ପଦ ପରେ ବ୍ୟବସାୟ ! ବୈଜୟନ୍ତଙ୍କ ଇମ୍ଫାରେ ସରକାରଙ୍କ ରୋକ୍

32

କନକ ବ୍ୟୁରୋ : କେବଳ ଦଳୀୟ ପଦପଦବୀ କାଟି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପକ୍ଷ ଛେଦନ କରାଯାଇଛି, ତାହା ନୁହେଁ । ପାରିବାରିକ ବ୍ୟବସାୟରେ ରାଜ୍ୟ ସରକାର ବ୍ରେକ ମାରି ଅଡୁଆ ବଢାଇ ଦେଇଛନ୍ତି ବୈଜୟନ୍ତଙ୍କର । ରାଜ୍ୟ ପ୍ରଦୂଷଣ କଂଟ୍ରୋଲ ବୋର୍ଡ ଅନୁମତି ହଟାଇ ନେଇଥିବାରୁ ମାସେ ହେଲା ବନ୍ଦ ପଡିଛି ଇମ୍ଫାର ସୁକିନ୍ଦା ସ୍ଥିତ କ୍ରୋମାଇଟ୍ ମାଇନ୍ସ । ଏହା ବିରୋଧରେ ହାଇକୋର୍ଟକୁ ଯାଇଛି ଇମ୍ଫା ।

ଅନୁମତି ହଟାଇନେବା ନିଷ୍ପତି ସଂପୂର୍ଣ୍ଣ ମନମୁଖୀ, ବିଭେଦାତ୍ମକ, ଉଦ୍ଦେଶ୍ୟ ପ୍ରଣୋଦିତ ଓ ପ୍ରତିଶୋଧମୂଳକ ବୋଲି ହାଇକୋର୍ଟରେ ଅଭିଯୋଗ କରିଛି ଇମ୍ଫା । ତେବେ କିଏ ଓ କାହିଁକି ଉଦ୍ଦେଶ୍ୟମୂଳକ ଭାବେ ପ୍ରତିଶୋଧ ନେବା ପାଇଁ ଏହି ଶିଳ୍ପାନୁଷ୍ଠାନକୁ ଅସୁବିଧାରେ ପକାଉଛି, ସେ ନେଇ କିଛି ସୂଚନା ମିଳିନାହିଁ ।

ଦେଶର ଅନ୍ୟତମ ପ୍ରମୁଖ ଫେରୋଆଲୟ ଉତ୍ପାଦନକାରୀ କଂପାନୀ ହେଉଛି ଇମ୍ଫା । ବିଜେଡି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଭାଇ ଶୁଭକାନ୍ତ ପଣ୍ଡା ଏହାର ପରିଚାଳନା ନିର୍ଦ୍ଦେଶକ । ଇମ୍ଫାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଗତ ମାର୍ଚ୍ଚ ୨୪ରେ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା । କଂପାନୀର ସୁକିନ୍ଦା ଓ ମହାଗିରି କ୍ରୋମାଇଟ୍ ମାଇନ୍ସରେ ହଠାତ ଯାଂଚ କରିବା ପରେ ଏହି ନୋଟିସ ଜାରି କରାଯାଇଥିଲା ।

ମାଇନ ଅଂଚଳର ରାସ୍ତାଘାଟ ଖାଲ ଖମା ଭର୍ତି ହେବା ସହ ପାରପାଶ୍ୱିର୍କ ଅଂଚଳରେ ବୃଦ୍ଧି ପାଉଥିବା ବାୟୁ ପ୍ରଦୂଷଣ ଉପରେ ପ୍ରଶ୍ନ ଉଠାଇଥିଲା ପିସିବି । ସେପଟେ ମାଇନ୍ସରେ ପଡି ରହିଥିବା ୬୨, ୧୦୭ ଟନ୍ କ୍ରୋମ ଓର ପରିବହନ ପାଇଁ ଇମ୍ଫା ଅନୁମତି ଚାହୁଁଥିବା ବେଳେ ଟ୍ରାନ୍ସପୋର୍ଟ ପରମିଟ୍ ମିଳୁ ନଥିବାରୁ ତାହା ମଧ୍ୟ ସମ୍ଭବ ହୋଇପାରୁନାହିଁ । ଫଳରେ ଇମ୍ଫାର ଚୌଦ୍ୱାର ଓ ଥେରୁବାଲି ପ୍ଳାଂଟ୍ ସାଂଘାତିକ ଭାବେ ପ୍ରଭାବିତ ହେବା ଆଶଙ୍କା ରହିଛି ।