ଫାଙ୍କା ଏଟିଏମକୁ ନେଇ ରାଜନୀତି ! ଟଙ୍କା ସଙ୍କଟ ନେଇ ରାଜ୍ୟବ୍ୟାପୀ ବିଜେଡିର ୨ ଘଣ୍ଟିଆ ପ୍ରତିବାଦ, ଏସବିଆଇ କହିଲା, ଚେଷ୍ଟା କରୁଛୁ

18

କନକ ବ୍ୟୁରୋ : ଟଙ୍କା ପାଇଁ ଲୋକ ଗୋଟିଏ ଏଟିଏମରୁ ଆଉ ଗୋଟିଏ ଏଟିଏମକୁ ଧାଉଁଥିବା ବେଳେ ଆଜି ପ୍ରତିବାଦକୁ ଓହ୍ଲାଇଛି ବିଜେଡି । ରାଜ୍ୟର ସବୁ ଜିଲ୍ଲାର ବିଭିନ୍ନ ବ୍ୟାଙ୍କ ଆଗରେ ଧାରଣା ଦେବା ସହ କେନ୍ଦ୍ର ସରକାରଂକୁ କାଠଗଡ଼ାରେ ଠିଆ କରିଛି । ଏସବୁ ଭିତରେ ଏସବିଆଇ ଏଟିଏମ୍ ଉପରେ ନିର୍ଭରଶୀଳ ଥିବା ଗ୍ରାହକ ବେଶୀ ହଇରାଣ ହେଉଥିବା ଅଭିଯୋଗ ହୋଇଛି ।

ଦେଶର ସବୁଠୁ ନିର୍ଭରଶୀଳ ବ୍ୟାଙ୍କ କୁହାଯାଉଥିବା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଏଟିଏମର ଅସଲ ଚିତ୍ର ଦେଖିଲେ ଆଶ୍ଚର୍ଯ୍ୟ ହେବେ । କେଉଁଠି ସଟର ପଡିଛି ତ’ ଆଉ କେଉଁଠି ଟଙ୍କା ନାହିଁ ବୋଲି ଲେଖା ରହିଛି । ମାତ୍ର ୨୪ ଘଂଟା ଭିତରେ ସ୍ୱାଭାବିକ ଅବସ୍ଥା ଫେରି ଆସିବ ବୋଲି ଦାବି କରିଥିବା ଷ୍ଟେଟ୍ ବ୍ୟାଙ୍କ ଅଧ୍ୟକ୍ଷ ରଜନୀଶ କୁମାରଙ୍କ ମନ୍ତବ୍ୟ ପରର ଦୁଇ ଦିନ ପରେ ଏଟିଏମ୍ ଗୁଡ଼ିକର ଏଭଳି ଅବସ୍ଥା । ଯାହା ଫଳରେ ଲୋକଙ୍କୁ ନିରାଶ ହୋଇ ଫେରିବାକୁ ପଡୁଛି ।

ଦେଶରେ ପ୍ରାୟ ୫୯ ହଜାର ଏସବିଆଇ ଏଟିଏମ୍ ମଧ୍ୟରୁ ଓଡ଼ିଶାରେ ରହିଛି ପ୍ରାୟ ୩ହଜାରୁ ଅଧିକ ଏଟିଏମ୍ । ଆଉ ଅଧିକାଂଶ ଏସବିଆଇ ଏଟିଏମରେ ଟଙ୍କା ବାହାରୁନଥିବା ଅଭିଯୋଗ ହୋଉଛି । ହେଲେ ଏସବିଆଇ କହୁଛି-ଆମେ ଚେଷ୍ଟା କରୁଛୁ । ଅନ୍ୟପଟେ ଏଟିଏମରେ ଟଙ୍କା ସଂକଟ ନେଇ ରାସ୍ତାକୁ ଓହ୍ଲାଇଛି ବିଜେଡି । ରାଜ୍ୟର ସମସ୍ତ ଜିଲ୍ଲାରେ ବ୍ୟାଙ୍କଗୁଡ଼ିକ ସାମ୍ନାରେ ୨ ଘଂଟିଆ ପ୍ରତିବାଦ କରିଛି ବିଜେଡି ।

ନଗଦ ସଂକଟକୁ ନେଇ ବିଜେଡି, ଅଘୋଷିତ ଜରୁରୀକାଳିନ ପରିସ୍ଥିତି ବୋଲି ଅଭିଯୋଗ କରିବା ସହ ବିଜେପି ସରକାର ନିର୍ବାଚନ ପାଇଁ ଟଙ୍କା ସଂଚୟର ବାଟ ଖୋଜୁଛନ୍ତି ବୋଲି ଅଭିଯୋଗ କରିଛି । ଯାହାକୁ ଅତି ଦୁର୍ଭାଗ୍ୟଜନକ କହି, ନିନ୍ଦା କରିଛି ବିଜେପି । ଏଟିଏମରୁ ଟଙ୍କା ବାହାରୁ ନାହିଁ । ବ୍ୟାଙ୍କଗୁଡ଼ିକ ପକ୍ଷରୁ ଗୋଟିଏ ପରେ ଗୋଟିଏ ପ୍ରତିଶ୍ରୁତି ମିଳୁଛି । ନୂଆ ୫ଶହ ଟଙ୍କା ନୋଟ୍ ଛାପିବା ନେଇ ସରକାର ଘୋଷଣା କରୁଛନ୍ତି । ଆଉ ଏସବୁ ଭିତରେ ଲୋକ ହଇରାଣ ହେଉଛନ୍ତି । ଆଉ ଏଥିରୁ ରାଜନୀତିର ରୁଟି ସେକିବାକୁ ପଛଘୁଂଚା ଦେଉ ନାହାଁନ୍ତି ରାଜନୈତିକ ଦଳ ।