ପୁଣି ପିସିସି ସଭାପତି ପରିବର୍ତନ ଚର୍ଚ୍ଚା । ଆଉ କିଛି ସମୟ ପରେ ୧୦ଜନପଥରେ ରାହୁଲ କରିବେ ଆଲୋଚନା । ରାଜ୍ୟ ସଂଗଠନ ବାବଦରେ ବଡ ନିଷ୍ପତି ସମ୍ଭାବନା

31

କନକ ବ୍ୟୁରୋ : ପିସିସି ସଭାପତି ପରିବର୍ତନ ନେଇ ପୁଣି ଚର୍ଚ୍ଚା ଜୋରଧରିଛି  । ଆଉ କିଛି ସମୟ ପରେ ୧୦ଜନପଥ ବାସଭବନରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରାଜ୍ୟ କଂଗ୍ରେସ ନେତାଙ୍କ ସହ ଆଲୋଚନା କରିବେ  । ଏହି ବୈଠକରେ ରାଜ୍ୟ ସଂଗଠନ ବାବଦରେ ବଡ ନିଷ୍ପତି ହେବାର ସମ୍ଭାବନା ରହିଛି  । ତେବେ ଗତ ୬ମାସ ଧରି ପିସିସି ସଭାପତି ପରିବର୍ତନ ନେଇ ଚର୍ଚ୍ଚା ଚାଲିଛି  । ଅନେକ ସମୟରେ ରାହୁଲ ଗାନ୍ଧୀ କଂଗ୍ରେସ ଉପସଭାପତି ଥିବା ସମୟରେ ରାଜ୍ୟ କଂଗ୍ରେସ ନେତାଙ୍କ ସହ ଦିଲ୍ଲୀରେ ଏନେଇ ଆଲୋଚନା ମଧ୍ୟ କରିଛନ୍ତି  । ତେବେ ଏଯାଏଁ କୌଣସି ନିଷ୍କର୍ସ ବାହାରି ପାରିନାହିଁ । ତେବେ ରାହୁଲ ସଭାପତି ପଦ ସମ୍ଭାଳିବା ପରେ କିଛି ରାଜ୍ୟ ପିସିସି ସଭାପତି ପରିବର୍ତନ ହୋଇଥିବାରୁ ଏବେ ଓଡ଼ିଶାର ପାଳି ବୋଲି ଚର୍ଚ୍ଚା ହେଉଛି ।

ଗତ ନଭେମ୍ବରରେ ପ୍ରସାଦ ହରିଚନ୍ଦନଙ୍କ ସହ କଂଗ୍ରେସର ଚାରି ଜଣ ବିଧାୟକ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଭେଟିଥିଲେ । ନୂଆଦିଲ୍ଲୀରେ ରାହୁଲ ଗାନ୍ଧିଙ୍କ ସହ ବିଧାୟକ ଜାକବ ପ୍ରଧାନ, ଭୁଜବଳ ମାଝି, କୃଷ୍ଣ ସଗରିଆ, କୈଳାଶ କୁଲେସିକା ଆଲୋଚନା କରିଥିଲେ ।କେଉଁ କାରଣରୁ ଏପରି ତରବରିଆ ଭାବେ କଂଗ୍ରେସ ବିଧାୟକଙ୍କୁ ନେଇ ପିସିସି ସଭାପତି, ରାହୁଲ ଗାନ୍ଧିଙ୍କୁ ଭେଟିଛନ୍ତି, ତାହା ସ୍ପଷ୍ଟ ହୋଇନଥିଲା । ତେବେ ଗୋଟେ କଥା ବୁଝାପଡୁଛି, କଂଗ୍ରେସ ବିଧାୟକ ଦଳ ଦି’ଭାଗ ହୋଇ ଯାଇଛି ।

ବିରୋଧୀ ଦଳର ନେତା ନରସିଂହ ମିଶ୍ରଙ୍କ ନେତୃତ୍ୱରେ କଂଗ୍ରେସ ବିଧାୟକ ଦଳ ଏକାଠି ହୋଇ ପୂର୍ବରୁ ରାହୁଲ ଗାନ୍ଧିଙ୍କୁ ଦେଖା କରିଥିଲେ । ପିସିସି ସଭାପତିଙ୍କ ବିରୋଧରେ ସେମାନଙ୍କ ଅସନ୍ତୋଷ ଜଣାଇଥିଲେ । ନେତୃତ୍ୱ ପରିବର୍ତନ ପାଇଁ ଅଡି ବସିଥିଲେ ବୋଲି ଆଲୋଚନା ହେଉଥିଲା, ସେଥିରେ ବାଧା ପହଁଚିଛି ।

ପୂର୍ବରୁ ପ୍ରସାଦ ହରିଚନ୍ଦନ, ଜିଲ୍ଲା ସଭାପତିମାନଙ୍କୁ ନେଇ ରାହୁଲଙ୍କୁ ଭେଟାଇଥିଲେ । ଦୁଇ ଗୋଷ୍ଠୀ ମଧ୍ୟରେ ବେଶ ଛକାପଂଝା ଦେଖିବାକୁ ମିଳିଥିଲା । ଏବେ ପରିବର୍ତିତ ପରିସ୍ଥିତିରୁ ଏହା ସ୍ପଷ୍ଟ ହେଉଛି ଯେ ୪ ବିଧାୟକଙ୍କୁ ପ୍ରସାଦ ନିଜ ପକ୍ଷକୁ ନେବାରେ ସଫଳ ହୋଇଥିଲେ ।