ପାକିସ୍ତାନକୁ ଆଉ ଏକ ଝଟକା : ପଡ଼ୋଶୀ ଦେଶରୁ ଆମଦାନୀ ସାମଗ୍ରୀ ଉପରେ ୨୦୦ ପ୍ରତିଶତ ଶୁଳ୍କ ଲଗାଇବ ଭାରତ

265

କନକ ବ୍ୟୁରୋ : ପାକିସ୍ତାନକୁ ଝଟକା ଦେଲେ ଭାରତ ସରକାର । ଶତ୍ରୁ ଦେଶରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ବଢ଼ିବ ଶୁଳ୍କ । ପାକିସ୍ତାନରୁ ଆସୁଥିବା ସାମଗ୍ରୀ ଉପରେ ୨୦୦ ପ୍ରତିଶତ ଶୁଳ୍କ ଲଗାଇବାର ପ୍ରସ୍ତାବ ରାଜ୍ୟସଭାରେ ପାରିତ ହୋଇଛି । ଦେବାଳିଆ ହେବା ଉପରେ ଥିବା ପାକିସ୍ତାନ ଉପରେ ଭାରତର ବର୍ଦ୍ଧିତ ସୀମାଶୁଳ୍କ ଆଉ ଏକ ପ୍ରହାର ସାବ୍ୟସ୍ତ ହେବ । ଏହାବ୍ୟତୀତ ବୋରିକ ଏସିଡ଼୍, ଡାଇଗ୍ନୋଷ୍ଟିକ୍, ଲାବରାଟେରୀ ସାମଗ୍ରୀ ଉପରେ ସୀମାଶୁଳ୍କ ବଢ଼ାଇବା ପ୍ରସ୍ତାବକୁ ମଧ୍ୟ ଉଚ୍ଚ ସଦନରେ ମଞ୍ଜୁରୀ ଦିଆଯାଇଛି ।

ଗୋଟିଏ ପଟେ ଗଭୀର ଆର୍ଥିକ ସଂଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ଉପରେ ଭାରତର ନୂଆ ଶୁଳ୍କ ବୋଝ ଉପରେ ନଳିତା ବିଡ଼ା ସାବ୍ୟସ୍ତ ହେବ । ପୁଲୱାମା ଆକ୍ରମଣ ପରେ ଭାରତ ପାକିସ୍ତାନ ଠାରୁ ମୋଷ୍ଟ ଫେୱର୍ଡ଼ ନେସନର ମାନ୍ୟତା ଛଡ଼ାଇ ନେଇଥିଲା । ବିଶ୍ୱ ଦରବାରରେ ଆତଙ୍କବାଦ ମୁଦ୍ଦା ନେଇ ବାରମ୍ବାର ଅପଦସ୍ତ ହେଲେ ମଧ୍ୟ ସୁଧୁରୁନି ପାକିସ୍ତାନ । ଶତ୍ରୁଦେଶ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରୁଛି । ଭାରତର ଚେତାବନୀ ସତ୍ୱେ ଦୃଷ୍ଟାନମୂଳକ ପଦକ୍ଷେପ ନନେଇ ଦେଶରେ ଆତଙ୍କବାଦୀଙ୍କୁ ଲୁଚିବା ପାଇଁ ଜାଗା ଦେଉଛି । ନିକଟରେ ଆତଙ୍କବାଦୀ ବୁରହାନ ବାନୀର ମୃତ୍ୟୁ ବାର୍ଷିିକୀରେ ପାକିସ୍ତାନ ସେନା ପ୍ରବକ୍ତା ତାକୁ ହୀରୋ ସହ ତୁଳନା କରିଥିଲେ । ଖୋଲାଖୋଲି ଆତଙ୍କବଦୀଙ୍କୁ ସାହାଯ୍ୟ କରୁଛି ପଡ଼ୋଶୀ ଦେଶ ।

ବୁରହାନ ବାନୀର ଉଦାହରଣ ଦେଇ ସେ ଏକ ଟ୍ୱିଟ୍ ମଧ୍ୟ କରିଥିଲେ । ଅଗାମୀ ପୀଢ଼ିର ଭବିଷ୍ୟତ ପାଇଁ ଆଜିର ପ୍ରାଣବଳି ଦେଉଛନ୍ତି ବୋଲି କହିଥିଲେ । ଏଥିରୁ ସ୍ପଷ୍ଟ ହେଉଛି ପାକିସ୍ତାନ ସବୁବେଳେ ଆତଙ୍କବାଦୀଙ୍କୁ ପ୍ରୋତ୍ସାହିତ କରୁଛି । ଆତଙ୍କବାଦ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଓଲଟା ସାହଯ୍ୟ କରୁଛି । ଚୀନ-ଆମେରିକା ବାଣିଜ୍ୟ ଯୁଦ୍ଧ ପରି ଭାରତ-ପାକିସ୍ତାନ ମଧ୍ୟରେ ବି ବାଣିଜ୍ୟ ଯୁଦ୍ଧ ହୋଇପାରେ ବୋଲି ପ୍ରତୀୟମାନ ହେଉଛି । ବର୍ତ୍ତମାନ ସୁଦ୍ଧା ଭାରତ ଓ ପାକିସ୍ତାନ ମଧ୍ୟରେ ବେପାର ବଣିଜ କମିଛି ।