କେନ୍ଦ୍ର ସରକାରଙ୍କ କଠୋର ନିଷ୍ପତି ! ନାବାଳିକା ବଳାକ୍ରାରୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବାକୁ କେନ୍ଦ୍ର ସରକାର ଆଣିଲେ ଅଧ୍ୟାଦେଶ, ଜାଣନ୍ତୁ କଣ ରହିଛି ଅଧ୍ୟାଦେଶରେ
କନକ ବ୍ୟୁରୋ : ଫାଶୀ ଖୁଂଟରେ ଝୁଲିବେ ଦୁଷ୍କର୍ମକାରୀ । ୧୨ ବର୍ଷର କମ୍ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ପ୍ରମାଣିତ ହେଲେ ଦୋଷୀଙ୍କୁ ଦିଆଯିବ ମୃତ୍ୟୁଦଣ୍ଡ । କଠୁଆ କଳଙ୍କ ସାରା ଦେଶର ମୁଣ୍ଡକୁ ତଳକୁ କରି ଦେଇଥିବା ବେଳେ ଦୁଷ୍କର୍ମକାରୀକୁ କଠୋର ଦଣ୍ଡ ପାଇଁ ଆସିଛି ଅଧ୍ୟାଦେଶ । ଫୌଜଦାରୀ ଆଇନରେ ଏହି ସଂଶୋଧନ ପାଇଁ ଆସିଥିବା ଅଧ୍ୟାଦେଶକୁ ଆଜି ମଂଜୁରି ଦେଇଛି କେନ୍ଦ୍ର କ୍ୟାବିନେଟ୍ ।
Kanak News is now on WhatsApp
Join and get latest news updates delivered to you via WhatsApp
କଠୁଆ ଓ ସୁରଟରେ ନାବାଳିକା ଶିଶୁକନ୍ୟା ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସାରା ଦେଶରେ ତମ୍ବିତୋଫାନ ଚାଲିଥିବା ବେଳେ କଠୋର ନିଷ୍ପିତି ନେଇଛନ୍ତି କେନ୍ଦ୍ର ସରକାର । ବିଶେଷ କରି ନାବାଳିକା ଶିଶୁକନ୍ୟା ଦୁଷ୍କର୍ମ ଅଭିଯୋଗ ବଢିଚାଲିଥିବାରୁ ଏହାକୁ ରୋକିବାକୁ ମୃତ୍ୟୁଦଣ୍ଡ ଅଧ୍ୟାଦେଶକୁ ମଂଜୁରୀ ଦେଇଛି କେନ୍ଦ୍ର କ୍ୟାବିନେଟ୍ । କଠୁଆରେ ୮ ବର୍ଷର ଶିଶୁକନ୍ୟାକୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ସାମନାକୁ ଆସିବା ପରେ କାଠଗଡ଼ାରେ ଠିଆ ହୋଇଥିଲେ ସରକାର । ସେହିପରି ସୁରଟରେ ନାବାଳିକାର ମୃତଦେହରେ ୮୬ଟି କ୍ଷତ ଥିବା ଜଣାପଡିବା ପରେ ସାରା ଦେଶରେ ହୋଇଥିଲା ହଇଚଇ । ଶିଶୁକନ୍ୟାକୁ ନ୍ୟାୟ ଦେବା ସହ ଏଭଳି ଜଘନ୍ୟ କାଣ୍ଡକୁ ରୋକିବା ପାଇଁ ଦେଶର କୋଣ ଅନୁକୋଣରୁ ପ୍ରତିବାଦର ସ୍ୱର ତୀବ୍ର ହୋଇଥିଲା । ଶିଶୁକନ୍ୟାଙ୍କ ବଳାକ୍ରାରୀଙ୍କୁ ଫାଶୀ ଖ୍ୁଂଟରେ ଝୁଲାଇଦେବା ଲାଗି ପ୍ରସ୍ତାବ ଦେଇଥିଲେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମାନେକା ଗାନ୍ଧି ।
