ମୟୁରଭଞ୍ଜରେ ମହାପରୀକ୍ଷା । ଉପନିର୍ବାଚନ ପାଇଁ ଘମାଘୋଟ୍ ପ୍ରଚାର , କାହା ହାତକୁ ଯିବ ଜିଲ୍ଲାପରିଷଦ ଆସନ ?
ଆସନ୍ତା ଡିସେମ୍ବର ୬ ତାରିଖରେ ଦେଖିବାକୁ ମିଳିବ ଶାସକ ଓ ବିରୋଧୀଙ୍କ ମଧ୍ୟରେ କଡ଼ା ଟକ୍କର ।
କନକ ବ୍ୟୁରୋ: ମୟୁରଭଞ୍ଜରେ ଏବେ ରାଜନୀତି ତାତି । ଆସନ୍ତା ଡିସେମ୍ବର ୬ ତାରିଖରେ ଦେଖିବାକୁ ମିଳିବ ଶାସକ ଓ ବିରୋଧୀଙ୍କ ମଧ୍ୟରେ କଡ଼ା ଟକ୍କର । କାରଣ ମୟୁରଭଞ୍ଜ ଜିଲ୍ଲା ସାରସକଣା ନିର୍ବାଚନ ମଣ୍ଡଳୀର ବିଜାତଳା ବ୍ଲକର ୩୨ ନମ୍ବର ଜୋନରେ ହେବ ଜିଲ୍ଲାପରିଷଦ ଉପନିର୍ବାଚନ । ଗତ ଜିଲ୍ଲାପରିଷଦ ନିର୍ବାଚନରେ ବିଜୟୀ ହୋଇଥିବା ବିଜେପି ସଦସ୍ୟ ଛୋଟରାୟ ମାରାଣ୍ଡିଙ୍କ ଦେହାନ୍ତ ପରେ ଏଠାରେ ପୁଣି ଉପନିର୍ବାଚନ ହେବ । ଆଗାମୀ ନିର୍ବାଚନ ପୂର୍ବରୁ ମୟୁରଭଞ୍ଜରେ ଉଭୟ ଶାସକ ଓ ବିରୋଧୀ ହେଭିୱେଟ୍ ନେତାଙ୍କ ମେଳି ଦେଖିବାକୁ ମିଳିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ମୟୁରଭଞ୍ଜର ଏହି ଗୋଟିଏ ଜିଲ୍ଲାପରିଷଦ ଆସନ ଉପରେ ଯଦି ଅନୁଧ୍ୟାନ କରାଯାଏ ତେବେ ବିଜାତଳା ବ୍ଲକର ୩୨ନଂ ଜୋନରେ ୫ଟି ଗ୍ରାମ ପଞ୍ଚାୟତର ୮୨ଟି ବୁଥରେ ପାଖାପାଖି ୨୩ ହଜାର ଭୋଟର ଅଛନ୍ତି । ଗତ ପଞ୍ଚାୟତ ନିର୍ବାଚନରେ ଉଭୟ ବିଜେଡ଼ି ଓ କଂଗ୍ରେସକୁ ଚିତପଟାଙ୍ଗ କରି ବିଜୟ ହାସଲ କରିଥିଲେ ବିଜେପି ପ୍ରାର୍ଥୀ ଛୋଟରାୟ ମାରାଣ୍ଡି । ତେଣୁ ସାଧାରଣ ନିର୍ବାଚନ ପୂର୍ବରୁ ହେବାକୁ ଥିବା ଏହି ଉପନିର୍ବାଚନର ଫଳାଫଳ ସାରା ଜିଲ୍ଲାର ରାଜନୈତିକ ମାହୋଲ ଉପରେ ପ୍ରଭାବ ପକାଇବ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଧରିଛି । ସେଥିପାଇଁ ରାଜନୈତିକ ଦଳମାନେ ନିଜ ନିଜର ରଣକୌଶଳ ସହ ନିର୍ବାଚନୀ ମଇଦାନକୁ ନିଜର ଅଭିଜ୍ଞ ନେତାମାନଙ୍କୁ ଓହ୍ଲାଇଛନ୍ତି ।
