ଉଜ୍ଜ୍ୱଳା ସ୍ୱାଭିମାନ ଉତ୍ସବ ! ଓଡ଼ିଶାର ୫୦ ହଜାର ହିତାଧିକାରୀଙ୍କ ସହ ଭିଡ଼ିଓ କନଫରେସିଂ ଜରିଆରେ କଥା ହେଲେ ଦୁଇ କେନ୍ଦ୍ରମନ୍ତ୍ରୀ ।

82

କନକ ବ୍ୟୁରୋ: ଉଜ୍ଜ୍ୱଳା ସ୍ୱାଭିମାନ ଉତ୍ସବର ତୃତୀୟ ସଂସ୍କରଣ ଅବସରରେ ନୂଆଦିଲ୍ଲୀରେ ଭିଡିଓ କନଫରେନ୍ସି ଦ୍ୱାରା ୫୦ ହଜାରରୁ ଉଦ୍ଧ୍ୱର୍ ଲାଭାର୍ଥୀ ମହିଳାମାନଙ୍କ ସହ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଉମା ଭାରତୀ ଓ ଧର୍ମେନ୍ଦ୍ର ପ୍ରଧାନ । ମହିଳାଙ୍କ ବିକାଶ ଉପରେ ଗୁରୁତ୍ୱ ଦେଇଛନ୍ତି ମୋଦି ସରକାର । ମହିଳାଙ୍କ ବିକାଶକୁ ଆଖି ଆଗରେ ରଖି ସରକାର ଅନେକ ଗୁଡିଏ ଲୋକାଭିମୁଖୀ ଯୋଜନା ଆରମ୍ଭ କରିଛନ୍ତି । ଉଜ୍ଜଳା ଯୋଜନା ସହ ପାଇଖାନା ସୁବିଧା, ଗରିବ ଲୋକଙ୍କୁ ପକ୍କା ଘର, ବିଜୁଳି ଦେବା ନରେନ୍ଦ୍ର ମୋଦିଙ୍କ ସରକାରଙ୍କ ପ୍ରାଥମିକତା । ମହିଳାଙ୍କ ଆଖିରୁ ଲୁହ ପୋଛି ମୁହଁରେ ହସ ଫୁଟେଇବାର ସବୁଠୁ ବଡ ଯୋଜନା ହେଲା ଉଜ୍ଜଳା ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଉମା ଭାରତୀ ।

ସେହିପରି ଓଡିଶାର ୩୭ ଲକ୍ଷ ଘରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ପହଁଚିସାରିଛି । ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବା ପୂର୍ବରୁ ଓଡିଶାରେ ୧୦୦ ରୁ ୨୦ ଜଣଙ୍କ ଘରେ ଏଲପିଜି ସଂଯୋଗ ନଥିଲା । ମାତ୍ର ଆଜି ଓଡିଶାର ୭୫ ପ୍ରତିଶତ ଘରେ ଏଲପିଜି ସଂଯୋଗ ହେଲାଣି । ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ମହିଳାଙ୍କୁ ସ୍ୱାବଲମ୍ବୀ କରିବା ସହ ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବାରେ ସହାୟକ ହୋଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଆଜି ଉଜ୍ଜଳା ସ୍ୱାଭିମାନ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଉମା ଭାରତୀ ଓଡିଶାର ହିଞ୍ଜିଳି, ଘସିପୁରା, ବାଲିଶଙ୍କରା, ମାହାଙ୍ଗା ଏବଂ ନବରଙ୍ଗପୁରର ଝରିଙ୍ଗାର ଉଜ୍ଜଳା ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ । ଉଜ୍ଜଳା ଯୋଜନାର ଲାଭାର୍ଥୀ ମାନେ କହିଥିଲେ ଯେ ଗ୍ୟାସ ନଆସିବା ପୂର୍ବରୁ ସେମାନେ ଗଛ କାଟି, କାଠ ଜାଳି ଚୂଲା ମାଧ୍ୟମରେ ରୋଷେଇ କରୁଥିଲେ । ଏହାଦ୍ୱାରା ସେମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା । ସେମାନଙ୍କ ସ୍ୱାସ୍ଥ୍ୟ ମଧ୍ୟ ବିଗୁଡୁଥିଲା । ମାତ୍ର ଉଜ୍ଜଳା ଯୋଜନାରେ ତାଙ୍କ ଘରେ ଗ୍ୟାସ ଆସିବା ପରେ ସେମାନେ ଏଥିରୁ ମୁକ୍ତ ହେବା ସହ ସମୟ ବଂଚାଇପାରୁଛନ୍ତି ।