ପରୀକ୍ଷାଗାରକୁ ପଠାଯିବ ଓଡିଶା ଆସୁଥିବା ଆନ୍ଧ୍ର ମାଛ : କୃଷି ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ରିପୋର୍ଟ ପରେ ନିଆଯିବ ପଦକ୍ଷେପ

64

କନକ ବ୍ୟୁରୋ : ଆନ୍ଧ୍ର ମାଛକୁ ଆସାମ ସରକାର ବ୍ୟାନ ପରେ ଓଡିଶାକୁ ଆସୁଥିବା ଆନ୍ଧ୍ର ମାଛ ମଧ୍ୟ ପରୀକ୍ଷଣ କରାଯିବ । ଏନେଇ ସୂଚନା ଦେଇଛନ୍ତି କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା । କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି , ଏବେ ସେଭଳି କିଛି ଅଭିଯୋଗ ଆସିନାହିଁ । ପରୀକ୍ଷାଗାରରେ ଆନ୍ଧ୍ର ମାଛର ନମୂନା ପରୀକ୍ଷଣ କରାଯିବ । ଏହା ପରେ ରିପୋର୍ଟ ଆଧାରରେ କଡ଼ାକଡ଼ି ପଦକ୍ଷେପ ନିଆଯିବ । ଏନେଇ ଏକ ବିଶେଜ୍ଞ ଟିମ ଗଠନ କରାଯିବ ବୋଲି ପ୍ରଦୀପ ମହାରଥୀ କହିଛନ୍ତି ।

pradeep moharathy

ସେହିପରି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ଏନେଇ ଅନୁଧ୍ୟାନ କରାଯିବ । ସେପଟେ ଦଶ ଦିନ ପର୍ଯ୍ୟନ୍ତ ଆନ୍ଧ୍ରରୁ ମାଛ ଆମଦାନୀ ଉପରେ ରୋକ୍ ଲଗାଇଛନ୍ତି ଆସାମ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଏନେଇ ସୂଚନା ଦେଇଛନ୍ତି ସ୍ୱଚନା ଓ ପରିବାର କଲ୍ୟାଣ ମନ୍ତ୍ରୀ ପିଜୁସ୍ ହଜାରିକା । ସେ କହିଛନ୍ତି ଗତ ୨୯ ତାରିଖ ଦିନ ଆନ୍ଧ୍ରପ୍ରଦେଶ ସମେତ ଅନ୍ୟ ରାଜ୍ୟରୁ ଆସାମକୁ ଆସୁଥିବା ମାଛର ନମୂନ ସଂଗ୍ରହ କରାଯାଇଥିଲା । ଏହାକୁ ପରୀକ୍ଷାଗାରରେ ପରୀକ୍ଷା କରିବା ପାଇଁ ପଠାଯାଇଥିଲା ।

source-http://www.dhsodisha.nic.in

ରିପୋର୍ଟରେ ମାଛକୁ ଦୀର୍ଘ ଦିନ ପର୍ଯ୍ୟନ୍ତ ସତେଜ ରଖିବା ପାଇଁ ଏଥିରେ ମାରାତ୍ମକ ଫର୍ମାଲିନ୍ ବ୍ୟବହାର କରାଯାଉଥିବା ସ୍ପଷ୍ଟ ହୋଇଛି । ତେଣୁ ଆନ୍ଧ୍ରପ୍ରଦେଶରୁ ଆସୁଥିବା ମାଛ ଆମଦାନୀ ଓ ବିକ୍ରି ଉପରେ ରୋକ୍ ଲଗାଯାଇଛି । ଏଦିଗରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲ୍ଲାପାଳ ଓ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁମାନେ ସରକାରୀ ଆଇନକୁ ଅବମାନନା କରି ଫର୍ମାଲିନ୍ ଦିଆଯାଇଥିବା ମାଛ ବିକ୍ରି କରିବେ ସେମାନଙ୍କଠାରୁ ୨ରୁ ୭ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ସହିତ ୧୦ଲକ୍ଷ ଟଙ୍କାର ଜରିମାନା ପାଇଁ ବ୍ୟବସ୍ଥା କରାଯାଇଛି ।

