ମନ୍ଦିରରୁ ମସଜିଦ୍, ସବୁଠି ଚାଲିଛି ଭାରତ ପାଇଁ ପ୍ରାର୍ଥନା । ଟିମ୍ ଇଣ୍ଡିଆର ବିଜୟ ପାଇଁ କାମନା କରୁଛନ୍ତି କୋଟି କୋଟି କ୍ରୀଡାପ୍ରେମୀ ।

210

କନକ ବ୍ୟୁରୋ : ବିଶ୍ୱକପର ପ୍ରଥମ ସେମି ଫାଇନାଲ୍ ମ୍ୟାଚରେ ଆଜି ଟିମ୍ ଇଣ୍ଡିଆର ଟକ୍କର ହେବ ନ୍ୟୁଜିଲାଣ୍ଡ ସହ । ମାଞ୍ଚେଷ୍ଟରରେ ଖେଳାଯିବ ମହାମୁକାବିଲା । ଚତୁର୍ଥ ଥର ପାଇଁ ସେମିଫାଇନାଲ ଜିତି ଫାଇନାଲରେ ପ୍ରବେଶ କରିବା ଲକ୍ଷ୍ୟରେ ଆଜି ମଇଦାନକୁ ଓହ୍ଲାଇବ ଭାରତ । ତେବେ ଏହାକୁ ନେଇ ଭାରତୀୟ ଫ୍ୟାନମାନେ ଉତ୍ସାହିତ ହୋଇପଡିଛନ୍ତି । ଉତ୍ତରପ୍ରଦେଶର ପ୍ରୟାଗରାଜରେ କିଛି କ୍ରୀଡ଼ାପ୍ରେମୀ ସଙ୍ଗମସ୍ଥଳୀରେ ପ୍ରାର୍ଥନା କରିଛନ୍ତି । ସେହିପରି ଆଉ କିଛି କ୍ରୀଡ଼ାପ୍ରେମୀ ଦରଘାରେ ଚାଦର ଚଢ଼ାଇଛନ୍ତି । ଭାରତ ପଏଣ୍ଟ ତାଲିକାର ପ୍ରଥମ ସ୍ଥାନରେ ରହି ସେମିଫାଇନାଲ୍ ଯାଇଛି । ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ଚତୁର୍ଥ ସ୍ଥାନ ପ୍ରଦର୍ଶନରେ ଏହି ପର୍ଯ୍ୟାୟକୁ ଉନ୍ନୀତ ହୋଇଛି ।

ଦୁଇ ଦଳ ମଧ୍ୟରେ ଖେଳା ଯାଇଥିବା ଲିଗ୍ ପର୍ଯ୍ୟାୟ ମ୍ୟାଚ୍ ବର୍ଷା ପାଇଁ ବାତିଲ ହୋଇ ଯାଇଥିଲା । ଭାରତ-ନ୍ୟୁଜିଲାଣ୍ଡ ବିଶ୍ବକପ୍‌ରେ ପରସ୍ପରକୁ ୭ ଥର ଭେଟିଛନ୍ତି । ସେଥିମଧ୍ୟରୁ ଭାରତ ୩ ଏବଂ ନ୍ୟୁଜିଲାଣ୍ଡ ୪ଟିରେ ବିଜୟୀ ହୋଇଛନ୍ତି । ଦିନିକିଆ ପ୍ରଦର୍ଶନକୁ ବିଚାରକୁ ନେଲେ ଉଭୟ ଦଳ ୧୦୬ ଦିନିକିଆରେ ଲଢ଼େଇ କରିଛନ୍ତି । ସେଥିମଧ୍ୟରୁ ଭାରତ ୫୫ ଏବଂ ନ୍ୟୁଜିଲାଣ୍ଡ ୪୫ଟିରେ ବିଜୟୀ ହୋଇଛନ୍ତି । ତେବେ କେବଳ ପ୍ରୟାଗରାଜ ନୁହେଁ ଦେଶର ଅନ୍ୟ ସ୍ଥାନମାନଙ୍କରେ ମଧ୍ୟ କ୍ରିକେଟପ୍ରେମୀ ପୂଜାର୍ଚ୍ଚନା ଆରମ୍ଭ କରିଛନ୍ତି । ଭାରତ ଇଂଲଣ୍ଡଠାରୁ ହାରିବା ପରେ ବାଂଲାଦେଶ ଓ ଶ୍ରୀଲଙ୍କାକୁ ହରାଇ ସେମିଫାଇନାଲରେ ପହଂଚିଛି ।