ମୟୂରଭଞ୍ଜ ଜିଲ୍ଲା ବିଜେଡ଼ି ପର୍ଯ୍ୟବେକ୍ଷକ ମଙ୍ଗ ଅରୁଣ ସାହୁ ଧରିଥିବା ବେଳେ ବିଜେପିର ମଙ୍ଗ ଧରିଛନ୍ତି ରାଜ୍ୟ ଉପସଭାପତି ରାଜକିଶୋର ଦାସ । ସେହିଭଳି ଜେଏମଏମର ମଙ୍ଗ ରାଜ୍ୟ ସଭାପତି ମହେଶ ହେମ୍ବ୍ରମ ତୁଲାଉଥିବାବେଳେ କଂଗ୍ରେସର ମଙ୍ଗ ପୂର୍ବତନ ସାଂସଦ ସୁଶିଳା ତିରିୟାଙ୍କ ହାତରେ ରହିଛି । ତେବେ ଏହି ବିଜାତଳାର ଏହି ୩୨ ନମ୍ବର ଜୋନରେ ପୁରୁଷ ଭୋଟରଙ୍କ ଅପେକ୍ଷା ମହିଳା ଭୋଟରର ସଂଖ୍ୟା ଅଧିକ ରହିଥିବା ବେଳେ ବଣକାଟି ଓ ରାଇହରୀ ପଞ୍ଚାୟତରେ ଅଧିକ ସଂଖ୍ୟକ ଭୋଟର ରହିଛନ୍ତି । ତେଣୁ ଏହି ଦୁଇ ପଂଚାୟତର ଭୋଟର ଊପନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେବୋଲି ଆକଳନ କରାଯାଉଛି ।
ସେପଟେ ଗତ ଜିଲ୍ଲାପରିଷଦ ନିର୍ବାଚନରେ ପରାଜିତ ହୋଇଥିବର ବିଜେଡ଼ି ଏହି ନିର୍ବାଚନକୁ ଗୁରୁତ୍ୱର ସହ ନେଇଛି । ତେଣୁ ଅରୁଣ ସାହୁ ପ୍ରତ୍ୟେକ ପଞ୍ଚାୟତ ପାଇଁ ଜଣେ ବିଧାୟକଙ୍କୁ ଦାୟିତ୍ଵ ଦେବାସହ ସିନେ ପ୍ରଚାରକ ଭାବେ ଅନୁଭବ ମହାନ୍ତି ୩ ଦିନଧରି ଗାଁଗାଁରେ ରୋଡ଼ ସୋ’ କରିଛନ୍ତି । ସେହିଭଳି ବିଜେପି ମଧ୍ୟ ୱାର୍ଡ ୱାରୀ ଜିଲ୍ଲାନେତାଙ୍କୁ ଦାୟିତ୍ଵ ଦେଇ ଜନମତ ସୃଷ୍ଟି କରିବାରେ ଲାଗିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ମୟୁରଭଞ୍ଜରେ ଦବଦବାଥିବା ଜେଏମଏମ ମଧ୍ୟ ଆଦିବାସୀ କାର୍ଡ ଖେଳି ଆଦିବାସୀ ଭୋଟ ହାତେଇବାରେ ପ୍ରାଣପଣେ ଉଦ୍ୟମ ଚଳାଇଛି । ତେବେ ବିଜେଡ଼ି ଏହି ଉପନିର୍ବାଚନରେ ଜିଲ୍ଲା ପରିଷଦ ଆସନ ଅକ୍ତିଆର କରି ପାରୁଛି ନା ବିଜେପିର ରଣନୀତି ପୂର୍ବ ନିର୍ବାଚନ ଭଳି ଫଳପ୍ରଦ ହେବ ତାହା ଉପରେ ସମସ୍ତଙ୍କ ନଜର ରହିଛି ।