ରାତିରେ ଭୁଶୁଡ଼ିଲା ଛାତ, ସକାଳେ ଲାଗିଲା ରାଜନୀତିର ରଙ୍ଗ । ବିମାନବନ୍ଦର ଛାତ ଭୁଶୁଡିବା ଘଟଣାକୁ ନେଇ ବିଜେପି-ବିଜେଡି ମୁହାଁମୁହିଁ, ସିବିଆଇ ତଦନ୍ତ ଦାବି କଲା କଂଗ୍ରେସ ।

209

କନକ ବ୍ୟୁରୋ : ବିମାନବନ୍ଦର ଛାତ ଭୁଶୁଡିବାକୁ ନେଇ ଆରମ୍ଭ ହୋଇଯାଇଛି କାଦୁଆ ଫିଙ୍ଗା ରାଜନୀତି । ବିଜେଡି-ବିଜେପି ପରସ୍ପର ଉପରେ ଦୋଷ ଲଦା କାମ ଜାରି ରଖିଥିବା ବେଳେ କେନ୍ଦ୍ର ଉପରେ କଂଗ୍ରେସ ସିଧା ସିଧା ଦୋଷ ଲଦିଛି । ମୃତାହତଙ୍କୁ କ୍ଷତିପୂରଣ ସହ ଘଟଣାର ସିବିଆଇ ତଦନ୍ତ ଦାବି କରିଛି ଦଳ ।

ରାତିରେ ଛାତ ଭୁଶୁଡିଲା, ସକାଳୁ ରାଜନୀତି ଚାଲିଲା । ବିଜେଡି-ବିଜେପି ମୁହାଁମୁହିଁ । ଯେତେବେଳେ ରାତି ଅନ୍ଧାରରେ ଉଜୁଡା ଛାତ ତଳେ ଦବି ରହିଥିଲା ଗରିବ ଶ୍ରମିକର ଶବ, ସେତେବେଳେ କେଉଁଠି ନା କେଉଁଠି ଚାଲିଥିଲା ପରସ୍ପରକୁ ଦୋଷାରୋପ କରିବା ଯୋଜନା । ରାତି ପାହିବା ପରେ ଆରମ୍ଭ ହୋଇଯାଇଥିଲା ଆକ୍ଷେପ ପ୍ରତି ଆକ୍ଷେପର ପର୍ବ । ମୁହଁରେ ଥିଲା ଦୁର୍ଘଟଣା ପାଇଁ ଦୁଃଖ, ମୃତାହତଙ୍କ ପାଇଁ ସମବେଦନା କିନ୍ତୁ ସ୍ପଷ୍ଟ ବାରିହେଉଥିଲା ରାଜନୀତିର ରଙ୍ଗ ।

ଏପଟେ ବିମାନବନ୍ଦର, କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ସଂସ୍ଥା ହୋଇଥିବାରୁ କେନ୍ଦ୍ର ସରକାରଙ୍କୁ ସିଧାସଳଖ ଦୋଷାରୋପ କରିଛି କଂଗ୍ରେସ । ରାଜ୍ୟ ସରକାରଙ୍କୁ ବି କାଠଗଡ଼ାକୁ ଟାଣିଛି ଦଳ । ଏହା ସହ ମୃତାହତଙ୍କୁ କ୍ଷତିପୂରଣ ସହ ଘଟଣାର ସିବିଆଇ ତଦନ୍ତ ଦାବି କରିଛି ।

ପୂର୍ବରୁ ବମିଖାଲ ଫ୍ଲାଏଓଭର ଭୁଷୁଡିବା ଘଟଣାରେ ମଧ୍ୟ ପରସ୍ପରକୁ କାଦୁଅ ଫିଙ୍ଗାଫିଙ୍ଗିରେ ବ୍ୟସ୍ତ ରହିଥିଲେ ତିନି ପ୍ରମୁଖ ରାଜନୈତିକ ଦଳ । ତେବେ ସବୁଠୁ ବଡ଼ କଥା ହେଉଛି, ନିମ୍ନମାନର କାର୍ଯ୍ୟ କରି ଧନଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବା ଏହିସବୁ ଠିକାଦାର ସଂସ୍ଥା ପଛରେ ରାଜନୈତିକ ପୃଷ୍ଠପୋଷକତା ରହିଥିବା ସନ୍ଦେହ ଦୃଢ଼ିଭୁତ ହେଉଛି ।