ସୁନ୍ଦରଗଡ଼ରେ ଟେଟେ ବନାମ ଯୋଗେଶ! ଭୁବନେଶ୍ୱରର ମନ ମିଶିଥିଲା, ସୁନ୍ଦରଗଡ଼ରେ ବୁଝିଲାନି ମନ ।୨୦୧୯ ପାଇଁ କିଏ ନେବ ଟିକେଟ?

182

କନକ ବ୍ୟୁରୋ : ସୁନ୍ଦରଗଡ ବିଜେଡିରେ କନ୍ଦଳ ଚର୍ଚା ଜୋର ଧରିଛି । ବିଜେଡିରେ ଯୋଗ ଦେବାପରେ ସୁନ୍ଦରଗଡରେ ଆୟୋଜିତ ଯୋଗେଶ ସିଂଙ୍କ ସ୍ୱାଗତ ଶୋଭାଯାତ୍ରାରେ ଯୋଗ ଦେଇନଥିଲେ ବରିଷ୍ଠ ନେତା ତଥା ୨୦୧୪ର ବିଜେଡି ବିଧାୟକ ପ୍ରାର୍ଥୀ କୁସୁମ ଟେଟେ । ସମାନ ଢଙ୍ଗରେ ସ୍ୱତନ୍ତ୍ର ବିକାଶ ପରିଷଦର ଅଧ୍ୟକ୍ଷା ହେବା ପରେ କୁସୁମ ଟେଟେଙ୍କ ସ୍ୱାଗତ ରୋଡ୍ ସୋରେ ସାମିଲ ହୋଇନାହାଁନ୍ତି ଯୋଗେଶ ସିଂ । ଚର୍ଚା ହେଉଛି, ଦଳରେ ଯୋଗେଶଙ୍କୁ ନେଇ ଏବେବି ଖପ୍ପା କୁସୁମ ଟେଟେ ।

ରାଜରାସ୍ତାରେ ବିଶାଳ ରୋଡ୍ ସୋ । ହଜାର ହଜାର କର୍ମୀଙ୍କ ଶୋଭାଯାତ୍ରା । ସୁନ୍ଦରଗଡ ସ୍ୱତନ୍ତ୍ର ବିକାଶ ପରିଷଦର ଅଧ୍ୟକ୍ଷା ହେବା ପରେ କୁସୁମ ଟେଟେଙ୍କୁ ସ୍ୱାଗତ କରି କର୍ମୀ କରିଥିଲେ ରୋଡ୍ ସୋ । ୧୦ ହଜାରରୁ ଅଧିକ କର୍ମୀଙ୍କୁ ନେଇ ସୁନ୍ଦରଗଡରେ ଯେପରି ଶକ୍ତି ପ୍ରଦର୍ଶନ କରିଥିଲେ କୁସୁମ ଟେଟେ । ହେଲେ ଟେଟେଙ୍କ ସ୍ୱାଗତ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିନଥିଲା ବିଜେଡିରେ ସଜସଜ ମିଶିଥିବା ପୂର୍ବତନ ବିଧାୟକ ଯୋଗେଶ ସିଂହଙ୍କୁ ।

ବିଜେଡିରେ ମିଶିବା ପରେ ଗତ ୮ ତାରିଖରେ ନିଜ ନିର୍ବାଚନ ମଣ୍ଡଳୀ ସୁନ୍ଦରଗଡରେ ପହଁଚିଥିଲେ ଯୋଗେଶ ସିଂ । ପ୍ରବଳ ବର୍ଷାରେ ବିଶାଳ ରୋଡ ଶୋ କରି ଯୋଗେଶଙ୍କୁ ସ୍ୱାଗତ କରିଥିଲେ ବିଜେଡି କର୍ମୀ । ହେଲେ ସ୍ୱାଗତ ଉତ୍ସବରେ ସାମିଲ ହୋଇନଥିଲେ ବିଜେଡି ନେତ୍ରୀ ତଥା ୨୦୧୪ର ବିଜେଡି ପ୍ରାର୍ଥୀ କୁସୁମ ଟେଟେ । କହିଥିଲେ, ତାଙ୍କୁ ସ୍ୱାଗତ ଉତ୍ସବକୁ ଡକାଯାଇନଥିଲା ।

ଯୋଗେଶ ସିଂ ଏବଂ କୁସୁମ ଟେଟେ । କେହି କାହାକୁ ଖୋଲାଖୋଲି ଭାବେ ବିରୋଧ ନକରୁଥିଲେ ବି ଜଣେ ଅନ୍ୟ ଜଣଙ୍କ କାର୍ଯ୍ୟକ୍ରମରେ ଯୋଗ ନଦେବା ସୁନ୍ଦରଗଡ ବିଜେଡିରେ ସବୁକିଛି ଠିକ୍ ଚାଲିନଥିବା ଚର୍ଚାକୁ ଖୋରାକ ଯୋଗାଉଛି । ଏହାରି ଭିତରେ ସାରା ସୁନ୍ଦରଗଡରେ ଯୋଗେଶ ସିଂ ଓ କୁସୁମ ଟେଟେଙ୍କ ପୋଷ୍ଟର ଛାଇଗଲାଣି । ହେଲେ ଟିକେଟ୍ କାହାକୁ ମିଳିବ, ତାକୁ ନେଇ ନେତା ସନ୍ଦିହାନ ।