image courtesy – Grist

ସୂଚନାଯୋଗ୍ୟ ମାଛକୁ ଅଧିକ ଦିନ ତାଜା ଓ ତଟକା ରଖିବା ପାଇଁ କେମିତି ସେଥିରେ ଏହି ମାରାତ୍ମକ କେମିକାଲ ମିଶାଯାଉଛି । ସାଧାରଣତ ମୃତଦେହ ସଂରକ୍ଷଣ ପାଇଁ ବ୍ୟବହାର କରାଯାଉଥିବା ଫର୍ମାଲ ଡିହାଇଡ୍ ଶରୀର ପାଇଁ ଖୁବ୍ କ୍ଷତିକାରକ । ଏହି କେମିକାଲର ମାତ୍ର କିଛି ମାତ୍ରା ଶରୀରକୁ ଗଲେ ସାଂଘାତିକ ପେଟ ରୋଗ ହୁଏ । ମାଛ ମାଧ୍ୟମରେ ଏହି ବିଷର ପରିମାଣ ଯଦି ଶରୀରକୁ ଟିକିଏ ଅଧିକ ଯାଏ, ତେବେ କ୍ୟାନସର ହେବାର ଆଶଙ୍କା ଅଧିକ ରହିଛି । ଆଉ ଏବେ ଜଣାପଡିଛି ଆନ୍ଧ୍ରରୁ ଆମଦାନୀ ହେଉଥିବା ଟନ୍ ଟନ୍ ମାଛରେ ଏହି ମାରାତ୍ମକ କେମିକାଲର ମାତ୍ରା ଅଧିକ ଥିବାରୁ ଆସାମ ସରକାର ଆନ୍ଧ୍ର ମାଛ ଆମଦାନୀ ଉପରେ ୧୦ ଦିନିଆ କଟକଣା ଜାରି କରିଛନ୍ତି ।

ସଜ ମାଛର ଏଭଳି ଚାଂଚଲ୍ୟକର ସତ ସାମ୍ନାକୁ ଆସିବା ପରେ ସ୍ୱାଭାବିକ ଭାବରେ ପ୍ରଶ୍ନ ଉଠୁଛି କେଉଁ ମାଛରେ ରହିଛି ବିଷ, ତାହା ଆପଣ ଜାଣିବେ କେମିତି । ତାଜା ମାଛ ନାଁରେ ଆପଣଙ୍କୁ ବିକ୍ରି କରାଯାଉଥିବା କେମିକାଲ ମିଶା ମାଛକୁ ଚିହ୍ନିବେ କିଭଳି । ଆସନ୍ତୁ ଜାଣିବା କେମିତି ଚିହ୍ନିବେ ବିଷାକ୍ତ ମାଛ?

– ମାଛରେ ‘ଫର୍ମାଲ୍ ଡିହାଇଡ’ ମିଶାଯାଇଥିଲେ ଏହା ସାଧାରଣ ମାଛଠାରୁ ଅଧିକ ଟାଣୁଆ ଲାଗିବ

– କେମିକାଲ ମିଶା ମାଛକୁ ଚୋବାଇବା ସମୟରେ ଏହା ରବର ଭଳି ଲାଗିବ

– କେମିକାଲ ମିଶା ମାଛର କାତି ମଧ୍ୟ ସଜ ମାଛଠାରୁ ଅଧିକ ଟାଣୁଆ

– ମାଛର ଗାଲିସି ଅତ୍ୟଧିକ ଲାଲ ଓ ଆଖି ଅଧିକ ସଫା

– ମାଛ ଭାଜିବା ସମୟରେ ଯେଉଁ ବାସ୍ନା ଆସେ, କେମିକାଲ ମିଶା ମାଛର ବାସ୍ନା ତାଠାରୁ ଭିନ୍ନ ରହିବ

– ଜିଅନ୍ତା ମାଛରେ କୌଣସି କେମିକାଲ ମିଶାଯାଇନଥିବା ସମ୍ଭାବନା ଅଧିକ