ଜାରି ରହିଛି ରାଫେଲ ରଣ । ଆଉ ଏକ ଅଭଯୋଗ ଆଣିଲେ ରାହୁଲ୍ । କହିଲେ, ପ୍ରତିରକ୍ଷା ମନ୍ତ୍ରାଳୟ ଡିଲ କରୁଥିବା ବେଳେ ସମାନ୍ତରାଳ ଆଲୋଚନା କରିଥିଲେ ମୋଦି

102

କନକ ବ୍ୟୁରୋ: ସଂସଦରେ ରାଫେଲକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିରୋଧୀଙ୍କ ଉପରେ ବର୍ଷିବା ପରେ ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଘେରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଅଫିସକୁ, ପ୍ରତିରକ୍ଷା ମନ୍ତ୍ରାଳୟ ଲେଖିଥିବା ଏକ ଚିଠି ଦେଖାଇ, ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି ରାହୁଲ । ରାଫେଲ ଡିଲ ନେଇ ଫ୍ରାନ୍ସ ସରକାରଙ୍କ ସହ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମାନ୍ତରାଳ କଥାବାର୍ତା ନେଇ ସେହି ଚିଠିରେ କ୍ଷୋଭ ପ୍ରକାଶ କରିଥିଲା ପ୍ରତିରକ୍ଷା ମନ୍ତ୍ରାଳୟ । ଆଉ ସେହି ଚିଠିକୁ ଅସ୍ତ୍ର କରି ମୋଦୀ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ।

 

ରାଫେଲ ଯୁଦ୍ଧ ବିମାନ ଶତ୍ରୁ ପକ୍ଷ ଉପରେ କେତେ ପ୍ରଭାବୀ ହେବ, ତାହା ଅପେକ୍ଷା ନିର୍ବାଚନୀ ବର୍ଷରେ ପାଲଟିଯାଇଛି ରାଜନୈତିକ ଲଢ଼େଇର ମୁଖ୍ୟ ଅସ୍ତ୍ର । ଆଉ ଶୁକ୍ରବାର ଦିନ ନେଇଛି ଆଉ ଏକ ନାଟକୀୟ ମୋଡ଼ । ଦୈନିକ ଖବରକାଗଜ ‘ଦ ହିନ୍ଦୁ’ରେ ପ୍ରକାଶିତ ଏକ ରିପୋର୍ଟ ଆଧାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ରିପୋର୍ଟ ଅନୁସାରେ ୨୦୧୫ ନଭେମ୍ବର ମାସରେ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ପିଏମ୍ଓ ବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଏକ ଚିଠି ଲେଖାଯାଇଥିଲା । ରାଫେଲ ଡିଲ ନେଇ ଫ୍ରାନ୍ସ ସରକାରଙ୍କ ସହ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମାନ୍ତରାଳ କଥାବାର୍ତା ନେଇ ସେହି ଚିଠିରେ କ୍ଷୋଭ ପ୍ରକାଶ କରିଥିଲା ପ୍ରତିରକ୍ଷା ମନ୍ତ୍ରାଳୟ । ଏହାକୁ ଅସ୍ତ୍ର କରି ମୋଦୀ ସରକାରଙ୍କ ଉପରେ ହମଲା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ।

ତେବେ କଂଗ୍ରେସ କରି ଆସୁଥିବା ଅଭିଯୋଗ ସତ ଓ ପ୍ରମାଣିତ ହୋଇଥିବା କହିଛନ୍ତି ରାହୁଲ । ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ଫ୍ରାଙ୍କଇସ୍ ଓଲାନ୍ଦେଂକ ନାଁ ମଧ୍ୟ ନେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ । ପ୍ରଧାନମନ୍ତ୍ରୀ ମୋଦି ବ୍ୟକ୍ତିଗତ ଭାବେ ଅନୀଲ ଅମ୍ବାନୀଙ୍କ ନାଁ ସୁପାରିଶ୍ କରିଥିବା ଓଲାନ୍ଦେ କହିଥିଲେ ବୋଲି ଅଭିଯୋଗ ଦୋହରାଇଛନ୍ତି ରାହୁଲ ।  ସେପଟେ ରାହୁଲଙ୍କ ଅଭିଯାଗ ନେଇ ଜବାବ ରଖିଛନ୍ତି କେନ୍ଦ୍ର ସରକାର । ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ ଏନେଇ ଲୋକସଭାରେ ବିବୃତି ରଖିଛନ୍ତି । କହିଛନ୍ତି, କଂଗ୍ରେସ ପକ୍ଷରୁ ଅଣାଯାଇଥିବା ନୂଆ ଅଭିଯୋଗ ଆଉ ଏକ ପ୍ରପୋଗାଣ୍ଡା । ଗଣମାଧ୍ୟମରେ ପ୍ରକାଶ ପାଇଥିବା ଅଧା ଖବରକୁ ନେଇ ରାହୁଲ ଏହି ଅଭିଯୋଗ କରିଛନ୍ତି, ଏହା ମଲା ଘୋଡ଼ାକୁ ପିଟିବା ଭଳି ।

ଗତକାଲି ଲୋକସଭାରେ ରାଫେଲ ଅଭିଯୋଗକୁ ନେଇ କଂଗ୍ରେସ ଉପରେ ବର୍ଷିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତେବେ ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଫେଲକୁ ନେଇ ତାତି ସେତିକି ବଢିବାରେ ଲାଗିଛି । କଂଗ୍ରେସର ଲଗାତର ଅଭିଯୋଗ ଓ କେନ୍ଦ୍ର ସରକାରଙ୍କ ଜବାବ ପରେ ଏହି ବିବାଦକୁ ଆହୁରି ଘନିଭୂତ କରିଛି ।