ପ୍ଲାଷ୍ଟିକ୍ ନିଷେଧ ନିୟମର ଉଲଂଘନ ! ଖୁଲମଖୁଲା ଚାଲିଛି ପଲିଥିନ୍ ବ୍ୟବହାର

71

କନକ ବ୍ୟୁରୋ : ଗାନ୍ଧୀ ଜୟନ୍ତୀରୁ ପଲିଥିନ୍, ପ୍ଲାଷ୍ଟିକ୍ ବ୍ୟବହାର ନିଷେଧ ହେବ । ଯେଉଁମାନେ ଏହାକୁ ବ୍ୟବହାର କରୁଥିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । କିଛି ଦିନ ତଳେ ଏଭଳି ବିଜ୍ଞପ୍ତି ପ୍ରକାଶ କରିଥିଲେ ରାଜ୍ୟ ସରକାର । ଭୁଲ ସୁଧାରିବାକୁ ପଲିଥିନ୍, ପ୍ଲାଷ୍ଟିକ୍ ବ୍ୟବସାୟୀଙ୍କୁ ଏଥିପାଇଁ ମାସକର କଣ୍ଟ ବି ଦିଆଯାଇଥିଲା । ଏବେ ଏହି କଣ୍ଟ ପୂରିବାକୁ ବସିଥିବାବେଳେ ପୁରୀ ଜିଲ୍ଲାରେ ଏବେ ବି ଖୁଲମଖୁଲା ପଲିଥିନ୍, ପ୍ଲାଷ୍ଟିକର ବ୍ୟବହାର ଚାଲିଛି। ଛୋଟରୁ ବଡ଼ ସବୁ ଦୋକାନରେ ମାଳମାଳ ପଲିଥିନ୍ ବ୍ୟବହାର ଚାଲିଛି । ଏବେ ବି କୁଇଣ୍ଟାଲ କୁଇଣ୍ଟାଲ ପଲିଥିନ୍ ପୁରୀ ବଜାରରେ ବୁଲୁଥିବାବେଳେ ଗ୍ରାହକମାନଙ୍କୁ ବି ଖୋଲାଖୋଲି ଭାବେ ପଲିଥିନରେ ଜିନିଷ ଦିଆଯାଉଛି । ଯାହା ସରକାରଙ୍କ ପଲିଥିନ୍, ପ୍ଲାଷ୍ଟିକ୍ ନିଷେଧ ବିଜ୍ଞପ୍ତିଙ୍କୁ ଅଟ୍ଟହାସ୍ୟ କରୁଛି। ପ୍ରଶାସନର କାର୍ଯ୍ୟଦକ୍ଷତା ପ୍ରତି ଏହା ଅଙ୍ଗୁଳି ନିର୍ଦେଶ କରୁଛି ।

ସୂଚନା ଥାଉ କି ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ସେପ୍ଟେମ୍ବର ୫ରେ ଗେଜେଟ୍ ନୋଟିଫିକେସନ୍ ପ୍ରକାଶ କରି ମତାମତ ସଂଗ୍ରହ ପରେ ଗତ ୨୯ ତାରିଖରେ ପଲିଥିନ୍, ପ୍ଲାଷ୍ଟିକ୍ ନିଷେଧ ଉପରେ ଏକ ବିଜ୍ଞପ୍ତି ପ୍ରକାଶ କରିଥିଲେ । ପ୍ରାଥମିକ ପର୍ଯ୍ୟାୟରେ ଭୁବନେଶ୍ବର, କଟକ, ରାଉରକେଲା, ବ୍ରହ୍ମପୁର, ଓ ସମ୍ବଲପୁର ମହାନଗର ନିଗମ ସମେତ ପୁରୀ ପୌରାଞ୍ଚଳରେ ପଲିଥିନ୍, ପ୍ଲାଷ୍ଟିକ୍ ନିଷେଧ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଗାନ୍ଧୀ ଜୟନ୍ତୀରୁ ଏହି ଅଭିଯାନ ଆରମ୍ଭ କରିବାକୁ ସଂପୃକ୍ତ ମହାନଗର ନିଗମ କର୍ତୃପକ୍ଷ ଓ ପୁରୀ ଜିଲ୍ଲା ପ୍ରଶାସନକୁ ଏ ସଂପର୍କିତ ନିର୍ଦେଶନାମା ଜାରି କରାଗଲା । ୫୦ ମାଇକ୍ରନରୁ ଅଧିକ ମାତ୍ରା ଥିବା ପଲିଥିନ୍ ବ୍ୟବହାର ସଂପୂର୍ଣ୍ଣ ନିଷେଧ କରାଗଲା।

