କମୁଛି କି ଶିକ୍ଷାର ମାନ ! ମେଧାବୀ ତାଲିକାରେ ନାହାନ୍ତି ରେଭେନ୍ସା, ବିଜେବି ଓ ରମାଦେବୀ

24

କନକ ବ୍ୟୁରୋ : କେମିତି ଚାଲିଛି ସରକାରୀ କଲେଜରେ ପାଠପଢା । ଚଳିତବର୍ଷ ଯୁକ୍ତ ଦୁଇ ବିଜ୍ଞାନରେ ମାତ୍ର ୨୭ ଜଣ ୯୦ ପ୍ରତିଶତରୁ ଅଧିକ ମାର୍କ ରଖି ପାସ୍ କରିଛନ୍ତି । ଏହାପରେ ରାଜ୍ୟର ବଡ ବଡ ସରକାରୀ କଲେଜରେ ପାଠପଢା ନେଇ ଉଠିଛି ପ୍ରଶ୍ନ । ଯୁକ୍ତ ଦୁଇରେ ପାଠ ପଢିବାକୁ ହେଲେ ଏସବୁ କଲେଜରେ ଛାତ୍ରଛାତ୍ରୀଙ୍କୁ ୯୦ ପ୍ରତିଶତରୁ ଅଧିକ ମାର୍କ ନିହାତି ଦରକାର । ହେଲେ ଯୁକ୍ତ ଦୁଇ ଫଳାଫଳ ତାର ବିପରିତ ହୋଇଛି । ରେଜଲ୍ଟ ଏପରି ହୋଇଛି ଯେ, ଗୋଟିଏ ବେସରକାରୀ କଲେଜର ଫଳାଫଳ ରାଜ୍ୟର ସମସ୍ତ କଲେଜଠାରୁ ଅଧିକ ।

ଭୁବନେଶ୍ୱରର ନାମକରା ବିଜେବି କଲେଜରେ ଜଣେ ମାତ୍ର ଛାତ୍ର ୯୦ ପ୍ରତିଶତରୁ ଅଧିକ ମାର୍କ ରଖି ପାସ କରିଛନ୍ତି । ସେହିପରି ରେଭେନ୍ସା କଲେଜରୁ ମାତ୍ର ୨ଜଣ ୯୦ ପ୍ରତିଶତରୁ ଅଧିକ ମାର୍କ ରଖିବାକୁ ସମର୍ଥ ହୋଇଛନ୍ତି । ପ୍ରତିଷ୍ଠିତ ରମାଦେବୀ କଲେଜରୁ କେହି ୯୦ ପ୍ରତିଶତ ଉପରେ ମାର୍କ ରଖିନାହାନ୍ତି । ପ୍ରଶ୍ନ ଉଠୁଛି ନାମଲେଖା ପାଇଁ ୯୦ ପ୍ରତିଶତ ତଳକୁ ମାର୍କ ରଖିଥିବା ଛାତ୍ରଛାତ୍ରୀଙ୍କୁ ଏସବୁ କଲେଜ ନେଉନଥିବାବେଳେ ଯୁକ୍ତ ଦୁଇ ବିଜ୍ଞାନରେ ଏଭଳି ନୈରାଶ୍ୟ ଜନକ ପ୍ରଦର୍ଶନ କାହିଁକି ?

ଚଳିତବର୍ଷ ପରୀକ୍ଷା ଫଳ ଭଲ ରହିଥିଲେ ବି ମେଧାବୀ ତାଲିକାରେ କମିଛି ଛାତ୍ରଛାତ୍ରୀଙ୍କ ସଂଖ୍ୟା । ଗତବର୍ଷ ୪୩ ଜଣ ୯୦ ପ୍ରତିଶତରୁ ଅଧିକ ମାର୍କ ରଖି ପାସ କରିଥିବାବେଳେ ଚଳିତବର୍ଷ ଏହା ୨୭କୁ ଖସିଆସିଛି । ରାଜ୍ୟର ନାମକରା ସରକାରୀ କଲେଜରୁ ମାତ୍ର ୧୦ ଜଣ ୯୦ ପ୍ରତିଶତରୁ ଅଧିକ ମାର୍କ ରଖିବାକୁ ସମର୍ଥ ହୋଇଛନ୍ତି । ଯେଉଁ କଲେଜଗୁଡିକର ପ୍ରଥମ କଟଅପ ମାର୍କ ୯୦ ପ୍ରତିଶତ । ପ୍ରଶ୍ନ ଉଠୁଛି

• ସରକାରୀ କଲେଜରେ ପଢୁଥିବା ଛାତ୍ରଛାତ୍ରୀଙ୍କ ଏ ଦୁର୍ଦ୍ଦଶା କ’ଣ ପାଇଁ?
• ଭର୍ତ୍ତି ହେଲା ବେଳକୁ ୯୦ ପ୍ରତିଶତ ହେଲେ ବାହାରିଲା ବେଳକୁ କାହିଁ?

ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ଲାଗି ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗ ରିତିମତ ଚେଷ୍ଟା ଚଳାଇଥିବାବେଳେ ସରକାରୀ କଲେଜଗୁଡିକର ଫଳାଫଳ ଏସବୁ ଉଦ୍ୟମକୁ ପ୍ରଶ୍ନ ଘେରରେ ଛିଡା କରାଇଛି ।