ରୋମାଂଚକର ସ୍ଥିତିରେ ଜୋହାନ୍ସବର୍ଗ ଟେଷ୍ଟ । ଦକ୍ଷିଣଆଫ୍ରିକାକୁ ବିଜୟ ପାଇଁ ଦରକାର ୨୨୪ ରନ, ଭାରତକୁ ୯ ୱିକେଟ । 

71

କନକ ବ୍ୟୁରୋ : ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜର ଶେଷ ମୁକାବିଲାରେ ଭାରତ ତାର ଦ୍ୱିତୀୟ ପାଳିରେ ୨୪୭ ରନ୍ କରିଛି । ଫଳରେ ଦକ୍ଷିଣ ଆଫ୍ରିକାକୁ ବିଜୟ ପାଇଁ ୨୪୧ ରନ୍ ଲକ୍ଷ୍ୟ ରହିଛି । ଜବାବରେ ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ଗୋଟିଏ ୱିକେଟ୍ ହରାଇ ୧୭ ରନ୍ କରିଛି । ମାତ୍ର ୫ ରନରେ ଆଡେନ୍ ମାର୍କମ ୪ ରନ୍ କରି ମହମଦ ସାମିଙ୍କ ବଲରେ କ୍ୟାଚ୍ ଆଉଟ୍ ହୋଇଛି ।

ଜସପ୍ରିତ ବୁମରାଙ୍କ ଏକ ବଲ୍ ଦକ୍ଷିଣ ଆଫ୍ରିକା ଓପନର ଏଲଗରଙ୍କ ହେଲମେଟକୁ ବାଜିବା ପରେ ତୃତୀୟ ଦିନର ଖେଳକୁ ବନ୍ଦ ରଖାଯାଇଛି । ପ୍ରଥମ ପାଳିରେ ୭ ରନରେ ପଛୁଆ ଥିବା ଟିମ୍ ଇଣ୍ଡିଆର ଦ୍ୱିତୀୟ ପାଳିର ଆରମ୍ଭ ମଧ୍ୟ ଭଲ ହୋଇନଥିଲା । ପାର୍ଥିବ ୧୬, ରାହୁଲ ୧୬ ଏବଂ ପୂଜାରା ୧ ରନ୍ କରି ଶୀଘ୍ର ପାଭିଲିୟନ ଫେରିଥିଲେ । ସେହିପରି ବିଜୟ ୨୫ ରନ କରି ଆଉଟ୍ ହୋଇଥିଲେ । ତେବେ କୋହଲିଙ୍କ ୪୧ ଓ ରାହାଣେଙ୍କ ୪୮ ରନ ଭାରତକୁ ଭଲ ପାର୍ଟନରସିପ୍ ଦେଇଥିଲା । ଶେଷ ଆଡକୁ ଭୁବନେଶ୍ୱର କୁମାର ୩୩ ଏବଂ ମହମ୍ମଦ ସାମି ୨୭ ରନ୍ କରିଥିଲେ ।

ଫଳରେ ଭାରତ ୨୪୭ ରନ୍ କରିପାରିଥିଲା । ଆଜି ମ୍ୟାଚର ଚତୁର୍ଥ ଦିନ । ଦୁଇ ଦିନ ମଧ୍ୟରେ ବିଜୟ ପାଇଁ ଦକ୍ଷିଣ ଆଫ୍ରିକା ସାମ୍ନାରେ ୨୨୪ ରନ୍ ରହିଛି । ଏବଂ ହାତରେ ୯ଟି ୱିକେଟ୍ ରହିଛି । ତେବେ ଏହି ମ୍ୟାଚ୍ ହାରିଲେ ମଧ୍ୟ ଦକ୍ଷିଣ ଆଫ୍ରିକା ଉପରେ କୌଣସି ପ୍ରଭାବ ପଡିବ ନାହିଁ । ପୂର୍ବରୁ ଲଗାତର ଦୁଇଟି ମ୍ୟାଚ୍ ଜିତି ସିରିଜକୁ ୨-୦ରେ ଆଗୁଆ ଜିତି ନେଇଛି ଘରୋଇ ଟିମ ।