ସେହି ଅନୁଯାୟୀ ଜିଲ୍ଲା ପ୍ରଶାସନ ଗାନ୍ଧୀ ଜୟନ୍ତୀ ପୂର୍ବରୁ ୩ରୁ ଅଧିକ ବିରାଟ ସଚେତନତା ରାଲି ବି ଆୟୋଜନ କରିଥିଲା । ବିଶେଷ କରି ବଡ଼ଦାଣ୍ଡରେ ଶ୍ରୀମନ୍ଦିରଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର, ସହରର ଗଳିକନ୍ଦିରରେ ଏପରି ସଚେତନତାଧର୍ମୀ ରାଲି ଆୟୋଜନ କରି ଲୋକଙ୍କୁ ପଲିଥିନ୍, ପ୍ଲାଷ୍ଟିକ୍ ବ୍ୟବହାର ନକରିବାକୁ କୁହାଯାଇଥିଲା । ନିଜେ ଜିଲ୍ଲାପାଳ ବି ଏହି ସଚେତନତାଧର୍ମୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଲୋକଙ୍କୁ ବ୍ୟକ୍ତିଗତ ଭେଟି ପଲିଥିନ୍, ପ୍ଲାଷ୍ଟିକ୍ ବ୍ୟବହାର ନକରିବାକୁ ପରାମର୍ଶ ଦେଇଥିଲେ । ସେହି ଅନୁଯାୟୀ ପୁରୀ ପୌରାଞ୍ଚଳର ଗଳିକନ୍ଦି ସମେତ ବଡ଼ ବଡ଼ ସପିଂ ମଲ୍, ମିଠା ଦୋକାନରେ ଏ ଉପରେ ପୋଷ୍ଟର, ହୋର୍ଡିଂ ଆଦି ଲଗାଯାଇଛି । ସମୁଦ୍ର କୂଳରେ କାଗଜ, ଝୋଟ ଆଦି ବ୍ୟାଗ ବିକ୍ରି ଓ ସଚେତନତାଧର୍ମୀ କେନ୍ଦ୍ର ବି ଖୋଲାଯାଇଛି ।

ତଥାପି ଲୋକେ ସଚେତନ ହେବାକୁ ନାରାଜ । ଏବେ ବି ବଡ଼ ବଡ଼ ସପିଂ ମଲ୍, ବଡ଼ ବଡ଼ ମିଠା ଦୋକାନ, ଗ୍ରୋସରି ଦୋକାନରେ ପଲିଥିନର ଖୋଲାଖୋଲି ବ୍ୟବହାର କରାଯାଉଛି। ପୁରୀ ସହରରେ ନାମିଦାମୀ ୫ରୁ ଅଧିକ ମିଠା ଦୋକାନ ଥିବାବେଳେ ଏମାନଙ୍କ ଶାଖା ପୁରୀ ସହରର ଏକାଧିକ ସ୍ଥାନରେ ରହିଛି । ପୁରୀ ରେଳ ଷ୍ଟେସନ୍ ନିକଟ ରାମମନ୍ଦିର ଗଳି, ରେଡକ୍ରସ ରୋଡ୍, ଅଠରନଳା ସମେତ ଅନ୍ୟାନ୍ୟ ସ୍ଥାନରେ ଥିବା ବଡ଼ ବଡ଼ ମିଠା ଦୋକାନୀମାନେ ଖୋଲାଖୋଲି ଭାବେ ପଲିଥିନରେ ଗ୍ରାହକଙ୍କୁ ମିଠା ଆଦି ଦେଉଛନ୍ତି । ବଡ଼ ବଡ଼ ଲୁଗା ଦୋକାନୀ ଓ ଅନ୍ୟ ଖାଦ୍ୟ ସାମଗ୍ରୀ ଦୋକାନରେ ବି ସମାନ ଅବସ୍ଥା । କେବଳ ପୁରୀ ନୁହେଁ ସାରା ରାଜ୍ୟରେ ବେଧଡ଼କ ଭାବରେ ପଲିଥିନ୍ ବ୍ୟବହାର କରାଯାଉଛି ।