କେନ୍ଦ୍ରମନ୍ତ୍ରୀ ମେନକା ଗାନ୍ଧିଙ୍କ ଏହି ପ୍ରସ୍ତାବକୁ ବିଧିବଦ୍ଧ ଭାବେ କେନ୍ଦ୍ର କ୍ୟାବିନେଟରେ ଆଗତ କରିଥିଲା ଗୃହ ମନ୍ତ୍ରଣାଳୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ ଏହି ଅଧ୍ୟାଦେଶକୁ ସ୍ୱୀକୃତି ଦେଇଛନ୍ତି । ପକସୋ ବା ଶିଶୁ ଯୌନଶୋଷଣ ସୁରକ୍ଷା ଆଇନର ସଂଶୋଧନ ପ୍ରସ୍ତାବକୁ ମଂଜୁରୀ ମିଳିଛି । ଫୌଜଦାରୀ ଆଇନ ସଂଶୋଧନ ଅଧ୍ୟାଦେଶରେ ଆଇପିସି, ସିଆରପିସି, ଏଭିଡେନ୍ସ ଆକ୍ଟ, ପକ୍ସୋ ଆକ୍ଟରେ କଡ଼ା ଦଣ୍ଡବିଧାନ ପାଇଁ ପ୍ରସ୍ତାବ ରହିଛି ।
ଜାଣନ୍ତୁ କ’ଣ ରହିଛି ଏହି ଅଧ୍ୟାେଦେଶରେ
୧. ୧୨ ବର୍ଷରୁ କମ୍ ଶିଶୁକନ୍ୟାଙ୍କ ଦୁଷ୍କର୍ମକାରୀକୁ ଫାଶୀ, ଅତି କମରେ ୨୦ ବର୍ଷ ଜେଲ କିମ୍ବା ଆଜୀବନ କାରାଦଣ୍ଡ
୨. ପୀଡ଼ିତାଙ୍କ ବୟସ ୧୬ ବର୍ଷରୁ କମ୍ ହୋଇଥିଲେ ବଳାକ୍ରାରୀଙ୍କ ପାଇଁ ସର୍ବନିମ୍ନ ସଜା ୧୦ ବର୍ଷରୁ ୨୦ ବର୍ଷକୁ ବୃଦ୍ଧି କିମ୍ବା ଆଜୀବନ କାରାଦଣ୍ଡ
୩. ମହିଳା ଦୁଷ୍କର୍ମ ମାମଲାରେ ସର୍ବନିମ୍ନ ସଜା ୭ ବର୍ଷରୁ ୧୦ ବର୍ଷକୁ ବୃଦ୍ଧି
୪. ୧୬ ବର୍ଷରୁ କମ୍ ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ ମିଳିବନି ଆଗୁଆ ଜାମିନ
୫. ଦୁଷ୍କର୍ମ ମାମଲାର ଶୁଣାଣି ସାରିବାକୁ ସମୟସୀମା ଧାର୍ଯ୍ୟ
୬. ଦୁଷ୍କର୍ମ ମାମଲାର ଶୀଘ୍ର ଶୁଣାଣି ପାଇଁ ହେବ ନୂଆ ଫାଷ୍ଟ ଟ୍ରାକ୍ କୋର୍ଟ ସ୍ଥାପନ
ସାରାଦେଶରେ ବଢିଚାଲିଛି ନାବାଳିକା ଓ ଶିଶୁକନ୍ୟା ଦୁଷ୍କର୍ମ ଅଭିଯୋଗ । ଏପରିକି ଓଡ଼ିଶାର ନୀଳଗିରି, ସୋର, କଳାହାଣ୍ଡିରେ ମଧ୍ୟ ଏଭଳି ସଂଗୀନ ଅପରାଧର ଅଭିଯୋଗ ଆସିଛି । କେନ୍ଦ୍ର କ୍ୟାବିନେଟ୍ ଅଧ୍ୟାଦେଶକୁ ମଂଜୁରୀ ଦେବା ପରେ ଏହାକୁ ସ୍ୱାଗତ କରିଛନ୍ତି ସାମାଜିକ ସଂଗଠନ । ଏହି ନୂଆ ଅଧ୍ୟାଦେଶକୁ ରାଷ୍ଟ୍ରପତି ଅନୁମୋଦନ କରିବା ପରେ ତୁରନ୍ତ କାର୍ଯ୍ୟକାରୀ କରାଯିବ । ପରେ ସଂସଦରେ ଏହି ବିଲ୍ ପାରିତ ହେଲେ ଆଇନରେ ପରିଣତ ହେବ ।