ପ୍ରତିପକ୍ଷଙ୍କୁ ମାତ୍ ଦେବାକୁ ନବୀନଙ୍କ ‘ଫର୍ମୁଲା ୪୯’! ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ, ବିଜେଡି ସୁପ୍ରିମୋ ଖେଳିପାରନ୍ତି ବଡ ବାଜି?

ବିଜେଡିର ମିଶନ ୪୯ରେ ନବୀନଙ୍କ ବଡ ଅସ୍ତ୍ର ଭାବେ ଉଭା ହେବାକୁ ଯାଉଛନ୍ତି ମହିଳା । ଅଥାର୍ତ ଆଗାମୀ ନିର୍ବାଚନରେ ମହିଳା କାର୍ଡ ଖେଳିପାରନ୍ତି ନବୀନ । ମୋଟ ୧୪୭ ପ୍ରାର୍ଥୀଙ୍କ ମଧ୍ୟରୁ ୪୯ ମହିଳାଙ୍କୁ ପ୍ରାର୍ଥୀ କରି ମୈଦାନକୁ ଓହ୍ଲାଇପାରେ ବିଜେଡି

1,999

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ପାଇଁ ଅଙ୍କ କଷିଲେଣି ରାଜ୍ୟର ୩ ପ୍ରମୁଖ ଦଳ । ବିଜେଡି ପୁଣିଥରେ ସରକାରକୁ ଫେରିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଥିବା ବେଳେ ବିଜେପି ଶାହାଙ୍କ ମିଶନ-୧୨୦ ରଣନୀତି ଉପରେ କାର୍ଯ୍ୟ କରୁଛି । ଆଉ କଂଗ୍ରେସ ଅଣ୍ଟା ସଳଖି ଛିଡା ହେବାକୁ ଜି ଜାନ୍ ଲଗାଇଦେଇଛି । ଏଭଳି ସ୍ଥିତିରେ ବିଜେପି ଓ କଂଗ୍ରେସକୁ ଚକମା ଦେବାକୁ ବିଜେଡି ମିଶନ ୪୯ ମାଧ୍ୟମରେ ମାଷ୍ଟରଷ୍ଟ୍ରୋକ ମାରିବାକୁ ଲକ୍ଷ୍ୟ ରଖିଥିବା ଚର୍ଚ୍ଚା ହେଉଛି । ବିଜେଡିର ଏହି ମିଶନ ୪୯ କଣ ତାହାର ଟେର ବିରୋଧୀ ପାଇବା ପୂର୍ବରୁ ଦଳ ଏହା ଉପରେ କାମ ଆରମ୍ଭ କରିଥିବା ଶୁଣିବାକୁ ମିଳୁଛି । ମିଶନ ୪୯କୁ ସଫଳ କରିବାକୁ ସର୍ଭେ ରିପୋର୍ଟ ଏକରକମ ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଥିବା ବେଳେ କେବଳ ଦଳୀୟ ସୁପ୍ରିମୋଙ୍କ ମୋହର ବାଜିବାକୁ ଅପେକ୍ଷା କରାଯାଇଥିବା ରାଜନୈତିକ ମହଲରେ ଶୁଣିବାକୁ ମିଳୁଛି । ତେବେ କଣ ଏହି ମିଶନ ୪୯ । ଯାହା ବିଜେଡିକୁ ନିର୍ବାଚନୀ ରେସରେ ବିଜେପି ଓ କଂଗ୍ରେସ ଠାରୁ ଆଗୁଆ ରଖିବ ।

ବିଜେଡିର ମିଶନ ୪୯ରେ ନବୀନଙ୍କ ବଡ ଅସ୍ତ୍ର ଭାବେ ଉଭା ହେବାକୁ ଯାଉଛନ୍ତି ମହିଳା । ଅଥାର୍ତ ଆଗାମୀ ନିର୍ବାଚନରେ ମହିଳା କାର୍ଡ ଖେଳିପାରନ୍ତି ନବୀନ । ମୋଟ ୧୪୭ ପ୍ରାର୍ଥୀଙ୍କ ମଧ୍ୟରୁ ୪୯ ମହିଳାଙ୍କୁ ପ୍ରାର୍ଥୀ କରି ମୈଦାନକୁ ଓହ୍ଲାଇପାରେ ବିଜେଡି । ଅଥାର୍ତ ମୋଟ ପ୍ରାର୍ଥୀଙ୍କ ମଧ୍ୟରୁ ଏକ ତୃତୀୟାଂଶ ମହିଳା ପ୍ରାର୍ଥୀଙ୍କୁ ବିଜେଡି ଟିକେଟ ଦେବା ନେଇ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିବା ଚର୍ଚ୍ଚା ହେଉଛି । ଆଉ ଏଭଳି କରି ନବୀନ ମହିଳାଙ୍କ ଲାଗି ୩୩ ପ୍ରତିଶତ ସଂରକ୍ଷଣ ଲାଗୁ କରିବାକୁ ଯେଉଁ ଦାବି କରୁଥିଲେ ତାହାକୁ ପୂରଣ କରୁଥିବା ନେଇ ଏକ ବାର୍ତ୍ତ ମଧ୍ୟ ଦେଇପାରିବେ ।

