ୍ରଦୀପ୍ତଙ୍କ ଏହି ବୟାନ ବିଜେପିରେ ଦେଖା ଦେଇଥିବା ବିଦ୍ରୋହକୁ ପଦାରେ ପକାଇଛି । ଗତ ପଞ୍ଚାୟତ ନିର୍ବାଚନରେ ବିଜେଡି ଗଡକୁ ଭାଙ୍ଗି ବିଜେପି ଯେଉଁ ସଫଳତା ପାଇଥିଲା ତାହା ପଛର ମୁଖ୍ୟ ନାୟକ ଥିଲେ ପ୍ରଦୀପ୍ତ । ତେଣୁ ଆଗାମୀ ନିର୍ବାଚନରେ କଳାହାଣ୍ଡି ଲୋକସଭା ଆସନରୁ ପ୍ରାର୍ଥୀ ହେବା ପାଇଁ ମନ ବଳାଇଥିଲେ ପ୍ରଦୀପ୍ତ । ତେବେ ପ୍ରଦୀପ୍ତଙ୍କୁ ଲୋକସଭା ଟିକେଟ ନ ଦେବା ପରେ ଏବେ କଳାହାଣ୍ଡି ରାଜନୀତିରେ ହଲଚଲ ଆରମ୍ଭ ହୋଇଛି ।

ବସନ୍ତ ସାଂସଦ ପ୍ରାର୍ଥୀ ଭାବେ କେତେଦୂର କଳାହାଣ୍ଡିରେ କେତେ ସଫଳ ହେବେ ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପ୍ରଦୀପ୍ତ । ବସନ୍ତ କେବେ କଳାହାଣ୍ଡି ଜିଲ୍ଲାରେ ବୁଲି ନାହାନ୍ତି, ତେଣୁ କଳାହାଣ୍ଡିରେ ଜିତିବା କେବେ ସମ୍ଭବ ହେବ ନାହିଁ ବୋଲି କହିଛନ୍ତି ପ୍ରଦୀପ୍ତ । କାରଣ ବସନ୍ତ ନୂଆପଡା ଅଞ୍ଚଳରୁ ହୋଇଥିବା ବେଳେ କଳାହାଣ୍ଡି ବାସିନ୍ଦା ତାଙ୍କୁ ଗ୍ରହଣ କରିବେନି ବୋଲି ରୋକଠୋକ କହିଛନ୍ତି ପ୍ରଦୀପ୍ତ । ଏହାଛଡା କଳାହାଣ୍ଡିରେ କର୍ମୀ ମାନେ ବସନ୍ତଙ୍କ ପ୍ରାଥୀତ୍ୱକୁ ନେଇ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ସେ ଏଠାରେ ଜିତିପାରିବେ ନାହିଁ । ତେଣୁ ତାଙ୍କ ଟିକେଟକୁ ପରିବର୍ତ୍ତନ କରାଯାଉ ବୋଲି କର୍ମୀ ମାନେ ଚାହୁଁଥିବା କହିଛନ୍ତି ପ୍ରଦୀପ୍ତ ।

ଗୋଟିଏ ପଟେ ବସନ୍ତଙ୍କୁ ଲୋକସଭା ଓ ପ୍ରଦୀପ୍ତଙ୍କୁ ବିଧାନସଭା ଆସନରେ ଲଢାଇବା ପାଇଁ ଦଳ ଘୋଷଣା କରିଛି । ଆଉ ଏଭଳି ସ୍ଥିତିରେ କଳାହାଣ୍ଡିର ପୂରା ସଙ୍ଗଠନକୁ ନିଜ ହାତରେ ରଖିଥିବା ପ୍ରଦୀପ୍ତ ନିଜ ନିର୍ବାଚନମଣ୍ଡଳୀରେ ସୀମିତ ରହିବା ପାଇଁ ସଙ୍କେତ ଦେଇଛନ୍ତି । ଏପରିକି ସିଧାସଳଖ ନ ହେଲେ ମଧ୍ୟ ବସନ୍ତଙ୍କ ପାଇଁ ପ୍ରଚାର ନ କରିବାକୁ ଇଙ୍ଗିତ ଦେଇଛନ୍ତି ପ୍ରଦୀପ୍ତ । ଏପରିକି ଦଳ ଯଦି ବସନ୍ତଙ୍କୁ ଜିତାଇ ପାରିବ ତେବେ ବେଶ ଭଲକଥା ବୋଲି କହିବା ସହ ପ୍ରଦୀପ୍ତ ମାରିଛନ୍ତି ତେରଛା ବାଣ । ଆଉ ପ୍ରଦୀପ୍ତଙ୍କ ଏଭଳି ବୟାନ ଏବେ ବିଜେପି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି । ପ୍ରଦୀପ୍ତଙ୍କ ରାଜ୍ୟ ସଭାପତିଙ୍କୁ ଏଭଳି ଖୋଲା ଚ୍ୟାଲେଞ୍ଜ କଳାହାଣ୍ଡିରେ ବିଜେପି ରାଜନୀତିକୁ କେତେ ପ୍ରଭାବିତ କରିବ ତାହା ନିର୍ବାଚନ ଫଳାଫଳ କହିବ ।