ଏବେବି ବଞ୍ଚିଛି ମଣିଷ ପଣିଆ ! ପ୍ରଶାସନ, ସାମ୍ବାଦିକ ଓ ଆଇନଜୀବୀ ମିଶି କଲେ ଅଜଣା ବ୍ୟକ୍ତିଙ୍କ ଶବସତ୍କାର ।

169

କନକ ବ୍ୟୁରୋ : ଏବେ ବି ବଂଚିଛି ମଣିଷ ପଣିଆ । ପ୍ରଶାସନ, ଗଣମାଧ୍ୟମ ପ୍ରତିନିଧି ଓ ଆଇନଜୀବୀ ମିଶି କଲେ ଅଜଣା ବ୍ୟକ୍ତିଙ୍କ ଶବସତ୍କାର । ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ବାଂଜିପାଲି ଗାଁରେ ନାଥ ବାବା ନାମକ ଜଣେ ବ୍ୟକ୍ତି ମହାରାଷ୍ଟ୍ରରୁ ଆସି ମାଗି ଜାଚି ଖାଉଥିଲା । କିଛି ଦିନ ହେବ ଜଣ୍ଢିସରେ ଆକ୍ରାନ୍ତ ହୋଇ ଅସୁସ୍ଥ ହୋଇପଡିଥିବା ନାଥ ବାବାଙ୍କର ଆଜି ମୃତ୍ୟୁ ହୋଇଛି । ହେଲେ ଏଠାରେ ତାଙ୍କର କେହି ସଂପର୍କୀୟ ନଥିବାରୁ ତାର ଶବ ସତ୍କାର କରିବା କଷ୍ଟକର ହୋଇଥିଲା ।

ଘଟଣା ସମ୍ପର୍କରେ ଜଣାପଡିବା ପରେ ଘଟଣା ସ୍ଥଳରେ ପହଂଚିଥିଲେ ଖପ୍ରାଖୋଲ ବି.ଡିଓ ତରଣି ଶୁନା, କିଛି ଗଣମାଧ୍ୟମ ପ୍ରତିନିଧି ଏବଂ ଜଣେ ଆଇନଜୀବୀ । ଆମ ପାଟଣାଗଡ ପ୍ରତିନିଧି ପ୍ରବୀଣ ପୁରୋହିତ୍, ଆଇନଜୀବୀ ରାଣା ପ୍ରଧାନ, ଖପ୍ରାଖୋଲ ବିଡିଓ ତରଣି ଶୁନା ଏବଂ ସେହି ଗାଁର ଚର୍ତୁଭୁଜ କୁମ୍ଭାର ନାମକ ଜଣେ ବ୍ୟକ୍ତି ନାଥ ବାବା ଶବକୁ ନିଜ କାନ୍ଧ ବୋହି ମଶାଣିକୁ ନେଇ ସକ୍ରାର କରିଛନ୍ତି । ଏହାସହ ମୃତକଙ୍କ ପରିବାର ଲୋକଙ୍କୁ ଯୋଗାଯୋଗ କରାଯାଇଥିଲା, ସେମାନଙ୍କୁ ଆସିବା ପାଇଁ ୪ ଦିନ ସମୟ ଲାଗିବାରୁ ଶବସତ୍କାର କରିବା ପାଇଁ ପରିବାର ଲୋକ ଅନୁମତି ଦେଇଥିବା ଜଣାପଡିଛି ।