ବିଜେଡିର ଏହି ମିଶନ ୪୯ରେ ପ୍ରତ୍ୟେକ ଜିଲ୍ଲାରୁ ଆପାତତଃ ଜଣେ ଲେଖାଏଁ ମହିଳାଙ୍କୁ ପ୍ରାର୍ଥୀ କରିବା ନେଇ ଯୋଜନା କରିଛି । ଖାସକରି ଲୋକପ୍ରିୟତା, ଦୃଢ ସଙ୍ଗଠନ ଓ ବିଜୟ ସମ୍ଭାବନା ଥିବା ମହିଳାଙ୍କୁ ପ୍ରାର୍ଥୀ କରିପାରେ ବିଜେଡି । ଏନେଇ ସର୍ଭେ ରିପୋର୍ଟ ସହ ଦଳୀୟ ପର୍ଯ୍ୟବେକ୍ଷକଙ୍କୁ ଗୁରୁଦାୟିତ୍ୱ ଦିଆଯାଇଛି । ଦଳୀୟ ପର୍ଯ୍ୟବେକ୍ଷକଙ୍କ ରିପୋର୍ଟ ଆସିବା ପରେ ଏହାକୁ ତର୍ଜମା କରାଯାଇ ପ୍ରାର୍ଥୀ ଚୟନ କରାଯିବ ବୋଲି ଶୁଣିବାକୁ ମିଳୁଛି । ଏପରିକି ଯେଉଁ ଜିଲ୍ଲା ଗୁଡିକରେ ମହିଳା ନେତ୍ରୀ ମାନେ ସକ୍ରିୟ ରହି ଦଳ ପାଇଁ କାମ କରୁଛନ୍ତି ଓ ଜିତିବା ସମ୍ଭାବନା ଅଧିକ ରହିଛି ସେହି ସବୁ ଜିଲ୍ଲାରେ ଏକରୁ ଅଧିକ ପ୍ରାର୍ଥୀ ମଧ୍ୟ ଦେଇପାରେ ବିଜେଡି ।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ମିଶନ ୪୯ ମାଧ୍ୟମରେ ଦଳୀୟ ଅନ୍ତଃକନ୍ଦଳକୁ ମଧ୍ୟ ପ୍ରଶମିତ କରିବାକୁ ଲକ୍ଷ୍ୟ ରଖିଛି ବିଜେଡି । ଅଥାର୍ତ ଯେଉଁଠାରେ ବିଜେଡି ନେତାଙ୍କ ବିରୋଧରେ ସ୍ଥାନୀୟ ଅଞ୍ଚଳରେ ଜନଅସନ୍ତୋଷ ରହିଥିବ ସେଠାରେ ଉକ୍ତ ନେତାଙ୍କ ସର୍ମ୍ପକୀୟ ମହିଳାଙ୍କୁ ଦଳ ପ୍ରାର୍ଥୀ କରି ଅନ୍ତଃକନ୍ଦଳକୁ ପ୍ରଶମିତ କରିବା ସହ ବିରୋଧୀଙ୍କୁ ଚେକମେଟ ଦେବାକୁ ଯୋଜନା ରଖିଥିବା ଚର୍ଚ୍ଚା ହେଉଛି ।

naveenନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବା ବେଳେ ବିଜେଡିର ଫୋକସରେ ରହିଛନ୍ତି ମହିଳା । ରାଜ୍ୟରେ ୪୫ ପ୍ରତିଶତ ମହିଳା ଭୋଟର ରହିଥିବା ବେଳେ ଏହି ଭୋଟବ୍ୟାଙ୍କକୁ ହାତଛଡା କରିବାକୁ ଚାହୁଁନାହିଁ ଦଳ । ଖାସକରି ଚତୁର୍ଥ ପାଳିରେ ମହିଳାଙ୍କୁ ବିଭିନ୍ନ କ୍ଷେତ୍ରରେ ଅଗ୍ରାଧିକାର ଦେବା ସହ ବିଭିନ୍ନ ଯୋଜନା ଘୋଷଣା କରିଛନ୍ତି ନବୀନ । ମହିଳାଙ୍କ ହକର ଲଢେଇରେ ନିଜକୁ ସାମିଲ କରିବା ସହ ମହିଳା ସଶକ୍ତିକରଣ ପାଇଁ ନୂଆ ନୂଆ ଘୋଷଣା କରିଛନ୍ତି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାଙ୍କୁ ୭ ଲକ୍ଷ ଟଙ୍କାର ବୀମା ହେଉ ଅବା ମିଶନ ଶକ୍ତି କାର୍ଯ୍ୟକ୍ରମ ମାଧ୍ୟମରେ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ହେଉ ପ୍ରତ୍ୟେକ କ୍ଷେତ୍ରରେ ମହିଳାଙ୍କ ଅଗ୍ରାଧିକାର ଦେଇଥିବା ବିଜେଡି ସରକାର ମହିଳାଙ୍କ ଭୋଟବ୍ୟାଙ୍କକୁ ନିଜ ସପକ୍ଷକୁ ଆଣିପାରୁଛି କି ନାହିଁ ତା ଉପରେ ସମସ୍ତଙ୍କର ନଜର ରହିଛି ।