ଗଣତନ୍ତ୍ର ଦିବସ ପୂର୍ବରୁ ଜାତି ଉଦ୍ଦେଶ୍ୟରେ ରାଷ୍ଟ୍ରପତିଙ୍କ ଅଭିଭାଷଣ: କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ଆମ ଗଣତନ୍ତ୍ରର ମୁଖ୍ୟ ଅଙ୍ଗ, ଲୋକମାନେ ହିଁ ଆମ ଗଣତନ୍ତ୍ରର ମୁଖ୍ୟ ଶକ୍ତି

379

କନକ ବ୍ୟୁରୋ : ୭୧ ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଜାତି ଉଦ୍ଦେଶ୍ୟରେ ରାଷ୍ଟ୍ରପତିଙ୍କ ଅଭିଭାଷଣ: ଲୋକମାନେ ହେଉଛନ୍ତି ଆମ ଗଣତନ୍ତ୍ରର ମୁଖ୍ୟ ଶକ୍ତି । ଲୋକମାନେ ଆମ ଗଣତନ୍ତ୍ରର ମୁଖ୍ୟ ମୂଲ୍ୟବୋଧ ବିବିଧତା ଓ ସମାନତାକୁ ରକ୍ଷା କରିବା ଆବଶ୍ୟକ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି । ସେ କହିଛନ୍ତି ଯେ ଲୋକମାନଙ୍କ ସହଯୋଗ ବଳରେ ସ୍ୱଚ୍ଛଭାରତ ମିଶନ ପରି କାର୍ଯ୍ୟକ୍ରମ ସଫଳ ହୋଇପାରିଛି । ସେ ଆହୁରି ମଧ୍ୟ କହିଛନ୍ତି ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ଅନ୍ୟପକ୍ଷରେ ସରକାର ଲୋକଙ୍କ ବିକାଶ ପାଇଁ ଅନେକ କଲ୍ୟାଣମୂଳକ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଛନ୍ତି ।

ବ୍ୟବସ୍ଥାପକ, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ଆମ ଗଣତନ୍ତ୍ରର ମୁଖ୍ୟ ଅଙ୍ଗ, କିନ୍ତୁ ଲୋକମାନେ ହିଁ ହେଉଛନ୍ତି ଆମ ଗଣତନ୍ତ୍ରର ସବୁକିଛି । ଆମେ ଯଦି ମହାତ୍ମା ଗାନ୍ଧିଙ୍କ ଜୀବନାଦର୍ଶକୁ ପାଳନ କରିବା ତେବେ ଆମେ ଆମ ଗଣତନ୍ତ୍ରର ମୂଲ୍ୟବୋଧକୁ ରକ୍ଷା କରିପାରିବା । ସେ କହିଛନ୍ତି ଯେ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ଆମ ସଂସ୍କୃତିରେ ମନ୍ଦିର ଭଳି ପୂଜା କରାଯାଏ । କାରଣ ଶିକ୍ଷା ହିଁ ଆମକୁ ସଶକ୍ତ କରେ । ଅନ୍ୟପକ୍ଷରେ ଜଳ ସଂରକ୍ଷଣ ପାଇଁ ସେ ଆହ୍ଵାନ ଜଣାଇଛନ୍ତି ।  ସମ୍ବିଧାନ ଆମକୁ ବିଭିନ୍ନ ଅଧିକାର ଦେଇଛି । ଏହା ସହିତ ଆମର କେତେକ କର୍ତ୍ତବ୍ୟ ମଧ୍ୟ ରହିଛି । ଗଣତନ୍ତ୍ରର ମୂଳ ଆଦର୍ଶ ନ୍ୟାୟ,ସ୍ୱାଧୀନତା,ସମାନତା ଓ ସଦ୍ଭାବ ରକ୍ଷା କରିବା ନାଗରିକମାନଙ୍କ ଦାୟିତ୍ୱ ।