ପୋଲାଭରମ ପ୍ରସଙ୍ଗକୁ ନେଇ ସଂସଦରେ ବିଜେଡି ସାଂସଦଙ୍କ ହୋହଲ୍ଲା । ପ୍ରକଳ୍ପର ନିର୍ମାଣ ବିରୋଧରେ ବର୍ତ୍ତମାନ ସୁଦ୍ଧା ନ୍ୟାୟାଳୟରୁ କୌଣସି ଅଦେଶ ଆସିନଥିବା କହିଲେ କେନ୍ଦ୍ର ଜଳସଂପଦ ମନ୍ତ୍ରୀ ।
କନକ ବ୍ୟୁରୋ : ପୋଲାଭରମ ପ୍ରକଳ୍ପକୁ ନେଇ ଲୋକସଭାରେ ତାତି ଦେଖିବାକୁ ମିଳିଥିଲା । ପୋଲଭରମ ପ୍ରସଙ୍ଗକୁ ହୋହଲ୍ଲା କରିଥିଲେ ବିଜେଡି ସାଂସଦ । ବିବାଦୀୟ ପୋଲାଭରମ ଇନ୍ଦିରା ସାଗର ବହୁମୁଖୀ ଜଳସେଚନ ପ୍ରକଳ୍ପ ନେଇ ଓଡ଼ିଶାର ଦାବିଗୁଡ଼ିକୁ ଅଣଦେଖା କରାଯାଇ ପ୍ରକଳ୍ପର କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରାଯାଉଛି ବୋଲି ଅଭିଯୋଗ କରି ଆଜି ଲୋକସଭାରେ ବିଜେଡି ସାଂସଦମାନେ ହୋହଲ୍ଲା କରିଥିଲେ। ପୋଲାଭରମ ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ଲୋକସଭାରେ ବିଜେଡି ମୁଲତବୀ ପ୍ରସ୍ତାବ ପାଇଁ ନୋଟିସ ଦେଇଥିଲା ହେଁ ବାଚସ୍ପତି ସୁମିତ୍ରା ମହାଜନ ଅଗ୍ରାହ୍ୟ କରିଦେଇଥିଲେ।
Kanak News is now on WhatsApp
Join and get latest news updates delivered to you via WhatsApp
ପ୍ରଶ୍ନକାଳରେ ଓ ଶୂନ୍ୟକାଳରେ ବିଜେଡ଼ିର ସାଂସଦମାନେ ନିଜ ଆସନରେ ଠିଆ ହୋଇ ପୋଲାଭରମ ପ୍ରସଙ୍ଗକୁ ସଂସଦରେ ଉପସ୍ଥାପନ କରିବାକୁ ଅନୁମତି ଦିଆନଯାଇ ଓଡ଼ିଶାର ଦାବିକୁ ଗୁରୁତ୍ୱ ଦିଆଯାଉନଥିବାର ପ୍ରତିବାଦ କରିଥିଲେ। ଅପରପକ୍ଷେ, ତେଲୁଗୁ ଦେଶମ ପାର୍ଟିର ସାଂସଦମାନେ ମଧ୍ୟ ପୋଲାଭରମକୁ ସମର୍ଥନ କରିଥିଲେ। ତେବେ ଏହି ପ୍ରସଙ୍ଗକୁ ଶୂନ୍ୟକାଳରେ ଉପସ୍ଥାପନ କରିବାକୁ ବାଚସ୍ପତି ଅନୁମତି ଦେବା ପରେ ବିଜେଡି ସାଂସଦମାନେ ନିଜ ଆସନରେ ବସିଥିଲେ।
ଶୂନ୍ୟକାଳରେ ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ ପୋଲାଭରମ ପ୍ରସଙ୍ଗ ଉପସ୍ଥାପନ କରି କହିଥିଲେ ଯେ ଏହି ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଥିବାବେଳେ ପ୍ରକଳ୍ପକୁ ସାରିବା ପାଇଁ ଜୋରସୋରରେ ପ୍ରୟାସ ଚାଲିଛି। ପ୍ରକଳ୍ପ ପ୍ରଭାବିତ ଅଞ୍ଚଳରେ ଜନଶୁଣାଣି କରାଯିବାର ନିୟମକୁ ଉଲ୍ଲଂଘନ କରାଯାଇଛି। ମହତାବ ଏହା ଉପସ୍ଥାପନ କରିବା ସମୟରେ ଗୃହରେ ବିଜେଡିର ରବୀନ୍ଦ୍ର ଜେନା, ପ୍ରଭାସ ସିଂହ ଓ ପ୍ରସନ୍ନ ପାଟ୍ଟଶାଣୀ ଉପସ୍ଥିତ ଥିଲେ।
ଅପରପକ୍ଷେ, ପୋଲାଭରମ ପ୍ରକଳ୍ପ ସମ୍ପର୍କରେ ବିଜେଡି ସାଂସଦ ବଳଭଦ୍ର ମାଝି ପଚାରିଥିବା ଏକ ଅଣତାରକା ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ଜଳସଂପଦ ରାଷ୍ଟ୍ରମନ୍ତ୍ରୀ ଅର୍ଜ୍ଜନରାମ ମେଘଓ୍ଵାଲ କହିଛନ୍ତି ଯେ ଗୋଦାବରୀ ଜଳ ବିବାଦ ଟ୍ରିବ୍ୟୁନାଲ ଅନୁସାରେ ପୋଲାଭରମ ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯାଉଛି। ପ୍ରକଳ୍ପର ନିର୍ମାଣ ବିରୋଧରେ ବର୍ତ୍ତମାନ ସୁଦ୍ଧା କୌଣସି ନ୍ୟାୟାଳୟରୁ ଅଦେଶ ଆସିନାହିଁ। ୨୦୧୬ ଜୁନ ୨ରେ ଅନ୍ତଃରାଜ୍ୟ ବୈଠକରେ ଓଡ଼ିଶା ଓ ଛତିଶଗଡ଼କୁ ବନ୍ୟାଜଳ ଓ ବ୍ୟାକଓ୍ଵାଟର ସମ୍ପର୍କରେ ତଥ୍ୟ ପ୍ରଦାନ କରାଯିବାକୁ ଆନ୍ଧ୍ରସରକାରଙ୍କୁ କୁହାଯାଇଛି ବୋଲି ମନ୍ତ୍ରୀ ତାଙ୍କର ଉତ୍ତରରେ କହିଛନ୍ତି।