ସୁପ୍ରିମକୋର୍ଟରେ ବଡ଼ ତଥ୍ୟ ! ବିଧାୟକ ଏବଂ ସାଂସଦଙ୍କ ବିରୋଧରେ ରହିଛି ୪ ହଜାରରୁ ଅଧିକ ଅପରାଧିକ ମାମଲା ।

71

ମଙ୍ଗଳବାର ସୁପ୍ରିମକୋର୍ଟରେ ଦିଆଯାଇଥିବା ତଥ୍ୟ ଅନୁସାରେ ଦେଶର କିଛି ବିଧାୟକ ଏବଂ ସାଂସଦଙ୍କ ବିରୋଧରେ ରହିଛି ଅପରାଧ ତାଲିକାର ଲମ୍ବା ଫର୍ଦ୍ଦ । ବର୍ତ୍ତମାନ ବିଧାୟକ ଏବଂ ସାସଂଦ ଥିବା ଏବଂ ପୂର୍ବତନ କିଛି ବିଧାୟକ ଏବଂ ସାଂସଦଙ୍କ ବିରୋଧରେ ରହିଛି ୪,୧୨୨ଟି ଅପରାଧିକ ମାମଲା । ଆଉ ଏଥି ମଧ୍ୟରୁ ଏମିତି କିଛି ମାମଲା ରହିଛି, ଯାହାକି ତିନି ଦଶକରୁ ମଧ୍ୟ ପୁରୁଣା । ମୁଖ୍ୟ ବିଚାରପତି ରଞ୍ଜମ ଗୋଗୋଇଙ୍କ ଅଧ୍ୟକ୍ଷତାରେ ବସିଥିବା ଖଣ୍ଡପୀଠ ମଙ୍ଗଳବାର ଏକ ଯାଚିକା ଉପରେ ବର୍ତ୍ତମାନର ଏବଂ ପୂବରୁ ଥିବା କିଛି ବିଧାୟକ ଏବଂ ସାଂସଦଙ୍କ ସହ ଜଡିତ ଥିବା ଅପରାଧିକ ମାମଲା ମୁଦ୍ଦା ଉଠାଇଥିଲେ ।

ସର୍ବୋଚ୍ଚ ନ୍ୟାୟାଳୟ, ବିଭିନ୍ନ ହାଇକୋର୍ଟଙ୍କୁ ବିଧାୟକ ଏବଂ ସାଂସଦଙ୍କ ବିରୋଧରେ ଲମ୍ବିଥିବା ଅପରାଧିକ ମାମଲା ଉପରେ ବିସ୍ତୃତ ରିପୋର୍ଟ ମାଗିଛନ୍ତି । ଆମିକସ୍ କ୍ୟୁରିଙ୍କ ଦ୍ୱାରା ଦାଖଲ ହୋଇଥିବା ତଥ୍ୟ ଆଧାରରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଂଜନ ଗୋଗୋଇ, ଜଷ୍ଟିସ ଏସକେ କୌଲ ଏବଂ କେଏମ୍ ଜୋସେଫଙ୍କୁ ନେଇ ଗଠିତ ଖଣ୍ଡପୀଠ ଗତକାଲି ବିହାର ଏବଂ କେରଳରେ ରାଜନେତାଙ୍କ ବିରୋଧରେ ପଡି ରହିଥିବା ମାମଲାରେ ବିଚାର ଆରମ୍ଭ କରିବା ପାଇଁ ପ୍ରତି ଜିଲ୍ଲାରେ ସ୍ୱତନ୍ତ୍ର କୋର୍ଟ ପ୍ରତିଷ୍ଠା ଲାଗି ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଅନୁଯାୟୀ, ଅପରାଧିକ ମାମଲାରେ ସମ୍ପୃକ୍ତ ରାଜନେତାଙ୍କୁ ଆଜୀବନ ଅଯୋଗ୍ୟ ଘୋଷିତ କରିବା ପାଇଁ ଜଣେ ଆଇନଜୀବୀ ଏବଂ ବିଜେପି ନେତା ଅଶ୍ୱିନୀ ଉପାଧ୍ୟାୟଙ୍କ ଦ୍ୱାରା ହୋଇଥିବା ଏକ ଆବେଦନ ଉପରେ ଗତକାଲି ସୁପ୍ରିମେକାର୍ଟରେ ଶୁଣାଣି ଥିଲା ।