କୋରାପୁଟ ରାଜନୀତିରେ ଡାକ୍ତରଖାନା ତାତି : କଂଗ୍ରେସର ବିଧାୟକ କୃଷ୍ଣ ସଗରିଆ ଓ ତାରା ବାହିନୀପତିଙ୍କ ମଧ୍ୟରେ ବଳ କଷାକଷି

35

କନକ ବ୍ୟୁରୋ : କୋରାପୁଟରେ ସ୍ୱାସ୍ଥ୍ୟ ସେବାକୁ ନେଇ ବଢ଼ିଲା ରାଜନୀତି । କଂଗ୍ରେସ ଦଳର ୨ ନେତାଙ୍କ ମଧ୍ୟରେ ଟଣା ଓଟରା ଚାଲିଥିବା ବେଳେ ଧାରଣା ଦେଇଛି ବିଜେଡ଼ି । ଏଭଳି ସ୍ଥିତିରେ ହରଡ଼ ଘଣାରେ ପଡିଛି ଜିଲ୍ଳା ପ୍ରଶାସନ ।

ଝିପି ଝିପି ବର୍ଷାରେ ରାଜନୈତିକ ପାଣିପାଗକୁ ଉଷ୍ମ କରିଛି କୋରାପୁଟ ସ୍ୱାସ୍ଥ୍ୟସେବା । କୋରାପୁଟ ମେଡିକାଲ କଲେଜ ବାବଦରେ ସରକାରଙ୍କ ନିର୍ଦ୍ଦେଶକୁ ନେଇ କଂଗ୍ରେସ ବିଧାୟକ କୃଷ୍ଣ ସଗରିଆ ଓ ଜୟପୁର ବିଧାୟକ ତାରା ବାହିନିପତିଙ୍କ ମଧ୍ୟରେ ଟଣାଓଟରା ଲାଗିଥିବା ବେଳେ ଶ୍ରେୟ ନେବା ପାଇଁ ଧାରଣା ଦେଇଛି ବିଜେଡ଼ି ।

କୋରାପୁଟ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜର ମାନ୍ୟତା ମିଳିବା ପରେ ଜୟପୁର ଉପଖଣ୍ଡ ଚିକିତ୍ସାଳୟକୁ ଜିଲ୍ଳା ଚିକିତ୍ସାଳୟର ମାନ୍ୟତା ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ଏହାପରେ କୋରାପୁଟ ଡାକ୍ତରଖାନାରୁ ୧୮ ଜଣ ଡ଼ାକ୍ତର ଓ ପାରା ମେଡ଼ିକାଲ ଷ୍ଟାଫଙ୍କୁ ଜୟପୁରକୁ ବଦଳି କରାଯାଇଛି । ଯାହାକୁ ବିରୋଧ କରି କୋରାପୁଟ ବିଧାୟକ କୃଷ୍ଣ ସଗରିଆ ଗତ ୪ରୁ ୭ ତାରିଖ ଯାଏଁ ଧାରଣା ଦେଇଥିଲେ । ପରେ ମେଡିକାଲ କର୍ତ୍ତୃପକ୍ଷ ସମସ୍ତ ଡ଼ାକ୍ତରଙ୍କୁ ପୁଣି ଫେରାଇ ଅଣିବା ପାଇଁ ଲିଖିତ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନରୁ ଓହରିଥିଲେ ବିଧାୟକ ।

ଜୟପୁରରୁ ଡାକ୍ତର ଫେରାଇ ନେବା ପ୍ରତିଶ୍ରୁତିକୁ ବିରୋଧ କରିଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି । କୌଣସି ଡ଼ାକ୍ତର ଜୟପୁର ଡାକ୍ତରଖାନାରୁ ଫେରିବେ ନାହିଁ, ଆସନ୍ତା ୧୫ ତାରିଖ ସୁଦ୍ଧା ଜୟପୁର ଜିଲ୍ଳା ଚିକିତ୍ସାଳୟରେ କାର୍ଯ୍ୟ ଆରମ୍ଭ ହେବ ନଚେତ ଆନ୍ଦୋଳନ କରିବା ସହ ଆତ୍ମାହୁତି ଦେବେ ବୋଲି ଧମକ ଦେଇଛନ୍ତି ଜୟପୁର ବିଧାୟକ ।

କଂଗ୍ରେସ ବିଧାକୟଙ୍କ ମଧ୍ୟରେ ହେଉଥିବା ଝଗଡ଼ାରେ ଛନ୍ଦି ହୋଇପଡ଼ିଛି ସ୍ୱାସ୍ଥ୍ୟ ସେବା । ଜୟପୁରବାସୀଙ୍କ ପାଇଁ ଅନ୍ୟାୟ ହେଉଥିବା ଦର୍ଶାଇ ଧାରଣ ଦେଇଛି ବିଜେଡି । ସରକାରଙ୍କ ନିଷ୍ପତିକୁ କେହି ରୋକି ପାରିବେ ନାହିଁ, ଆସନ୍ତା ୧୫ ତାରିଖ ସୁଦ୍ଧା ଜୟପୁର ମୁଖ୍ୟ ଚିକିତ୍ସାଳୟର ସେବା ଆରମ୍ଭ କରିବା ଦାବିରେ ଧାରଣାରେ ବସିଛନ୍ତି ବିଜେଡି ନେତା ରବି ନାରାୟଣ ନନ୍ଦ ।

ଡ଼ାକ୍ତରଙ୍କ ବଦଳିକୁ ନେଇ ସ୍ୱାସ୍ଥ୍ୟ ସେବାରେ ବାଧା ସୃଷ୍ଟି ହେଉଥିବା କହିଛନ୍ତି କୋରାପୁଟ ମେଡ଼ିକାଲ କଲେଜ ସୁପରିଟେଣ୍ଡେଂଟ । ଉଭୟ ଜୟପୁର ଓ କୋରାପୁଟ ମେଡ଼ିକାଲ କିଭଳି ସରୁଖୁରୁରେ ଚାଲିବ ତାର ବାଟ କଢ଼଼ାଯିବ, ଏଥିରେ କୌଣସି ଅସୁବିଧା ହେବ ନାହିଁ ବୋଲି କହିଛନ୍ତି କୋରାପୁଟ ଜିଲ୍ଳାପାଳ ।