ଗୁରୁଙ୍କୁ ପିଟିଲେ ପୋଲିସ ! ଖାତା ଦେଖିବାକୁ ଗଲେନି ବୋଲି କ୍ଷତାକ୍ତ କଲେ, ମନଇଛା ମାରିଲେ ତଣ୍ଟିଆ ଓ ମୁଥ

34

କନକ ବ୍ୟୁରୋ : ମାଟ୍ରିକ୍ ଖାତା ମୂଲ୍ୟାୟନକୁ ନେଇ ମହାଭାରତ । ଗୋଟିଏ ପଟେ ଜିଦରେ ଅଟଳ ବ୍ଲକଗ୍ରାଂଟ ଶିକ୍ଷକ, ଅନ୍ୟପଟେ ଆଇନଶୃଙ୍ଖଳା ଆଳରେ ପୁଲିସର ଜୁଲମ୍ । ରାଜ୍ୟର ୫୭ଟି କେନ୍ଦ୍ରରେ ପ୍ରାୟ ୬ଲକ୍ଷ ପରୀକ୍ଷାର୍ଥୀଙ୍କ ଖାତାର ମୁଲ୍ୟାୟନ ହେଉଛି । ଏପଟେ ସରକାରଙ୍କ ଉପରେ ଚାପ ପକାଇବା ପାଇଁ ଆନ୍ଦୋଳନରତ ଶିକ୍ଷକଙ୍କ ଉଦ୍ୟମ । ଏସବୁ ଭିତରେ ରାଜଧାନୀରେ ଆନ୍ଦୋଳନରତ ଶିକ୍ଷକଙ୍କୁ ଗୋଡେଇ ଗୋଡେଇ ମାଡ ମାରିଛି ପୁଲିସ୍ । ତଂଟିଆ ଏବଂ ମୁଥ ମାଡ଼ ସହ ଶିକ୍ଷକଙ୍କୁ ଘଉଡାଇବା ପାଇଁ ଲାଠିଚାର୍ଜ ମଧ୍ୟ କରିଛି । ଆଇନଶୃଙ୍ଖଳା ରକ୍ଷା ନାଁରେ ପୁଲିସ୍, କେତେ କଠୋର ହୋଇପାରେ ଆଜି ତାର ନମୁନା ଦେଖିବାକୁ ମିଳିଛି ।

ଦିନ ଦୁଇପହରେ କ୍ୟାମେରା ସାମ୍ନାରେ ପୁଲିସ୍ ବାବୁଙ୍କ ହିରୋଗିରି । ଗୋଡେଇ ଗୋଡଇ ଆନ୍ଦୋଳନତର ଶିକ୍ଷକଙ୍କ ଉପରେ ହେଉଛି ଆକ୍ରମଣ । କେତେବେଳେ ତଂଟିଆ ମାଡ଼, ତ’ କେତେବେଳେ ମୁଥ ମାଡ଼ । ଆଉ ଯେଉଁ ଭାଷାର ପ୍ରଯୋଗ ହେଉଛି, ତାହା କୌଣସି ସଭ୍ୟ ମଣିଷ କାନରେ ଶୁଣି ପାରିବେନି ।ଶିକ୍ଷକଙ୍କ ଉପରେ ପୁଲିସିଆ ବହପ ଦେଖାଉଥିବା ଖାକିବର୍ଦ୍ଦିଧାରୀ ବାବୁଙ୍କ ନାଁ ହେଉଛି-ଅନୁପ୍ କାନୁନଗୋ । ଯାହାଙ୍କ ଅଧିନରେ ଭୁବନେଶ୍ୱର ଖାରବେଳନଗର ଥାନା । ଆଉ ଯାହାଙ୍କୁ ଅପରାଧୀ ଭଳି ଧକ୍କା ମାରି ପୁଲିସ୍ ଗାଡ଼ି ପାଖକୁ ନିଆଯାଉଥିବା ବ୍ୟକ୍ତି ଜଣକ ହେଉଛନ୍ତି ଆନ୍ଦୋଳନରତ ଶିକ୍ଷକ ଗୋଲକ ନାୟକ । ଯିଏ, ସାଥୀ ଶିକ୍ଷକଙ୍କୁ ନେଇ ଆନ୍ଦୋଳନ କରୁଥିଲେ ।

ସମୟ: ପାଖିପାଖି ୧୧ଟା । କ୍ୟାପିଟାଲ ହାଇସ୍କୁଲ ନିକଟରେ ଦେଖିବାକୁ ମିଳିଲା ଅଭାବନୀୟ ଦୃଶ୍ୟ । ମାଟ୍ରିକ୍ ପରୀକ୍ଷା ଖାତା ମୂଲ୍ୟାୟନକୁ ବିରୋଧ କରି ବ୍ଲକଗ୍ରାଂଟ ଶିକ୍ଷକ ଆନ୍ଦୋଳନ କରୁଥିବା ଖବର ପାଇ ଅଚାନକ୍ ପହଞ୍ଚିଯାଇଥିଲା ପୁଲିସ୍ । ଜୋରଜବରସ୍ତ ଶିକ୍ଷକଙ୍କୁ ସେଠାରୁ ତଡ଼ିବା ସହ ଲାଠି ଚର୍ଚ୍ଚ କରିବାକୁ ମଧ୍ୟ ପଛାଇ ନଥିଲା । ବଡକଥା ହେଉଛି- ମହିଳା ପୁଲିସ୍ ନଥାଇ ମହିଳା ଶିକ୍ଷୟତ୍ରୀଙ୍କୁ ଗୋଡେଇ ଗୋଡେଇ ଆନ୍ଦୋଳନରୁ ହଟାଇଥିଲା । ସମସ୍ତଙ୍କ ଭଳି ଶିକ୍ଷକଙ୍କର ବି ଆନ୍ଦୋଳନ କରିବାର ଅଧିକାର ଅଛି । ହେଲେ ଆଇନଶୃଙ୍ଖଳାର ଦ୍ୱାହୀ ଦେଇ ଖାକିବର୍ଦ୍ଦିବାବୁମାନେ କ’ଣ ଏମିତି ଜୁଲମ୍ କରିବେ ?